- padmabati kund
ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ : ‘ମିଶନ ମଙ୍ଗଳ’

(ବେତାର ବ୍ୟୁରୋ) ବଲିଉଡର ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର ଲଗାତର ଭାବରେ ତିନିବର୍ଷ ହେବ ସ୍ଵତନ୍ତ୍ରତା ଦିବସ ଅବସରରେ ବକ୍ସ ଅଫିସରେ ନିଜ ଜାଦୁ ଦେଖାଇ ଆସୁଛନ୍ତି। ଚଳିତ ବର୍ଷ ସ୍ଵତନ୍ତ୍ରତା ଦିବସ ଅବସରରେ ଅକ୍ଷୟ କୁମାରଙ୍କ ଅଭିନୀତ ‘ଗୋଲ୍ଡ’ ରିଲିଜ ହୋଇଥିଲା। ଦର୍ଶକମାନେ ଏହି ଫିଲ୍ମକୁ ଖୁବ ପସନ୍ଦ କରିଥିଲେ ଓ ସ୍ଵତନ୍ତ୍ରତା ଦିବସ ଉପଲକ୍ଷେ ଏହି ଫିଲ୍ମ ବକ୍ସ ଅଫିସରେ ମଧ୍ୟ ଭଲ ରୋଜଗାର କରିଥିଲା। ତେବେ ଆସନ୍ତା ବର୍ଷ ମଧ୍ୟ ସ୍ଵତନ୍ତ୍ରତା ଦିବସରେ ଅକ୍ଷୟ ନିଜ ଅଭିନୟର ଜାଦୁ ଦେଖାଇବାକୁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି।
ମଙ୍ଗଳବାର ଦିନ ଅକ୍ଷୟ ସୋସିଆଲ ମିଡିଆରେ ନିଜର ଆଗାମୀ ଫିଲ୍ମ ବିଷୟରେ ସୂଚନା ଦେଇଛନ୍ତି ଓ ଏହି ଫିଲ୍ମ ୨୦୧୯ ମସିହା ଅଗଷ୍ଟ ୧୫ରେ ରିଲିଜ ହେବ ବୋଲି ମଧ୍ୟ କହିଛନ୍ତି। ଅକ୍ଷୟ ନିଜ ଟ୍ଵିଟର ଆକାଉଣ୍ଟରେ ଏହି ଫିଲ୍ମ ବିଷୟରେ ଲେଖିଛନ୍ତି, “ସାଧାରଣ ଲୋକଙ୍କର ଅସାଧାରଣ ସ୍ଵପ୍ନକୁ ନେଇ ଏକ ସତ କାହାଣୀ, ଅସମ୍ଭବକୁ ସମ୍ଭବ କରିବା ଦିଗରେ ଏକ ଅଭିଯାନ। ‘ମିଶନ ମଙ୍ଗଳ’ ଅଗଷ୍ଟ ମାସ ୧୫ ତାରିଖ ୨୦୧୯ରେ ଲାଇଭ ହେବ, ଆପଣଙ୍କ ସହ ଥିଏଟରରେ ଦେଖା ହେବ।“
ଏହା ପୂର୍ବରୁ ନଭେମ୍ବର ୫ ତାରିଖରେ ଅକ୍ଷୟ ଟ୍ଵିଟ କରି ଫିଲ୍ମରେ ଅଭିନୟ କରୁଥିବା କଳାକାର ବିଷୟରେ ସୂଚନା ଦେଇଥିଲେ। ଫିଲ୍ମରେ ଅକ୍ଷୟଙ୍କ ସହିତ ସୋନାକ୍ଷୀ ସିହ୍ନା, ବିଦ୍ୟା ବାଲାନ, ତାପସୀ ପାନ୍ନୁ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହା ବ୍ୟତୀତ ଶର୍ମନ ଯୋଶୀ, କୀର୍ତି କୁଲହାରି ଓ ନିତ୍ୟା ମେନନ ଅଭିନୟ କରିଛନ୍ତି। ନିତ୍ୟା ମେନନ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରନ୍ତି। ଏହି ଫିଲ୍ମ ମାଧ୍ୟମରେ ସେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି।
