- padmabati kund
ସଚିନଙ୍କ ଏହି ରେକର୍ଡ ଭାଙ୍ଗିପାରିବେନି ବିରାଟ : ସେହ୍ଵାଗ

(ବେତାର ବ୍ୟୁରୋ) ଭାରତୀୟ କ୍ରିକେଟ ଦଳର ଅଧିନାୟକ ଓ ‘ରନମେସିନ’ ନାମରେ ପରିଚିତ ବିରାଟ କୋହଲି ଭଲ ପ୍ରଦର୍ଶନ କରି ଆସୁଛନ୍ତି ଓ ଲଗାତର ଭାବରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗୁଛନ୍ତି। ୱାନ-ଡେ କ୍ରିକେଟରେ ସଚିନ ତେନ୍ଦୁଲକରଙ୍କର ଦଶ ହଜାର ରନକୁ ମଧ୍ୟ ସେ ପଛରେ ପକାଇ ଦେଇଛନ୍ତି। ଭାରତର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ପଛରେ ପକାଇ ବିରାଟ କୋହଲି ସବୁଠାରୁ ଅଧିକ ରନ ସଂଗ୍ରହ କରିଥିବା ଖେଳାଳୀଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି। ତେବେ ପୂର୍ବ ଭାରତୀୟ ଖେଳାଳୀ ବିରେନ୍ଦ୍ର ସେହ୍ଵାଗଙ୍କ ମତରେ ବିରାଟ କୋହଲି, ସଚିନଙ୍କର 200 ଟେଷ୍ଟ ମ୍ୟାଚ ଖେଳିବା ରେକର୍ଡକୁ ଭାଙ୍ଗି ପାରିବେ ନାହିଁ।
ଭାରତର ପୂର୍ବତନ ଖେଳାଳୀ ବିରେନ୍ଦ୍ର ସେହ୍ଵାଗଙ୍କ ମତରେ କୋହଲି ଏତେ ସବୁ ରେକର୍ଡ ଭାଙ୍ଗିବା ପରେ ଅଟକି ଯିବେ ନାହିଁ, ତାଙ୍କୁ ଆଗକୁ ଆହୁରି ଅନେକ ରେକର୍ଡ ଭାଙ୍ଗିବାର ଅଛି। ବିରାଟ କୋହଲି ସଚିନଙ୍କର ସମସ୍ତ ରେକର୍ଡକୁ ଭାଙ୍ଗିପାରିବେ କିନ୍ତୁ, ସଚିନଙ୍କର କେବଳ ଗୋଟିଏ ରେକର୍ଡକୁ ବିରାଟ ଭାଙ୍ଗି ପାରିବେ ନାହିଁ।
ଇଣ୍ଡିଆ ଟୁଡେକୁ ଦେଇଥିବା ସାକ୍ଷାତକାରରେ ବିରେନ୍ଦ୍ର ସେହ୍ଵାଗ କହିଛନ୍ତି, “ସମସ୍ତଙ୍କୁ ଲାଗୁଛି ଯେ ବିରାଟ ବ୍ୟାଟ୍ସମ୍ୟାନଙ୍କର ସମସ୍ତ ରେକର୍ଡ ଭାଙ୍ଗିପାରିବେ। କିନ୍ତୁ ସଚିନ ତେନ୍ଦୁଲକରଙ୍କର 200 ଟେଷ୍ଟ ମ୍ୟାଚ ଖେଳିବାର ରେକର୍ଡ ଭାଙ୍ଗିବା ସମ୍ଭବ ନୁହେଁ। ଏହି ରେକର୍ଡ ଭାଙ୍ଗିବା ପାଇଁ କୋହଲିଙ୍କୁ ଆହୁରି 24ବର୍ଷ କ୍ରିକେଟ ଖେଳିବାକୁ ପଡିବ।“ ସଚିନ ତେନ୍ଦୁଲକର ନିଜ କ୍ୟାରିୟର ମଧ୍ୟରେ 200 ଟେଷ୍ଟମ୍ୟାଚ ଖେଳି15921 ରନ ସଂଗ୍ରହ କରିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସବୁଠାରୁ ଭଲ କଥା ହେଉଛି କୋହଲିଙ୍କୁ ସବୁଠାରୁ ଭଲ ବୋଲରଙ୍କ ସାମ୍ନା କରିବାକୁ ପଡିନାହିଁ। ସବୁ ଖେଳାଳୀଙ୍କ ଜୀବନରେ ଭଲ ଓ ଖରାପ ସମୟ ଲାଗି ରହିଥାଏ, କିନ୍ତୁ ବିରାଟ କୋହଲିଙ୍କ ଜୀବନରେ ସେମିତି କିଛି ହୋଇନାହିଁ। କୋହଲିଙ୍କର ସବୁଠାରୁ ଖାସ କଥା ହେଉଛି ସେ ଲଗାତର ରନ ସଂଗ୍ରହ କରୁଛନ୍ତି।

ଅନ୍ୟପଟେ ବିରାଟ ଓ ସଚିନଙ୍କୁ ତୁଳନାକୁ ନେଇ ସଚିନ କହିଛନ୍ତି, “ମୁଁ ତୁଳନା କରିବାରେ ବିଶ୍ଵାସ କରେନାହିଁ। ଜଣେ ଖେଳାଳୀ ଭାବରେ ବିରାଟ ଖୁବ ଦ୍ରୁତ ଗତିରେ ବିକାଶ କରିଛନ୍ତି। ମତେ ସବୁବେଳେ ଲାଗୁଥିଲା ଯେ ତାଙ୍କ ମଧ୍ୟରେ କିଛି ଭଲ କରିବାର ଶକ୍ତି ରହିଛି ଓ ଦୁନିଆର ସବୁଠାରୁ ଶୀର୍ଷ ଖେଳାଳୀଙ୍କ ମଧ୍ୟରେ ସେ ସ୍ଥାନ ପାଇବେ।“
ବିରାଟ କୋହଲି ବର୍ତ୍ତମାନ ପର୍ଯ୍ୟନ୍ତ 73ଟି ଟେଷ୍ଟ ମ୍ୟାଚରେ 6331 ରନ ସଂଗ୍ରହ କରିଛନ୍ତି। ସେହିପରି 216ଟି ୱାନ-ଡେ ମ୍ୟାଚ ଖେଳି 10232 ରନ ସଂଗ୍ରହ କରିଥିବା ବେଳେ 62ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳି 2,102 ରନ ସଂଗ୍ରହ କରିଛନ୍ତି। କିଛିଦିନ ପୂର୍ବରୁ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ବିରାଟ ସଚିନଙ୍କ ୱାନ-ଡେ ଦଶ ହଜାର ରନର ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ସଚିନ 259ଟି ଇନିଙ୍ଗ୍ସରେ ଦଶ ହଜାର ରନ ସଂଗ୍ରହ କରିଥିବା ବେଳେ କୋହଲି ମାତ୍ର 205 ଇନିଙ୍ଗ୍ସରେ ଏହି ରେକର୍ଡ କରିଛନ୍ତି।