- padmabati kund
ବିରାଟ ଓ ରୋହିତଙ୍କ ରେକର୍ଡ ଭାଙ୍ଗିଲେ ମହିଳା କ୍ରିକେଟ ଖେଳାଳୀ ମିତାଲୀ ରାଜ

(ବେତାର ବ୍ୟୁରୋ) ଭାରତୀୟ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମିତାଲି ରାଜଙ୍କୁ ଅଦ୍ଭୂତପୂର୍ବ ସଫଳତା ମିଳିଛି। ୱେଷ୍ଟଇଣ୍ଡିଜରେ ଚାଲିଥିବା ମହିଳା କ୍ରିକେଟ ୱାର୍ଲ୍ଡକପରେ ଗୁରୁବାର ଖେଲାଯାଇଥିବା ଆୟାରଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ମିତାଲି ରାଜ ଅର୍ଦ୍ଧଶତକ ହାସଲ କରିବା ସହିତ ଭାରତୀୟ ଦଳକୁ ଟୁର୍ଣ୍ଣାମେଣ୍ଟରେ ସେମିଫାଇନାଲରେ ପହଞ୍ଚାଇଛନ୍ତି। ଏହାପୂର୍ବରୁ ପାକିସ୍ଥାନ ବିପକ୍ଷରେ ଖେଳିଥିବା ମ୍ୟାଚରେ ମଧ୍ୟ ସେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହାସହିତ ଆନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ମ୍ୟାଚରେ ସବୁଠାରୁ ଅଧିକ ରନ ସଂଗ୍ରହ କରିଥିବା ଭାରତୀୟ ଖେଳାଳୀମାନଙ୍କ ମଧ୍ୟରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି।
ମିତାଲି ରାଜ ଏହି ଉପଲବ୍ଧି ପାଇବା ପରେ ଇଣ୍ଟରନାସିନାଲ କ୍ରିକେଟ କାଉନସିଲ ତରଫରୁ ଏକ ଟ୍ଵିଟ କରାଯାଇ ତାଙ୍କୁ ଅଭିନନ୍ଦନ ଜଣାଯାଇଛି। ମିତାଲି ରାଜ 86ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳି ମୋଟ 2283ରନ ସଂଗ୍ରହ କରିଛନ୍ତି ଓ ଏହି ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି। ତାଲିକାରେ ଦ୍ଵିତୀୟ ସ୍ଥାନରେ ପୁରୁଷ କ୍ରିକେଟ ଦଳର ହିଟମ୍ୟାନ ରୋହିତ ଶର୍ମା ରହିଛନ୍ତି। ରୋହିତ ଶର୍ମା 87ଟି ମ୍ୟାଚ ଖେଳି ମୋଟ 2207ରନ ସଂଗ୍ରହ କରିଛନ୍ତି।
ଏହି ତାଲିକାରେ ତୃତୀୟ ସ୍ଥାନରେ ଭାରତୀୟ ପୁରୁଷ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ରହିଛନ୍ତି। କୋହଲି ବର୍ତ୍ତମାନ ପର୍ଯ୍ୟନ୍ତ 62ଟି ଟି-ଟ୍ୱେଣ୍ଟି ଇନିଙ୍ଗ୍ସ ଖେଳିଛନ୍ତି ଓ 2102ରନ ସଂଗ୍ରହ କରିଛନ୍ତି। ଚତୁର୍ଥ ସ୍ଥାନରେ 1827ରନ ସହିତ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର, ପଞ୍ଚମ ସ୍ଥାନରେ 1605ରନ ସହିତ ସୁରେଶ ରାଇନା ଓ ଷଷ୍ଠ ସ୍ଥାନରେ 1487ରନ ସହିତ ମହେନ୍ଦ୍ର ସିଂ ଧୋନୀ ରହିଛନ୍ତି।
ମହିଳା ଟି-ଟ୍ୱେଣ୍ଟି ତାଲିକାରେ ଚତୁର୍ଥ ସ୍ଥାନରେ

ମହିଳା ଟି-ଟ୍ୱେଣ୍ଟିରେ ସବୁଠାରୁ ଅଧିକ ରନ ସଂଗ୍ରହ କରିଥିବା ମହିଳା ଖେଳାଳୀଙ୍କ ମଧ୍ୟରେ ମିତାଲି ରାଜ ବର୍ତ୍ତମାନ ଚତୁର୍ଥ ସ୍ଥାନରେ ରହିଛନ୍ତି। ଏହାପୂର୍ବରୁ ଚତୁର୍ଥସ୍ଥାନରେ ଅଷ୍ଟ୍ରେଲିଆର ଖେଳାଳୀ ମେଘନ ଲେନିଙ୍ଗ ରହିଥିଲେ। ଏହି ତାଲିକାରେ ପ୍ରଥମ ସ୍ଥାନରେ ନ୍ୟୁଜଲାଣ୍ଡର ଖେଳାଳୀ ଏସ.ଡବ୍ଲ୍ୟୁ.ବେଟ୍ସ, ଦ୍ଵିତୀୟ ସ୍ଥାନରେ ୱେଷ୍ଟଇଣ୍ଡିଜର ଖେଳାଳୀ ଏସ.ଆର.ଟୟଲର ଓ ତୃତୀୟ ସ୍ଥାନରେ ଇଂଲଣ୍ଡର ଖେଳାଳୀ ସି.ଏମ.ଏଡୱାର୍ଡ୍ସ ଅଛନ୍ତି।
ମହିଳା ଆନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ ସବୁଠାରୁ ଅଧିକ ରନହାର
ମହିଳା ଆନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ ସବୁଠାରୁ ଅଧିକ ହାରରେ ରନ ସଂଗ୍ରହ କରିବାରେ ମିତାଲି ରାଜ ପ୍ରଥମ ସ୍ଥାନରେ ଅଛନ୍ତି। ସେ 37.42 ହାରରେ ରନ ସଂଗ୍ରହ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଭାରତୀୟ ପୁରୁଷ ଦଳର ରୋହିତ ଶର୍ମାଙ୍କ ଠାରୁ ଆଗରେ ରହିଛନ୍ତି। ଆନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ ରୋହିତ ଶର୍ମା 33.43 ହାରରେ ରନ ସଂଗ୍ରହ କରିଥାନ୍ତି।