ପୁଣି ହେବ ଜନ ଆବ୍ରାହମଙ୍କ ସହ ଲଢେଇ
ଆସନ୍ତା ବର୍ଷ ପୁଣି ବକ୍ସ ଅଫିସରେ ଜନ ଆବ୍ରାହାମ ଓ ଅକ୍ଷୟ କୁମାରଙ୍କ ଲଢେଇ ଦେଖିବାକୁ ମିଳିବ। ଅକ୍ଷୟ କୁମାରଙ୍କ ‘ମିଶନ ମଙ୍ଗଳ’ଆସନ୍ତା ବର୍ଷ ଅଗଷ୍ଟ ୧୫ ଦିନ ରିଲିଜ ହେବ ବୋଲି ଘୋଷଣା କରାଯାଇଛି ଓ ସେହିଦିନ ଜନଙ୍କ ଅଭିନୀତ ‘ବାଟଲା ହାଉସ’ ମଧ୍ୟ ରିଲିଜ କରାଯିବ। ଏହାପୂର୍ବରୁ ୨୦୧୯ ମସିହା ମାର୍ଚ ମାସରେ ମଧ୍ୟ ଦୁହେଁ ଆମ୍ନାସାମ୍ନା ହୋଇପାରନ୍ତି। ଅକ୍ଷୟ କୁମାରଙ୍କ ଫିଲ୍ମ ‘କେଶରୀ’ ମାର୍ଚ ୨୧ ତାରିଖରେ ରିଲିଜ ହେବାକୁ ଥିବା ବେଳେ, ଜନଙ୍କ ଅଭିନୀତ ‘RAW ରୋମିଓ ଆକବର ୱାଲ୍ଟର’ ମଧ୍ୟ ମାର୍ଚ ମାସ ୧୫ ତାରିଖରେ ରିଲିଜ ହୋଇପାରେ ବୋଲି ସୂଚନା ମିଳିଛି। ଏହାପୂର୍ବରୁ ଚଳିତ ବର୍ଷ ସ୍ଵତନ୍ତ୍ରତା ଦିବସରେ ଅକ୍ଷୟଙ୍କ ‘ଗୋଲ୍ଡ’ ଓ
ଜନଙ୍କ ‘ସତ୍ୟମେବ ଜୟତେ’ ରିଲିଜ ହୋଇଥିଲା।
ଘୁଞ୍ଚିଲା ‘ବ୍ରହ୍ମାସ୍ତ୍ର’ର ରିଲିଜ ତାରିଖ
ଟ୍ଵିଟରରେ ଅକ୍ଷୟ କୁମାର ‘ମିଶନ ମଙ୍ଗଲ’ର ରିଲିଜ ତାରିଖ ଘୋଷଣା କରିବା ପରେ କରନ ଜୋହରଙ୍କ ଧର୍ମା ପ୍ରଡ଼କ୍ସନର ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ରିଲିଜ ତାରିଖ ୨୦୧୯ ଖ୍ରୀଷ୍ଟମାସ ବେଳକୁ ଘୁଞ୍ଚାଇ ଦିଆଯାଇଛି। କରନ ଜୋହର ନିଜ ଟ୍ଵିଟର ଆକାଉଣ୍ଟରେ ଟ୍ଵିଟ କରି ଏହି ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଫିଲ୍ମ ସ୍ଵତନ୍ତ୍ରତା ଦିବସ ଉପଲକ୍ଷେ ରିଲିଜ ହେବାର ଯୋଜନା ଥିଲା। ଆୟନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ‘ବ୍ରହ୍ମାସ୍ତ୍ର’ରେ ରଣବୀର କପୁର, ଆଲିୟା ଭଟ୍ଟ ଓ ଅମିତାଭ ବଚ୍ଚନ ଅଭିନୟ କରିଛନ୍ତି।