• ବେତାର ବ୍ୟୁରୋ

ହକି ବିଶ୍ଵକପ ପାଇଁ ରାଜଧାନୀରେ ‘ମୋ ବସ’ର ସ୍ଵତନ୍ତ୍ର ସୁବିଧା: ରାତି 11 ଯାଏଁ ଚାଲିବ ସିଟିବସ


(ବେତାର ବ୍ୟୁରୋ) ପୁରୁଷ ହକି ବିଶ୍ଵକପ-୨୦୧୮ ଆସନ୍ତା ନଭେମ୍ବର ୨୮ ତାରିଖରୁ ରାଜଧାନୀ ଭୁବନେଶ୍ଵରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଭୁବନେଶ୍ଵରରେ ଖୁବ ଜୋରଦାର ପ୍ରସ୍ତୁତି ହୋଇଛି। ଅନ୍ୟପଟେ ଚଳିତ ମାସ ପ୍ରଥମ ସପ୍ତାହରୁ ଭୁବନେଶ୍ଵରରେ ଆରମ୍ଭ ହୋଇଥିବା ‘ମୋ ବସ’ ସେବା ଅଳ୍ପଦିନରେ ଖୁବ ଲୋକପ୍ରିୟତା ହାସଲ କରିପାରିଛି। ହକି ବିଶ୍ଵକପକୁ ଆଖି ଆଗରେ ରଖି ‘ମୋ ବସ’ରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କୁ ସ୍ଵତନ୍ତ୍ର ସଟଲ ସର୍ଭିସ ଯୋଗାଇ ଦିଆଯିବ। ଏଥିପାଇଁ ଭଡା ଟ.୧୫ରୁ ଆରମ୍ଭ ହେବ।

କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (CRUT) ତରଫରୁ ଚାଲୁଥିବା ‘ମୋ ବସ’ରେ ଆସନ୍ତା ନଭେମ୍ବର ୨୭ ତାରିଖରୁ ଯାତ୍ରୀମାନଙ୍କୁ ଏହି ସୁବିଧା ମିଳିବ। ଏହି ସଟଲ ସର୍ଭିସ ଜନତା ମଇଦାନ-କଳିଙ୍ଗ ