• padmabati kund

ଧୀରେ ଧୀରେ ଖୋଲୁଛି ଦାରୁ ବିଭ୍ରାଟ ଗୁମର


(ବେତାର ବ୍ୟୁରୋ) ଦିନକୁ ଦିନ ଶ୍ରୀମନ୍ଦିରର ବ୍ରହ୍ମ ବିଭ୍ରାଟ ଘଟଣା ତେଜିବାରେ ଲାଗିଛି । ଫିକ୍ସିଙ୍ଗ କରି ପୋଲା ଦାରୁ ଚୟନ ହୋଇଛି ବୋଲି ମହାରଣା ସେବକ କୃଷ୍ଣଚନ୍ଦ୍ର ମହାରଣା ଅଭିଯୋଗ କରିବାର କିଛିଦିନ ପରେ ଦଇତାପତି ନିଯୋଗ ସମ୍ପାଦକ ପ୍ରେମାନନ୍ଦ ଦାସ ମହାପାତ୍ର ପୁଣି ନିଆଁରେ ଘିଅ ଢାଳିବା ପରି ମନ୍ତବ୍ୟ ଦେଇଛନ୍ତି। ବ୍ରହ୍ମ ବିଭ୍ରାଟ ନେଇ ଶ୍ରୀମନ୍ଦିର ପ୍ରଶାସନଠାରୁ ନୋଟିସ ପାଇବା ପରେ ଦାରୁ ଚୟନରେ ନୀତି ନିୟମକୁ ଅଣଦେଖା କରାଯାଇଥିବା କହି ପ୍ରେମାନନ୍ଦ ବିବାଦକୁ ଆହୁରି ବଢାଇଛନ୍ତି ।

ବ୍ରହ୍ମ ବିଭ୍ରାଟ ଘଟଣାରେ ନୋଟିସ ପାଇଥିବା ଅନ୍ୟତମ ଅଭିଯୁକ୍ତ ଦଇତା ନିଯୋଗ ସଂପାଦକ ପ୍ରେମାନନ୍ଦ ଦାସ ମହାପାତ୍ର ମୁହଁ ଖୋଲିଛନ୍ତି ଓ ସତ କହିବାରୁ ତାଙ୍କୁ ଦୋଷୀ କରାଯାଇଛି ବୋଲି ସେ କହିଛନ୍ତି। ବ୍ରହ୍ମ ଦର୍ଶନ ପାଇଁ ୪ ଜଣଙ୍କୁ ପୂରାଇଥିବା ଅଭିଯୋଗରେ ତାଙ୍କୁ ନୋଟିସ ହୋଇଥିବା ବେଳେ ଏହାର ଉତ୍ତର ରଖିବେ ବୋଲି ସେ କହିଛନ୍ତି। ତେବେ ଦାରୁ ଚୟନରେ ଅନିୟମିତତା ହୋଇଛି ବୋଲି ସେ ସିଧାସିଧା କହିଛନ୍ତି ଏବଂ ତିନି ଦାରୁ ଜଗତସିଂହପୁରରୁ କିଭଳି ମିଳିଲା, ବନଯାଗ ଯାତ୍ରୀମାନେ ଶଗଡରେ ଯିବା ବଦଳରେ କାରରେ କାହିଁକି ଯାଉଥିଲେ, ରାତିରେ ଦାରୁ ଚୟନ କାହିଁକି କରାଯାଉଥିଲା ଏଭଳି ଅନେକ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି।

ଅନ୍ୟପକ୍ଷରେ ପ୍ରେମାନନ୍ଦଙ୍କ ବୟାନକୁ ନେଇ ଅନେକ ସନ୍ଦେହ ପ୍ରକଟ କରିଛନ୍ତି। ପ୍ରେମାନନ୍ଦ ଜଣେ ଆଗଧାଡିର ଦଇତା ସେବକ। ସେ ନିଜେ ମଧ୍ୟ ନବକଳେବର ଦଇତା ନିଯୋଗର ସଂପାଦକ ଥିଲେ। ଯେତେବେଳେ ଦାରୁ ଚୟନରେ ବିଭ୍ରାଟ ଦେଖା ଦେଇଥିଲା, ନିଯୋଗର ସଂପାଦକ ହିସାବରେ ସେ ତୁରନ୍ତ ବୈଠକ କାହିଁକି ଡାକିଲେ ନାହିଁ, ନିଯୋଗ ସଂପାଦକ ହିସାବରେ ମୁଖ୍ୟ ପ୍ରଶାସକଙ୍କୁ ଲିଖିତ ଭାବେ କାହିଁକି ଜଣାଇଲେ ନାହିଁ ବୋଲି ପ୍ରଶ୍ନ ଉଠିଛି। ଏବେ ବିଭ୍ରାଟରେ ଅଭିଯୁକ୍ତ ଭାବେ ନୋଟିସ କରାଯିବା‌ ପରେ ମୁହଁ ଖୋଲିବା ଗ୍ରହଣୀୟ ନୁହେଁ ବୋଲି ତଥ୍ୟାଭିଜ୍ଞ ମହଲରେ ମତପ୍ରକାଶ ପାଇଛି।

ବ୍ରହ୍ମ ବିଭ୍ରାଟ ତଦନ୍ତ ରିପୋର୍ଟ ତିନିବର୍ଷ ପରେ ଆସିବା ପରେ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା ସାଂଘାତିକ ଅଭିଯୋଗ ଆଣିଥିଲେ। ସେ କହିଥିଲେ ନବେକଳବର ବେଳେ ଦାରୁ ଚୟନରେ ଟଙ୍କା କାରବାର ହୋଇଥିଲା। ଯିଏ ଅଧିକ ଟଙ୍କା ଦେଇଥିଲା, ତାଙ୍କ ଦାରୁ ଚୟନ ହୋଇଥିଲା ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ ଯେ, ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ରଙ୍କ ରିପୋର୍ଟକୁ ତର୍ଜମା କରି ଗତ ନଭେମ୍ବର 14 ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ୧୧ ଜଣଙ୍କୁ ନୋଟିସ କରାଯାଇଥିଲା। ପନ୍ଦର ଦିନ ମଧ୍ୟରେ ନୋଟିସର ଉତ୍ତର ଦେବାକୁ କୁହାଯାଇଥିଲା। ଏହାମଧ୍ୟରେ ସନ୍ତୋଷଜନକ ଉତ୍ତର ନମିଳିଲେ ଶ୍ରୀମନ୍ଦିର ଆଇନ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କୁହାଯାଇଛି। ଏମାନଙ୍କ ମଧ୍ୟରେ ଅଛନ୍ତି ନିଯୋଗର ସଭାପତି, ସମ୍ପାଦକଙ୍କ ସହ ଦୁଇଜଣ ବାଡ଼ଗ୍ରାହୀ, ପତିମହାପାତ୍ର ଓ ଅନ୍ୟ କିଛି ଯୁବ ସେବାୟତ।

#shreemandira #darubibhrat #puritemple

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon