- ବେତାର ବ୍ୟୁରୋ
ଶ୍ରୀମନ୍ଦିର ଭିତରକୁ ପୁଲିସ, ସେବାୟତଙ୍କୁ ସ୍ମାର୍ଟ ଫୋନ ମନା

(ବେତାର ବ୍ୟୁରୋ) ଶ୍ରୀମନ୍ଦିରର ଭିତର ଫଟୋ ବାରମ୍ବାର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମୋବାଇଲ କଟକଣାକୁ କଡ଼ାକଡ଼ି କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଛି।ଏନେଇ କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ଓ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ମଙ୍ଗଳବାର ଦିନଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିର ଫଟୋ ବାରମ୍ବାର ଭାଇରାଲ ହେବା ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପରେ ମନ୍ଦିର ପ୍ରଶାସନ ଉଭୟ ସେବାୟତ, ପୁଲିସ ଓ ଭକ୍ତଙ୍କ କ୍ଷେତ୍ରରେ ମୋବାଇଲ୍ ବ୍ୟବହାର ସଂପୂର୍ଣ୍ଣ ବନ୍ଦ ପାଇଁ ବିଚାରବିମର୍ଶ ଚଳାଇଛି।
କେଉଁମାନେ ଶ୍ରୀମନ୍ଦିରକୁ ମୋବାଇଲ ନେବେ ଓ କେଉଁମାନେ ନେବେ ନାହିଁ, ଏହାକୁ ନେଇ ବିଚାର ଚାଲିଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି। ତାଙ୍କ ସୂଚନା ଅନୁସାରେ, ଆଗକୁ କ୍ୟାମେରା ନଥିବା ମୋବାଇଲ୍ ଫୋନ୍ ବ୍ୟବହାର ଉପରେ ବିଚାର ଚାଲିଛି। ଯେହେତୁ ଅଧିକାଂଶ କମ୍ପାନି ବିନା କ୍ୟାମେରା ମୋବାଇଲ୍ ବନ୍ଦ କରି ସାରିଲେଣି, ଏପରି ପରିସ୍ଥିତିରେ ବିନା କ୍ୟାମେରାବାଲା ମୋବାଇଲ୍ ବ୍ୟବହାର ନିୟମ ଲାଗୁ କରିବା କଷ୍ଟସାଧ୍ୟ ବ୍ୟାପାର ଅଟେ।

ଏହାବ୍ୟତୀତ ଶ୍ରୀ ମହାପାତ୍ର କହିଛନ୍ତି ଯେ, ସାଧାରଣତଃ ଯେଉଁ ଗୁମାସ୍ତାମାନେ ଶ୍ରୀମନ୍ଦିରକୁ ଯାଉଛନ୍ତି, ଫଟୋ ଭାଇରାଲ ପଛରେ ସେମାନଙ୍କ ହାତ ରହୁଛି। ଏମାନେ ଯାତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ମୋବାଇଲରେ ଫଟୋ ଉଠାଇ ଏହାକୁ ସୋସିଆଲ୍ ମିଡ଼ିଆରେ ଛାଡ଼ୁଛନ୍ତି। ମୋବାଇଲ ପ୍ରବେଶ ଉପରେ ନିୟମ କଡ଼ାକଡ଼ି କରିବା ପାଇଁ ଏସପିଙ୍କୁ ଦୃଷ୍ଟି ଦେବାକୁ କୁହାଯାଇଛି। ପ୍ରବେଶ ଦ୍ଵାର ଦେଇ ଯାଉଥିବା ଭକ୍ତ ଓ ଅନ୍ୟମାନେ ଯେପରି ମୋବାଇଲ୍ ଶ୍ରୀମନ୍ଦିରକୁ ନେଇ ପାରିବେନି ତା’ ଉପରେ ଗୁରୁତ୍ଵ ଦିଆଯାଇଛି।
ଆନନ୍ଦବଜାରରୁ ତଡା ଖାଇବେ ଅଣସ୍ଵୀକୃତୀ ବିକ୍ରେତା
ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ପାଇଁ ସୁଆର ମହାସୁଆର ନିଯୋଗ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯାଇଛି ଯେ, ଆନନ୍ଦ ବଜାରରେ ଅବଢ଼ା ବିକ୍ରି ପାଇଁ ସ୍ଵୀକୃତିପ୍ରାପ୍ତ ବିକ୍ରେତା ଓ ସହଯୋଗୀଙ୍କ ତାଲିକା ପ୍ରସ୍ତୁତ ହେବ। ଅଣସ୍ଵୀକୃତ ବିକ୍ରେତା ଅବଢ଼ା ବିକ୍ରି କରୁଥିବା ଧରାପଡ଼ିଲେ ତଡ଼ା ଖାଇବେ ଓ ଶ୍ରୀମନ୍ଦିର ପ୍ରଶାସନ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ବୈଠକରେ ବିସ୍ତୃତ ଆଲୋଚନା ପରେ ଆନନ୍ଦ ବଜାରରେ ୪୮ ପିଣ୍ଡି କରି ସେଠାରେ ଅବଢ଼ା ବିକ୍ରି କରିବାକୁ ନିଷ୍ପତ୍ତି ହୋଇଛି। ତେବେ କିଏ କେଉଁ ପିଣ୍ଡିରେ ବସିବ, ତାର ଦାୟିତ୍ଵ ସୁଆର ମହାସୁଆର ନିଯୋଗ ଉପରେ ନ୍ୟସ୍ତ କରାଯାଇଛି। ସୁଆର ମହାସୁଆର ନିଯୋଗ ଦୈନିକ ଏହି ତାଲିକା ଶ୍ରୀମନ୍ଦିର ପ୍ରଶାସନକୁ ଦେବ। ସେହି ଅନୁଯାୟୀ ବିକ୍ରେତାମାନେ ପିଣ୍ଡିରେ ବସି ଅବଢ଼ା ବିକ୍ରି କରିବେ।କ୍ରେତାମାନଙ୍କର ଯଦି କିଛି ଅଭିଯୋଗ ଥାଏ ସେମାନେ ଆନନ୍ଦ ବଜାରସ୍ଥିତ ଅଭିଯୋଗ କେନ୍ଦ୍ରରେ ଅଭିଯୋଗ କରିପାରିବେ।
ଅଧିକାଂଶ ସମୟରେ ଆନନ୍ଦ ବଜାରରେ ବେଆଇନ ଭାବେ ଅବଢ଼ା ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ଏଥିରେ ରୋକ ଲଗାଇବା ପାଇଁ ବିକ୍ରେତା ଓ ସେମାନଙ୍କ ସହଯୋଗୀ ତାଲିକା ପ୍ରସ୍ତୁତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଏମାନଙ୍କ ବ୍ୟତୀତ ଅନ୍ୟ କେହି ଅବଢ଼ା ବିକ୍ରି କରୁଥିବା ଦେଖିବାକୁ ମିଳିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଏହାସହିତ କାର୍ତ୍ତିକ ମାସ ପରେ ଆନନ୍ଦ ବଜାରରେ ଅବଢା ଦର ତାଲିକା ଲଗାଯିବ ବୋଲି ସ୍ଥିର ହୋଇଛି।