• padmabati kund

ଅଷ୍ଟ୍ରେଲିଆ ଟି-ଟ୍ୱେଣ୍ଟି ମ୍ୟାଚ ପାଇଁ ଏହି 11ଜଣଙ୍କ ଉପରେ ରହିବ ନଜର


(ବେତାର ବ୍ୟୁରୋ) ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବୁଧବାର (ନଭେମ୍ବର 21)ରୁ କ୍ରିକେଟ ସିରିଜ ଆରମ୍ଭ ହେବାକୁ ଯାଉଛି। ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ମ୍ୟାଚ ସବୁବେଳେ ରୋମାଞ୍ଚକର ହୋଇଥାଏ ଓ ଦର୍ଶକମାନେ ମଧ୍ୟ ଅଧିକ ଆଗ୍ରହ ଦେଖାଇଥାନ୍ତି। ଏହି ସିରିଜ ବ୍ରିସବେନରୁ ଟି-ଟ୍ୱେଣ୍ଟି ମ୍ୟାଚରୁ ଆରମ୍ଭ ହେବ।

ତେବେ ଏହି ସିରିଜରେ ଅଷ୍ଟ୍ରେଲିଆ ଦଳକୁ ହରାଇବା ପାଇଁ ଭାରତୀୟ ଦଳର ଏଗାର ଜଣ ଖେଳାଳୀଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଜାଣନ୍ତୁ ସେମାନେ କିଏ କିଏ।

୧.ରୋହିତ ଶର୍ମା: ଭାରତୀୟ ଦଳର ଉପଅଧିନାୟକ ରୋହିତ ଶର୍ମା ଟି-ଟ୍ୱେଣ୍ଟି ଫର୍ମାଟରେ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଅଟନ୍ତି। ଯଦି ରୋହିତ ଭଲ ବ୍ୟାଟିଙ୍ଗ କରନ୍ତି ତେବେ ବିପକ୍ଷ ଦଳ ଠାରୁ ମ୍ୟାଚ ଛଡେଇନେଇଥାନ୍ତି। ତେବେ ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆନ ପେସ ବୋଲର ନାଥନ କୁଲ୍ଟର ନାଇଲ କହିଛନ୍ତି,”ସେ ଜଣେ ଅବିଶ୍ଵସନୀୟ ଖେଳାଳୀ ଅଟନ୍ତି। ତାଙ୍କ ରେକର୍ଡ ଏହା କହିଥାଏ। ସମଗ୍ର ବିଶ୍ଵରେ ତାଙ୍କର ଭଲ ରେକର୍ଡ ରହିଛି। ତେଣୁ ତାଙ୍କ ଉପରେ ନିହାତି ନଜର ରହିବ।“

୨.ଶିଖର ଧାୱନ: ଘରୋଇ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ କମ ରନରେ ପ୍ରଦର୍ଶନ ଆରମ୍ଭ କରିବା ପରେ ସିରିଜର ଫାଇନାଲ ମ୍ୟାଚରେ ଭଲ ପ୍ରଦର୍ଶନ କରି ମ୍ୟାନ ଅଫ ଦ ସିରିଜ ହୋଇଥିଲେ ଓ ନିଜ ଫର୍ମକୁ ମଧ୍ୟ ଫେରିଛନ୍ତି। ଏହାସହିତ ରୋହିତ ଓ ଶିଖରଙ୍କ ଯୋଡି ୱାନ-ଡେ ଏବଂ ଟି-ଟ୍ୱେଣ୍ଟି ଫର୍ମାଟରେ ଭାରତ ପାଇଁ ସବୁଠାରୁ ଭଲ ପ୍ରଦର୍ଶନ କରିଛନ୍ତି।

୩.ବିରାଟ କୋହଲି: ଭାରତୀୟ ଦଳର ଅଧିନାୟକ ବର୍ତ୍ତମାନ ସମୟରେ ସବୁଠାରୁ ଭଲ ପ୍ରଦର୍ଶନ କରୁଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିବା ପରେ ଅଷ୍ଟ୍ରେଲିଆରେ ବିରାଟଙ୍କ ପ୍ରଦର୍ଶନ ଉପରେ ଦଳର ପ୍ରଦର୍ଶନ ନିର୍ଭର କରିବ।

୪.କେ.ଏଲ. ରାହୁଲ: କ୍ରିକେଟରେ ବହୁତ କମ ଦିନର କ୍ୟାରିୟର ହୋଇଥିଲେ ମଧ୍ୟ କେ.ଏଲ.ରାହୁଲ ନିଜର ବ୍ୟାଟିଙ୍ଗ ଓ ଶାନ୍ତ ସ୍ଵଭାବ ପାଇଁ ଜଣାଶୁଣା। ଟି-ଟ୍ୱେଣ୍ଟି ଫର୍ମାଟରେ ତାଙ୍କର ପ୍ରଦର୍ଶନ ବହୁତ ଭଲ ରହିଛି ଓ ବ୍ୟାକଫୁଟ ଖେଳୁଥିବାରୁ ଏହା ଅଷ୍ଟ୍ରେଲିଆରେ ତାଙ୍କୁ ସଫଳତା ଆଣିଦେବ।

୫.ରିଷଭ ପନ୍ଥ: ଏହି ସିରିଜରେ ଯୁବଖେଳାଳୀ ରିଷଭ ପନ୍ଥଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ଏମ.ଏସ.ଧୋନୀଙ୍କ ପରିବର୍ତ୍ତେ ୱିକେଟକିପର ବ୍ୟାଟ୍ସମ୍ୟାନ ଭାବରେ ତାଙ୍କୁ ଦଳରେ ସ୍ଥାନ ଦିଆଯାଇଛି। ଗତ କିଛିଦିନ ମଧ୍ୟରେ ସେ ଭଲ ପ୍ରଦର୍ଶନ କରୁଥିଲେ ତେଣୁ ଅଷ୍ଟ୍ରେଲିଆରେ ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ।

୬.ଦିନେଶ କାର୍ତ୍ତିକ: ଅଷ୍ଟ୍ରେଲିଆରେ ଟେଷ୍ଟ ଓ ୱାନ-ଡେ ମ୍ୟାଚ ପାଇଁ ଦିନେଶ କାର୍ତ୍ତିକଙ୍କୁ ଦଳରେ ସ୍ଥାନ ମିଳିବାର ସମ୍ଭାବନା ନଥିଲେ ମଧ୍ୟ ଟି-ଟ୍ୱେଣ୍ଟି ମ୍ୟାଚରେ ସେ ମ୍ୟାଚ ଫିନିସର ଭୂମିକା ତୁଲାଇପାରନ୍ତି। ମ୍ୟାଚର ଆବଶ୍ୟକତା ଅନୁଯାୟୀ ତାଙ୍କର ପ୍ରଦର୍ଶନ ପାଇଁ ସେ ବେଶ ଜଣାଶୁଣା।

୭.କୃଣାଳ ପାଣ୍ଡ୍ୟା: ଅଲରାଉଣ୍ଡର କୃଣାଳ ବ୍ୟାଟ ଓ ବଲ ସହିତ ଆଇପିଏଲରେ ମୁମ୍ବାଇ ପାଇଁ ଖୁବ ଭଲ ପ୍ରଦର୍ଶନ କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ କୃଣାଳଙ୍କ ଉପସ୍ଥିତି ଦଳ ପାଇଁ ବେଶ ସହାୟକ ହେବ।

୮.ଭୁବନେଶ୍ଵର କୁମାର: ୱେଷ୍ଟଇଣ୍ଡିଜ ବିପକ୍ଷରେ ସେତେ ଭଲ ପ୍ରଦର୍ଶନ କରିନଥିଲେ ମଧ୍ୟ ଅଷ୍ଟ୍ରେଲିଆ ସିରିଜରେ  ଭୁବନେଶ୍ଵରଙ୍କ ଅଭିଜ୍ଞତା ଦଳ ପାଇଁ ବେଶ ସହାୟକ ହେବ। ନୂଆ ବଲ ଓ ପୁରୁଣା ବଲ ସହିତ ଭୁବନେଶ୍ଵରଙ୍କ ଅଭିଜ୍ଞତା ଦଳକୁ ଜିତିବାରେ ସହାୟକ ହେବ।

୯.କୁଳଦୀପ ଯାଦବ: ଇଂଲଣ୍ଡ ବିପକ୍ଷରେ ଟି-ଟ୍ୱେଣ୍ଟି ସିରିଜ ଜିତିବାରେ ଚାଇନାମ୍ୟାନ ବୋଲର କୁଳଦୀପଙ୍କ ମୁଖ୍ୟ ଭୂମିକା ରହିଥିଲା। ବର୍ତ୍ତମାନ ସମୟରେ ଅଷ୍ଟ୍ରେଲିଆ ଦଳ ରିଷ୍ଟସ୍ପିନ ବିରୁଦ୍ଧରେ ସେତେ ଭଲ ପ୍ରଦର୍ଶନ କରୁନାହିଁ। ଏପରି ସମୟରେ କୁଳଦୀପଙ୍କ ପ୍ରଦର୍ଶନ    ଉପରେ ସମସ୍ତଙ୍କ ନଜର ରହିବ।

୧୦.ୟୁଜବେନ୍ଦ୍ର ଚହଲ: ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ୱିକେଟ ନେବା ଦକ୍ଷତା କମ ହୋଇଥିଲେ ମଧ୍ୟ ଏହି ସିରିଜରେ ନିଜ ଫର୍ମକୁ ଫେରେଇ ଆଣିବାକୁ ବହୁତ ବଡ ସୁଯୋଗ ମିଳିବ।

୧୧.ଜସପ୍ରିତ ବୁମରାହ: ଗତ ପନ୍ଦର ମାସ ମଧ୍ୟରେ ଜସପ୍ରିତ ବୁମରାହଙ୍କ ପ୍ରଦର୍ଶନ ବହୁତ ଭଲ ରହିଛି। ତାଙ୍କର ବୋଲିଂ କରିବାର ଶୈଳୀ ବ୍ୟାଟ୍ସମ୍ୟାନଙ୍କୁ ଦ୍ଵନ୍ଦରେ ପକାଇଥାଏ। ଅଷ୍ଟ୍ରେଲିଆରେ ମଧ୍ୟ ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ।              

#T20cricket #aushtralia #india

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon