• padmabati kund

ନଭେମ୍ବର 28ରେ କଟକ ଆସୁଛନ୍ତି ଏ.ଆର. ରେହମାନ


(ବେତାର ବ୍ୟୁରୋ) ରାଜଧାନୀ ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର 28 ତାରିଖରୁ ଡିସେମ୍ବର 16 ତାରିଖ ପର୍ଯ୍ୟନ୍ତ ପୁରୁଷ ହକି ବିଶ୍ଵକପ ଆୟୋଜନ ହେବ। ଏଥିପାଇଁ ବହୁ ଆଗରୁ ପ୍ରସ୍ତୁତି ମଧ୍ୟ ଚାଲିଛି। ତେବେ ନଭେମ୍ବର 28 ତାରିଖରେ ପ୍ରଥମ ମ୍ୟାଚ ଖେଳାଯିବା ପୂର୍ବରୁ କଟକରେ ଏକ ଉଦଘାଟନୀ ଉତ୍ସବ ଆୟୋଜନ ହେବ। ଦ୍ଵୈତନଗରରୀରେ ହକି ଫିଭରକୁ ଆହୁରି ଅଧିକ ବଢାଇବା ପାଇଁ କଟକ ସହରରେ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଏହି ଉତ୍ସବରେ ମୁଖ୍ୟ ଆକର୍ଷଣ ରହିବେ ଓସ୍କାର ପୁରଷ୍କାର ଜିତିଥିବା ସଙ୍ଗୀତ ନିର୍ଦ୍ଦେଶକ ଏ.ଆର.ରେହମାନ। ସେ ନିଜ ଟ୍ଵିଟର ଆକାଉଣ୍ଟରେ ପୋଷ୍ଟ କରି ଏହା ବିଷୟରେ ଜଣାଇଛନ୍ତି। ସେ ଟ୍ଵିଟ କରି ଲେଖିଛନ୍ତି, “ଏହା ଘୋଷଣା କରି ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛି ଯେ, ନଭେମ୍ବର 28 ତାରିଖରେ ହକି ବିଶ୍ଵକପ ପାଇଁ କଟକ ସହରରେ ପାଳନ ହେବାକୁ ଯାଉଥିବା ଉତ୍ସବରେ ଯୋଗ ଦେବାକୁ ଯାଉଛି।“

ରେହମାନ ଟ୍ଵିଟ କରି ଜଣାଇବା ପରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ଵିଟରରେ ତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ସେ ଟ୍ଵିଟ କରି ଲେଖିଛନ୍ତି, “କଟକ ସହରରେ ହକିର ପ୍ରଚାର,ଆପଣଙ୍କ ଭଲପାଇବା ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ। କଟକର ଅଧିବାସୀମାନେ ହକି ୱାର୍ଲ୍ଡକପର ସଙ୍ଗୀତ ଶୁଣିବା ପାଇଁ ସୁଯୋଗ ପାଇବେ, ଯାହାକୁ ସାରା ଦେଶ ଚାହିଁରହିଛି।“

ରେହମାନଙ୍କ ଏହି ଲାଇଭ କାର୍ଯ୍ୟକ୍ରମ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥାନ ନିରୂପଣ କରାଯାଇ ପାରିନାହିଁ। କଟକର ବାରବାଟୀ ଷ୍ଟାଡିୟମ କିମ୍ବା ଜବାହାରଲାଲ ନେହୁରୁ ଷ୍ଟାଡିୟମରେ ଏହା ଅନୁଷ୍ଠିତ ହୋଇପାରେ। କିନ୍ତୁ ରେହମାନଙ୍କ ଲୋକପ୍ରିୟତାକୁ ଦେଖିଲେ ଏହି ଉତ୍ସବରେ ଅଧିକ ଜନସମାବେଶ ହେବାର ଅନୁମାନ କରାଯାଉଥିବାରୁ ଏହା ବାରବାଟୀରେ ହୋଇପାରେ ବୋଲି ଅନୁମାନ କରାଯାଉଛି।

ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରେ ସନ୍ଧ୍ୟା 7ଟାରେ ହେବାକୁ ଥିବା ଭାରତ- ଦକ୍ଷିଣଆଫ୍ରିକା ମ୍ୟାଚର ସିଧାପ୍ରସାରଣ ଷ୍ଟାଡିୟମ ମଧ୍ୟରେ ଏଲଇଡି ମାଧ୍ୟମରେ କରାଯିବ। ଏହାକୁ ଉପସ୍ଥିତ ଦର୍ଶକମାନେ ଦେଖିପାରିବେ। ଏହି କାର୍ଯ୍ୟକ୍ରମ ପାଇଁ ଟିକଟ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହା କେବଳ ଅନଲାଇନରେ ଉପଲବ୍ଧ ହେବ। ଗ୍ୟାଲେରୀ ଟିକଟର ମୂଲ୍ୟ ଟ.100 ଥିବା ବେଳେ ପାଭିଲିଅନ ଟିକଟର ମୂଲ୍ୟ ଟ.500 ରହିଛି।

କଟକ ଷ୍ଟାଡିୟମରେ 35ହଜାର ଦର୍ଶକ ବସିବାର ବ୍ୟବସ୍ଥା ରହିଛି। ଏହାଛଡା ହର୍ସଗେଟ ଦେଇ ପାଞ୍ଚ ହଜାର ଭିଆଇପି ଦର୍ଶକଙ୍କୁ ପଡିଆ ମଧ୍ୟରେ ବସିବାର ବ୍ୟବସ୍ଥା କରାଯିବ। ଅନ୍ୟପଟେ ନଭେମ୍ବର 28 ତାରିଖରୁ କଟକରେ ପ୍ରସିଦ୍ଧ ବାଲିଯାତ୍ରା ଆରମ୍ଭ ହେଉଥିବାରୁ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ କରିବାକୁ ଅସୁବିଧା ହୋଇପାରେ ବୋଲି ଅନୁମାନ କରାଯାଉଛି। ତେବେ ଏହାକୁ ସୁନିୟନ୍ତ୍ରିତ କରିବା ପାଇଁ କମିଶନରେଟ ପୋଲିସ ଅଣ୍ଟାଭିଡିଛି।

#odishahockeymensworldcup #ARrehman

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon