• padmabati kund

ଶ୍ରୀମନ୍ଦିରରେ ବଦଳିବ ଚଳନ୍ତି ପ୍ରତିମା ମୂର୍ତ୍ତି, ମାର୍ଗଶିରରୁ ଲାଗିବ ଅବଢା ରେଟ୍ ଚାର୍ଟ


(ବେତାର ବ୍ୟୁରୋ) ଶ୍ରୀମନ୍ଦିରରେ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ସଂସ୍କାରକୁ ନେଇ ମଙ୍ଗଳବାର ଦିନ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଆଲୋଚନା କରାଯାଇଛି। ଏହି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିରରେ ପୂଜା ହେଉଥିବା ଚଳନ୍ତି ପ୍ରତିମାକୁ ବଦଳାଯାଇ ନୂଆ ପ୍ରତିମା ସ୍ଥାପନା କରାଯିବ ଓ କାର୍ତ୍ତିକ ମାସ ପରେ ଆନନ୍ଦବଜାରରେ ରେଟ ଚାର୍ଟ ଲଗାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ଶ୍ରୀମନ୍ଦିରର ଚଳନ୍ତି ପ୍ରତିମାକୁ ବଦଳାଯିବାକୁ ନେଇ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, “ ଶ୍ରୀମନ୍ଦିରର ଚାରିଟି ପ୍ରତିମା ଧୀରେ ଧୀରେ ନଷ୍ଟ ହୋଇଆସୁଛି। ଏହା ବହୁତ ପୁରୁଣା ହୋଇଥିବାରୁ ନଷ୍ଟ ହେବାରେ ଲାଗିଛି । ପୁଷ୍ପାଳକ ଓ ସିଂହାରୀ ସେବାୟତଙ୍କ ପ୍ରସ୍ତାବ ଅନୁସାରେ ଶ୍ରୀମନ୍ଦିରରେ ନଷ୍ଟ ହୋଇ ଆସୁଥିବା ମା’ ଲକ୍ଷ୍ମୀ, ନାରାୟଣ, ମଦନ ମୋହନ ଓ ବାମନ ପ୍ରତିମାଙ୍କୁ ବଦଳାଯାଇ ନୂଆ ପ୍ରତିମା ସ୍ଥାପନା କରାଯିବ।“

ମାର୍ଗଶିରରୁ ଅବଢା ରେଟ ଚାର୍ଟ

ଏହାସହିତ ଶ୍ରୀମନ୍ଦିରର ଆନନ୍ଦ ବଜାରରେ ଅବଢା ଦର ତାଲିକାକୁ ନେଇ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଛି। ତେବେ ଏହି ବୈଠକରେ ନିଷ୍ପତ୍ତି ହୋଇଛି ଯେ, କାର୍ତ୍ତିକ ମାସ ସରିବା ପରେ ଅନ୍ନ ମହାପ୍ରସାଦ ପ୍ରସ୍ତୁତ ଲାଗି କେତେ ଖର୍ଚ୍ଚ ହେଉଛି ତାହା ତର୍ଜମା କରାଯିବ। ଏହାପରେ ଦର ନିର୍ଦ୍ଧାରଣ କରାଯାଇ ଆନନ୍ଦବଜାରରେ ଦର ତାଲିକା ଲଗାଯିବ।

ଧାଡି ଦର୍ଶନ ବ୍ୟବସ୍ଥା ନାହିଁ

ଏହା ସହିତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, କାର୍ତ୍ତିକ ମାସ ଆରମ୍ଭରୁ ପାଖାପାଖି ୨୧ ଦିନ ହେବ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା ବନ୍ଦ ରହିଛି। ଶ୍ରୀମନ୍ଦିର ଧାଡି ଦର୍ଶନକୁ ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଖଣ୍ଡନ କରିଛନ୍ତି । ସେ ସ୍ପଷ୍ଟ କରି କହିଛନ୍ତି, “ବର୍ତ୍ତମାନ ଶ୍ରୀମନ୍ଦିରରେ କୌଣସି ଧାଡି ଦର୍ଶନ ବ୍ୟବସ୍ଥା ଚାଲୁନାହିଁ। ଭକ୍ତମାନେ ତିନୋଟି ଦ୍ଵାର ଦେଇ ପ୍ରବେଶ କରିପାରିବେ ଓ ସିଂହଦ୍ଵାର ଦେଇ ପ୍ରସ୍ଥାନ କରିପାରିବେ।“କାର୍ତ୍ତିକ ମାସ ପାଇଁ ହବିଷ୍ୟାଳୀମାନେ ମନ୍ଦିରର ଚାରି ଦ୍ୱାରରେ ଯାଇପାରିବେ । ଆସନ୍ତା ପଞ୍ଚୁକରେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।

ଉଲ୍ଲେଖ ଥାଉ କି, ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଶ୍ରୀମନ୍ଦିର ପ୍ରଶାସନ ଭକ୍ତଙ୍କ ପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରିଛନ୍ତି। କିନ୍ତୁ ଆରମ୍ଭରୁ ସେବାୟତ, ବିଭିନ୍ନ ସଂଗଠନ ଏହାକୁ ଦୃଢ଼ ବିରୋଧ କରି ଆସୁଛନ୍ତି। ଏହାକୁ ନେଇ ନିକଟରେ ପୁରୀରେ ଭୟଙ୍କର ହିଂସାକାଣ୍ଡ ମଧ୍ୟ ଘଟିଥିଲା। ତଥାପି ଶ୍ରୀମନ୍ଦିର ପ୍ରଶାସନ ଏହାକୁ ଶୃଙ୍ଖଳିତ କରି ପାରୁନଥିବାରୁ ଦିନକୁ ଦିନ ଦର୍ଶନ ବ୍ୟବସ୍ଥା ବିଗିଡ଼ିବାରେ ଲାଗିଛି। କାର୍ତ୍ତିକ ମାସ ଚାଲି ଥିବାରୁ ପ୍ରତିଦିନ ପୁରୀରେ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତଙ୍କ ସମାଗମ ହେଉଛି। ଏପରି ସ୍ଥଳେ ଅନେକ ଅପ୍ରିତୀକର ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି। ସେହି ଦୃଷ୍ଟିରୁ କୌଣସି ଧାଡି ଦର୍ଶନ ବ୍ୟବସ୍ଥା ନ କରିବାକୁ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି ।

#jagannathtemple #shreemandira #religion #puri

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon