• ବେତାର ବ୍ୟୁରୋ

ମାଟ୍ରିକ ପରୀକ୍ଷାରେ ସମୟରେ ହେବ ଏବେଠୁ ଖାତାଦେଖା


(ବେତାର ବ୍ୟୁରୋ) ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଗୁଣବତ୍ତା ଶିକ୍ଷା ଯୋଗାଇବା ପାଇଁ ଏବଂ ରାଜ୍ୟରେ ଅଧିକ ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି କରିବା ପାଇଁ ବହୁ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ଆସନ୍ତାବର୍ଷଠାରୁ ଆଉ ଏକ ଅଭିନବ ପ୍ରସ୍ତାବ ଆରମ୍ଭ ହେବାକୁ ଯାଉଛି। ଏହି ଯୋଜନା ଅନୁଯାୟୀ ଆସନ୍ତା ଶିକ୍ଷା ବର୍ଷରୁ ମାଟ୍ରିକ ପରୀକ୍ଷା ଚାଲିଥିବା ସମୟରେ ପର୍ଯ୍ୟାୟକ୍ରମେ ଖାତା ଦେଖା ହେବ।

ଗଣଶିକ୍ଷା ବିଭାଗ ତରଫରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ମାଟ୍ରିକ ପରୀକ୍ଷାବେଳେ ଶିକ୍ଷକ ସଂଗଠନଗୁଡିକ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ନିଜର ଦାବି ରଖି ଆନ୍ଦୋଳନକୁ ଓହ୍ଳାଉଛନ୍ତି। ଏହାଦ୍ଵାରା ପରୀକ୍ଷା ସମୟରେ ସମସ୍ୟା ସୃଷ୍ଟି ହେବା ସହିତ ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି। ଆଗାମୀ ଦିନରେ ଏହିସବୁ ସମସ୍ୟାକୁ ଏଡାଇବା ପାଇଁ ଏବଂ ଖୁବଶୀଘ୍ର ପରୀକ୍ଷା ଶେଷକରି କିପରି ଶୀଘ୍ର ପରୀକ୍ଷା ଫଳ ବାହାରିବ, ଏଥିପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ଯେଉଁ ଶିକ୍ଷକମାନେ ମାଟ୍ରିକ ପରୀକ୍ଷା ପରିଚାଳନାରେ ରହିବେ ସେମାନଙ୍କ ଉପରେ ଆଉ ଖାତା ଦେଖା ଭାର ରହିବ ନାହିଁ। ପରୀକ୍ଷା ସମୟରେ ପ୍ରତିଦିନ ଖାତାଗୁଡିକୁ କୋଡିଙ୍ଗ କରାଯାଇ     ନିର୍ଦ୍ଧିଷ୍ଟ ପରୀକ୍ଷା କେନ୍ଦ୍ରକୁ ପଠାଯିବ। ଏହାପୂର୍ବରୁ ଯେଉଁ ଶିକ୍ଷକମାନେ ଖାତା ଦେଖିବେ ସେମାନଙ୍କୁ ସମ୍ପୃକ୍ତ ଖାତାଦେଖା କେନ୍ଦ୍ରରେ ମୃତୟନ କରାଯିବ।

ଏପରି କରିବା ଫଳରେ ପରୀକ୍ଷା ଶେଷ ହେବା ବେଳକୁ ଖାତାଦେଖା ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବ। ପରୀକ୍ଷାକୁ ଶୃଙ୍ଖଳିତ କରିବା ସହିତ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଫଳ ପ୍ରକାଶନ କରି ଲକ୍ଷାଧିକ ଛାତ୍ରଛାତ୍ରୀଙ୍କୁ ଆଶ୍ଵସ୍ତି ଦେବାପାଇଁ ବିଭାଗ ପକ୍ଷରୁ ଏହି ଯୋଜନା କରାଯାଇଛି। ତେବେ ଏହି ପ୍ରସ୍ତାବ ଆପଣାଇବା ପୂର୍ବରୁ ବିଭାଗ ପାଇଁ ଯେଉଁ ଶିକ୍ଷକ ସମସ୍ୟା ଦେଖାଦେବ ତାକୁ ଏବେଠାରୁ ଠିକଣା କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ଗତବର୍ଷ ମାଟ୍ରିକ ପରୀକ୍ଷା ବେଳେ କୋଡିଙ୍ଗ ବ୍ୟବସ୍ଥା ଏବଂ ବ୍ଲକଗ୍ରାଣ୍ଟ ଶିକ୍ଷକ ସଂଗଠନ ପକ୍ଷରୁ ଆନ୍ଦୋଳନ ହେବା ଯୋଗୁଁ ଛାତ୍ରଛାତ୍ରୀ ଓ ଅବିଭାବକମାନେ ଚିନ୍ତାରେ ପଡିଯାଇଥିଲେ। ଶିକ୍ଷକ ଆନ୍ଦୋଳନ ଯୋଗୁଁ କାଳେ ପରୀକ୍ଷା ଫଳ ପ୍ରକାଶନରେ ବିଳମ୍ବ ହେବ ଏବଂ ଜାତୀୟସ୍ତରର ପ୍ରତିଦ୍ୱନ୍ଦିତା ମୂଳକ ପରୀକ୍ଷାରେ ଭାଗ ନେଇପାରିବେ ନାହିଁ, ଏନେଇ ମେଧାବୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା।

ଏହାବ୍ୟତୀତ ଶିକ୍ଷକ ସଂଗଠନର ଆନ୍ଦୋଳନକୁ ଆଗାମୀ ଦିନରେ କିଭଳି ଦମନ କରାଯାଇ ପାରିବ ସେସବୁକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ତରଫରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

#education #examresult

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon