• padmabati kund

ନ୍ୟୁୟର୍କ ଟଏଲେଟରେ ଲାଗିଛି ହିନ୍ଦୁ ଦେବାଦେବୀଙ୍କ ଫଟୋ


(ବେତାର ବ୍ୟୁରୋ) ଭାରତ ଏପରି ଏକ ଦେଶ ଯେଉଁଠାରେ ସବୁଧର୍ମର ସମ୍ମାନ କରାଯାଇଥାଏ। ଏଥିପାଇଁ ଭାରତୀୟଲୋକ ଅନ୍ୟମାନଙ୍କର ଧାର୍ମିକ ଭାବନାକୁ ଧ୍ୟାନ ରଖିଥାନ୍ତି। କିନ୍ତୁ ପୂର୍ବରୁ ଅନେକ ସମୟରେ ଦେଖିବାକୁ ମିଳିଛି ଯେ ଭାରତୀୟ ଦେବାଦେବୀଙ୍କ ଚିତ୍ରକୁ ବିଦେଶରେ ଅସମ୍ମାନ କରାଯାଇଥାଏ। ଏହି କଥାକୁ ନେଇ ଅନେକ ବିବାଦ ମଧ୍ୟ ହୋଇଯାଇଛି।

ତେବେ ନିକଟରେ ନ୍ୟୁୟର୍କ ସହରରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି। ଏଠାରେ ଥିବା ଏକ ପବ୍ ଟଏଲେଟରେ ହିନ୍ଦୁ ଦେବାଦେବୀଙ୍କ ଚିତ୍ର ଲାଗିଥିବାର ଦେଖିବାକୁ ମିଳିଛି। ଏହାକୁ ଏକ ଭାରତୀୟ ମହିଳା ଦେଖିବା ପରେ ଏହାର ପ୍ରତିବାଦ କରିଥିଲେ ଓ ଏହି ଫଟୋକୁ ହଟାଇବା ପାଇଁ ଉକ୍ତ ଅନୁଷ୍ଠାନକୁ ଇମେଲ ପଠାଇଥିଲେ।

ଆମେରିକାରେ ରହୁଥିବା ଏହି ଭାରତୀୟ ମହିଳାଙ୍କ ନାମ ହେଉଛି ଅଙ୍କିତା ମିଶ୍ର। ସେ କିଛି ସପ୍ତାହ ଆଗରୁ ନ୍ୟୁୟର୍କର ‘ହାଉସ ଅଫ ୟେସ’ ପବକୁ ଯାଇଥିଲେ। ଏହି ପବରେ ଅଧିକ ରାତି ପର୍ଯ୍ୟନ୍ତ ପାର୍ଟି କରୁଥିବା ଲୋକଙ୍କ ପାଇଁ ଅନେକ ମନୋରଞ୍ଜନ କାର୍ଯ୍ୟକ୍ରମ ହୋଇଥାଏ। କିନ୍ତୁ ଅଙ୍କିତା ଯେତେବେଳେ ଏହି ପବରେ ଥିବା ଭି.ଆଇ.ପି ଟଏଲେଟ ଭିତରକୁ ଗଲେ, ସେଠାର ଦୃଶ୍ୟ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ।

ବହୁତ ଦୁଃଖଦାୟକ ଥିଲା ଏହି ଦୃଶ୍ୟ

ପ୍ରଥମେ ସେ ଭାବିଥିଲେ ଯେ, ସେ କୌଣସି ଟଏଲେଟ ଭିତରକୁ ନଆସି ହୁଏତ ଅନ୍ୟକୌଣସି ସ୍ଥାନକୁ ଆସିଛନ୍ତି। ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଏହି ପବ୍ କାନ୍ଥରେ ହିନ୍ଦୁଧର୍ମର ଭଗବାନ ଯଥା ଗଣେଶ, ସରସ୍ଵତୀ, କାଳୀ ଓ ଶିବଙ୍କର ଫଟୋ ଲାଗିଥିଲା। କେବଳ ଏତିକି ନୁହେଁ ଟଏଲେଟ ପେପରରେ ମଧ୍ୟ ଭଗବାନ ଶିବଙ୍କର ଫଟୋ ପ୍ରିଣ୍ଟ ହୋଇଥିଲା।

ଏସବୁ ଦେଖିବା ପରେ ତାଙ୍କୁ ବହୁତ ଭୟ ଲାଗିଥିଲା ଓ ସେ ବହୁତ ଦୁଃଖୀ ମଧ୍ୟ ହୋଇଥିଲେ। ଏହାବିରୁଦ୍ଧରେ ଆପତ୍ତି ଜଣାଇ ଅଙ୍କିତା ପବ୍ ଅଫିସକୁ ଇ-ମେଲ କରିଥିଲେ ଓ ଏପରି କାମ ପାଇଁ କଡାନିନ୍ଦା କରିଥିଲେ। ସେ ଲେଖିଥିଲେ ଯେ, ଏହା କୌଣସି ମନ୍ଦିର ନୁହେଁ, ଏଠାକୁ ମଣିଷ ଚପଲ ପିନ୍ଧି ଯିବା ଆସିବା କରିଥାଏ ଓ ପରିସ୍ରା କରିଥାଏ।

ଅଙ୍କିତାଙ୍କ ମେଲ ପାଇବା ପରେ ଉକ୍ତ ପବ୍ ର ସହପ୍ରତିଷ୍ଠାତା ତଥା କ୍ରିଏଟିଭ ଡାଇରେକ୍ଟର କାଏ ବୁର୍କେ ନିଜର ଭୁଲ ସ୍ଵୀକାର କରିଥିଲେ ଓ ଭାରତୀୟ ସଂସ୍କୃତିକୁ ବୁଝିବାରେ ତାଙ୍କର ଭୁଲ ହୋଇଯାଇଛି ବୋଲି କହିଥିଲେ। ଏପରି କରିବା ଦ୍ଵାରା କାହାର ଭାବନାକୁ ଆଘାତ ଲାଗିବ ବୋଲି ସେ ଆଶା କରିନଥିଲେ। ଏହାସହିତ ଖୁବ ଶୀଘ୍ର ଟଏଲେଟ ଭିତରେ ଲାଗିଥିବା ଦେବୀଙ୍କର ଫଟୋକୁ ହଟାଇ ଦିଆଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।

#hindugodintoiletwall #USpub

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon