- padmabati kund
ଅଷ୍ଟ୍ରେଲିଆରେ ବିରାଟଙ୍କୁ ଶାନ୍ତ ବ୍ୟବହାର ପାଇଁ ନିର୍ଦ୍ଦେଶ ଦିଆଯାଇନାହିଁ : ବିସିସିଆଇ

(ବେତାର ବ୍ୟୁରୋ) ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଆକ୍ରମଣାତ୍ମକ ସ୍ଵଭାବ କାହାକୁ ବି ଅଛପା ନାହିଁ। ବିରାଟଙ୍କ ଉପରେ ଯଦି କେହି କିଛି ଟିପ୍ପଣୀ ଦିଅନ୍ତି ବା କିଛି କୁହନ୍ତି, ତେବେ ବିରାଟ ଏହାର ଜବାବ ନିଶ୍ଚିନ୍ତ ଭାବରେ ଦିଅନ୍ତି। ବିରାଟ ନିଜର ଏହି ଗୁଣ ପାଇଁ ଅନେକ ଥର ବିବାଦରେ ଫଶିଛନ୍ତି। କିଛିଦିନ ପୂର୍ବରୁ ଜଣେ ପ୍ରଶଂସକଙ୍କ କମେଣ୍ଟରେ ପ୍ରତିକ୍ରିୟା ଦେଇ ସେ ବିବାଦରେ ଫଶିଥିଲେ।
ନଭେମ୍ବର 17 ତାରିଖରେ ମୁମ୍ବାଇର ଏକ ଟାବଲଏଡରେ ଖବର ପ୍ରକାଶ ପାଇଥିଲା ଯେ, ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଶାନ୍ତ ବ୍ୟବହାର ପ୍ରଦର୍ଶନ କରିବା ପାଇଁ ଭାରତୀୟ ବୋର୍ଡର ଜଣେ ପ୍ରଶାସନିକ ଅଧିକାରୀ ବିରାଟ କୋହଲିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି କଥା ସଂପୂର୍ଣ୍ଣ ମିଥ୍ୟା ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ କୁହାଯାଇଛି।
ବିସିସିଆଇ ତରଫରୁ ରବିବାର ଏହି କଥାକୁ ଖଣ୍ଡନ କରାଯାଇ କୁହାଯାଇଛି ଯେ, ଅଷ୍ଟ୍ରେଲିଆରେ ମ୍ୟାଚ ସମୟରେ ବିନମ୍ର ରହିବା ପାଇଁ ବିରାଟଙ୍କୁ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ।
ବିରାଟଙ୍କୁ ଅଷ୍ଟ୍ରେଲିଆରେ ବିନମ୍ର ରହିବା ପାଇଁ ଏହି ଅଧିକାରୀ ହ୍ଵାଟସଅପରେ ନିର୍ଦ୍ଦେଶ ଦେଇଥିଲେ ବୋଲି
ଉକ୍ତ ରିପୋର୍ଟରେ ପ୍ରକାଶ ପାଇଥିଲା । ଗଣମାଧ୍ୟମରେ ଏହି ଖବର ଆସିବା ପରେ ବିସିସିଆଇ ତରଫରୁ ଏହାର ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରଯାଇଥିଲା। ଏହି ଆଲୋଚନା ପରେ ଜଣାପଡିଥିଲା ଯେ, ପ୍ରକାଶିତ ହୋଇଥିବା ଖବର ସଂପୂର୍ଣ୍ଣ ମିଥ୍ୟା ଅଟେ।
ଦେଶଛାଡିବାକୁ କହିଥିଲେ
କିଛିଦିନ ପୂର୍ବରୁ ବିରାଟ ନିଜର 30ତମ ଜନ୍ମଦିନ ଉତ୍ସବରେ ‘ବିରାଟ କୋହଲି ଅଫିସିଆଲ ଆପ ଲଞ୍ଚ କରିଥିଲେ। ଏହି ସମୟରେ ଜଣେ ଫ୍ୟାନ ନିଜ କମେଣ୍ଟରେ ଭାରତୀୟ ଖେଳାଳୀଙ୍କ ଅପେକ୍ଷା ଇଂଲଣ୍ଡ ଓ ଅଷ୍ଟ୍ରେଲିଆର ଖେଳାଳୀଙ୍କୁ ଅଧିକ ମହତ୍ଵ ଦେଇ ଲେଖିଥିଲେ। ଫ୍ୟାନଜଣକ ନିଜ କମେଣ୍ଟରେ ଲେଖିଥିଲେ ଯେ, ମତେ ବିରାଟ କୋହଲିଙ୍କ ବ୍ୟାଟିଙ୍ଗ କିଛି ଖାସ ନଜର ଆସିନଥାଏ। ବର୍ତ୍ତମାନର ଭାରତୀୟ ଖେଳାଳୀଙ୍କ ତୁଳନାରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆର ଖେଳାଳୀଙ୍କୁ ଅଧିକ ପସନ୍ଦ କରେ।“

ଏହି କମେଣ୍ଟରେ ବିରାଟ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ବ୍ୟକ୍ତିଗତ ଭାବରେ ଯଦି ମତେ କେହି ପସନ୍ଦ କରୁନାହିଁ, ତେବେ ମୋର କୌଣସି ଅସୁବିଧା ନାହିଁ। କିନ୍ତୁ ଯଦି କେହି ଭାରତୀୟ ଖେଳାଳୀଙ୍କ ବିଷୟରେ କିଛି କହୁଛି ତେବେ ଏହା ଭଲ କଥା ନୁହେଁ ଓ ସେ ଏହି ଦେଶରେ ରହିବା କଥା ନୁହେଁ।
ବିରାଟଙ୍କ ଏହି ପ୍ରତିକ୍ରିୟାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ଓ ସମସ୍ତଙ୍କୁ ନିଜ ନିଜ ପସନ୍ଦରେ କହିବାର ଅଧିକାର ଅଛି ବୋଲି କହିଥିଲେ। କିନ୍ତୁ ଅଷ୍ଟ୍ରେଲିଆ ଯିବା ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଏହି ବିବାଦ ପାଇଁ କ୍ଷମା ମାଗିବାକୁ ମନା କରିଦେଇଥିଲେ ଓ ଏ ବିଷୟରେ ଆଗରୁ ପ୍ରତିକ୍ରିୟା ଦେଇସାରିଛନ୍ତି ବୋଲି କହିଥିଲେ।
ବର୍ତ୍ତମାନ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ଅଛି। ଆସନ୍ତା ନଭେମ୍ବର 21 ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ ଖେଳିବ। ଟି-ଟ୍ୱେଣ୍ଟି ସିରିଜ ପରେ ଉଭୟ ଦଳ ମଧ୍ୟରେ ୱାନ-ଡେ ଏବଂ ଟେଷ୍ଟ ମ୍ୟାଚ ମଧ୍ୟ ଖେଳାଯିବ।