• padmabati kund

ହକି ପାଇଁ ରାଜଧାନୀରେ ରାତି 1.30 ଯାଏଁ ଚାଲିବ ବାର୍


(ବେତାର ବ୍ୟୁରୋ) ପୁରୁଷ ହକି ବିଶ୍ଵକପ ନଭେମ୍ବର 28ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ରାଜଧାନୀ ଭୁବନେଶ୍ଵରରେ ଖୁବ ଜୋରଦାର ପ୍ରସ୍ତୁତି ଚାଲୁରହିଛି। ଏହି ବିଶ୍ଵକପକୁ ଦେଖିବା ପାଇଁ ବିଦେଶୀ ପର୍ଯ୍ୟଟକମାନେ ଭୁବନେଶ୍ଵରକୁ ଆସୁଛନ୍ତି। ବିଦେଶୀ ପର୍ଯ୍ୟଟକ ଓ ବିଦେଶୀ ଖେଳାଳୀଙ୍କୁ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ସରକାର ପ୍ରୟାସ କରୁଛନ୍ତି। ତେବେ ଏହି ଦିଗରେ ରାଜ୍ୟ ସରକାର ନୂଆ ଏକ ନିଷ୍ପତ୍ତି ନେଇଛନ୍ତି ଓ ଭୁବନେଶ୍ଵରରେ ମଦ କିଣାବିକା ନୀତିକୁ କୋହଳ କରିଛନ୍ତି।

ରାଜ୍ୟ ସରକାର ଓଡିଶା ଅବକାରୀ ନିୟମକୁ ସଂଶୋଧନ କରି ଏହି ନୂତନ ନିୟମ ଯୋଡିଛନ୍ତି। ଏହି ନୂତନ ନିୟମ ଅନୁସାରେ, କୌଣସି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର କାର୍ଯ୍ୟକ୍ରମ ସମୟରେ ବିଳମ୍ବିତ ରାତ୍ରି 1.30ଘଣ୍ଟା ପର୍ଯ୍ୟନ୍ତ ସରକାରୀ ସ୍ଵୀକୃତିପ୍ରାପ୍ତ ମଦ ଦୋକାନ ଗୁଡିକରେ ମଦ ବିକ୍ରି କରାଯାଇ ପାରିବ। ଏଥିପାଇଁ ମଦ ଦୋକାନୀଙ୍କୁ ସରକାରଙ୍କୁ ଅଧିକ ଫି’ ଦେବାକୁ ପଡିବ ନାହିଁ। ସରକାରଙ୍କ ତରଫରୁ ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ।

ମାସେ ପାଇଁ ଲାଗୁ

ତେବେ ନଭେମ୍ବର 28 ତାରିଖରୁ ପୁରୁଷ ହକି ବିଶ୍ଵକପ ରାଜଧାନୀ ଭୁବନେଶ୍ଵରରେ ଆରମ୍ଭ ହେବାକୁ ଯାଉଥିବାରୁ, ରାଜଧାନୀରେ ଥିବା ସରକାରୀ ସ୍ଵୀକୃତିପ୍ରାପ୍ତ ମଦ ଦୋକାନ ଗୁଡିକରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମଦ ବିକ୍ରି ହେବ। ଅବକାରୀ ବିଭାଗର ଜଣେ ସିନିୟର ଅଧିକାରୀ କହିଛନ୍ତି ଯେ, ସରକାରୀ ସ୍ଵୀକୃତିପ୍ରାପ୍ତ ମଦ ଦୋକାନ ସହିତ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଥିବା ‘ON shop’ ଗୁଡିକରେ ମଧ୍ୟ ଏହି ସମୟ ପର୍ଯ୍ୟନ୍ତ ମଦବିକ୍ରି ହୋଇପାରିବ।

ଏହି ନିୟମ ନଭେମ୍ବର 20ତାରିଖରୁ ଡିସେମ୍ବର 20 ତାରିଖ ପର୍ଯ୍ୟନ୍ତ ଲାଗୁରହିବ।

ତେବେ ଯେଉଁ ‘ON shop’ ଗୁଡିକରେ ହୋଟେଲ କିମ୍ବା ରେଷ୍ଟୁରାଣ୍ଟର ସୁବିଧା ନଥିବ ସେଠାରେ ଏହି ନିୟମ ଲାଗୁ ହେବ ନାହିଁ। ସେଠାରେ ସବୁଦିନ ପରି ରାତି 12ଟାରେ ଦୋକାନ ବନ୍ଦ କରାଯିବ।

ତେବେ କଳିଙ୍ଗ ଷ୍ଟାଡିୟମର ପରିସର ମଧ୍ୟରେ ମଦ ବିକ୍ରିକୁ ଅନୁମତି ଦିଆଯାଇ ନାହିଁ। ଏନେଇ ଅବକାରୀ ବିଭାଗର ଜଣେ ଅଧିକାରୀ କହିଛନ୍ତି , “ୱାର୍ଲ୍ଡକପ ସମୟରେ ଷ୍ଟାଡିୟମ ମଧ୍ୟରେ ମଦ ବିକ୍ରି କରିବା ପାଇଁ ଅସ୍ଥାୟୀ ଲାଇସେନ୍ସ ଦେବାକୁ ରେଷ୍ଟୁରାଣ୍ଟ ଅପରେଟରଙ୍କ ତରଫରୁ ଆବେଦନ କରଯାଇଥିଲା। ତେବେ ଏହାର ଅପବ୍ୟବହାର ହୋଇପାରେ ବୋଲି ଆଶା କରି ଏଥିପାଇଁ ଅନୁମତି ଦିଆଯାଇନାହିଁ।“

ରାଜ୍ୟରେ ମଦ ବିକ୍ରିକୁ ନେଇ ସାଧାରଣ ଲୋକ ଓ କିଛି ଅନୁଷ୍ଠାନ ସରକାରଙ୍କ ବିରୋଧ କରିଆସୁଛନ୍ତି। ସରକାରଙ୍କ ଏହି ନିୟମକୁ ନିଶା ନିବାରଣ ସଂଘ ପକ୍ଷରୁ ନିନ୍ଦା କରାଯାଇଛି। ସରକାରଙ୍କ ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭୁଲ ଓ ଏହା ଭବିଷ୍ୟତପିଢୀଙ୍କ ଉପରେ ଖରାପ ପ୍ରଭାବ ପକାଇବା ବୋଲି ଏହି ସଂଘର ସଭାପତି କହିଛନ୍ତି। ଏହାସହିତ ବିରୋଧୀ ଦଳର ନେତାମାନେ ମଧ୍ୟ ଏହାକୁ ବିରୋଧ କରିଛନ୍ତି।

#odishahockeymensworldcup #liquorshop

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon