- ବେତାର ବ୍ୟୁରୋ
ବାସ୍ତୁଶାସ୍ତ୍ର ଅନୁଯାୟୀ କେଉଁଦିନ କେଉଁ ରଙ୍ଗର ପୋଷାକ ପିନ୍ଧିବା ଭଲ ଜାଣନ୍ତୁ

(ବେତାର ବ୍ୟୁରୋ) ବାସ୍ତୁଶାସ୍ତ୍ରରେ ଯେପରି ସମସ୍ତ ଦିଗ ମାନଙ୍କର ମହତ୍ଵ ରହିଛି ସେହିପରି ଭାବରେ ରଙ୍ଗ ଗୁଡିକର ମଧ୍ୟ ବିଶେଷ ମହତ୍ୱ ରହିଛି। ଭିନ୍ନ ଭିନ୍ନ ରଙ୍ଗ ଗୁଡିକ ମଣିଷର ଭାବନାକୁ ଦର୍ଶାଇଥାଏ। ଏହାଦ୍ୱାରା ମଣିଷର ବ୍ୟକ୍ତିତ୍ଵ ବିଷୟରେ ମଧ୍ୟ ଜଣାପଡିଥାଏ। ଏହାବ୍ୟତୀତ ରଙ୍ଗ ମଧ୍ୟ ମଣିଷର ଭାଗ୍ୟ ନିର୍ଦ୍ଧାରଣ କରିଥାଏ। ଏଥିପାଇଁ କୌଣସି ଜରୁରୀ କାମରେ ବାହାରୁଥିବା ବେଳେ ସେହିଦିନ ଅନୁଯାୟୀ ଉପଯୁକ୍ତ ରଙ୍ଗର ପୋଷାକ ପିନ୍ଧିଲେ ଭାଗ୍ୟ ଆପଣଙ୍କ ସହିତ ରହିଥାଏ।
ତେବେ କେଉଁ ଦିନ କେଉଁ ରଙ୍ଗର ପୋଷାକ ପିନ୍ଧିବାକୁ ନେଇ ବାସ୍ତୁଶାସ୍ତ୍ରରେ କଣ ନିୟମ ରହିଛି ଜାଣିରଖନ୍ତୁ।
ସୋମବାର : ଏହିଦିନକୁ ଭଗବାନ ଶିବଙ୍କର ବାର ବୋଲି କୁହାଯାଇଥାଏ। ତେଣୁ ବାସ୍ତୁଶାସ୍ତ୍ର ଅନୁସାରେ ଏହିଦିନ ଧଳା ରଙ୍ଗର କପଡା ପିନ୍ଧିବା ଉଚିତ। ଏହାଦ୍ୱାରା ସମସ୍ତ ସମସ୍ୟା ଦୂର ହେବା ସହିତ କାର୍ଯ୍ୟ ପୂରଣ ହୋଇଥାଏ।

ମଙ୍ଗଳବାର : ଏହିଦିନକୁ ବଜରଙ୍ଗବାଲି ହନୁମାନଙ୍କ ଦିନ ବୋଲି କୁହାଯାଏ। ତେଣୁ ଏହିଦିନ ଗାଢପୀତ ରଙ୍ଗର ପୋଷାକ ପିନ୍ଧିବା ଉଚିତ। ଏହି ରଙ୍ଗର ପୋଷାକ ପିନ୍ଧିବା ଦ୍ଵାରା ଶୁଭଫଳ ପ୍ରାପ୍ତି ହେବା ସହିତ ସବୁ କାର୍ଯ୍ୟ ସିଦ୍ଧି ହୋଇଥାଏ।
ବୁଧବାର : ଏହିଦିନ ଭଗବାନ ଗଣେଶଙ୍କୁ ସମର୍ପିତ ହୋଇଥାଏ। ଭଗବାନ ଗଣେଶଙ୍କୁ ଦୁବଘାସ ଅତ୍ୟନ୍ତ ପ୍ରିୟା ହୋଇଥାଏ। ଏଥିପାଇଁ ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ, ଏହି ଦିନ ସବୁଜ ରଙ୍ଗର ପୋଷାକ ପିନ୍ଧିବା ଆବଶ୍ୟକ।
ଗୁରୁବାର: ଏହିଦିନ ଭଗବାନ ବିଷ୍ଣୁ ଓ ବୃହସ୍ପତି ଦେବଙ୍କର ହୋଇଥାଏ। ବୃହସ୍ପତିଙ୍କୁ ହଳଦିଆ ରଙ୍ଗର ଗ୍ରହ ବୋଲି କୁହାଯାଇଥାଏ, ତେଣୁ ଏହିଦିନ ହଳଦିଆ ରଙ୍ଗର ପୋଷାକ ପିନ୍ଧିଲେ ଶୁଭଫଳ ମିଳିଥାଏ।

ଶୁକ୍ରବାର : ଏହିଦିନ ସନ୍ତୋଷୀ ମାତାଙ୍କର ହୋଇଥାଏ। ଦେବୀ ମା’ଙ୍କୁ ଲାଲ ରଙ୍ଗ ପସନ୍ଦ ହୋଇଥାଏ। ତେଣୁ ଏହିଦିନ ଲାଲ ରଙ୍ଗର ପୋଷାକ ପିନ୍ଧିବା ଦ୍ଵାରା ଶୁଭଫଳ ମିଳିଥାଏ ଓ ମନୋକାମନା ପୂରଣ ହୋଇଥାଏ।
ଶନିବାର: ଏହି ଦିନ ଭଗବାନ ଶନି ଦେବଙ୍କର ହୋଇଥାଏ। ତେଣୁ ଏହିଦିନ କଳା ରଙ୍ଗର ପୋଷାକ ପିନ୍ଧିବା ଉଚିତ। ଯେଉଁ କାର୍ଯ୍ୟରେ ବାହାରକୁ ଯାଉଛି ସେଥିରେ ସଫଳତା ମିଳିଥାଏ।
ରବିବାର: ଏହିଦିନକୁ ସୂର୍ଯ୍ୟଦେବଙ୍କର ଦିନ ବୋଲି କୁହାଯାଇଥାଏ। ଏହିଦିନ କିଛି ସୁନାର ରଙ୍ଗର କିମ୍ବା କିଛି ଉଜ୍ଜ୍ଵଳ ରଙ୍ଗର ପୋଷାକ ପିନ୍ଧିବା ଉଚିତ। ଏହାଦ୍ୱାରା ଆପଣଙ୍କ ପାଇଁ ଦିନଟି ବହୁତ ଭଲ ହୋଇଥାଏ।
(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ )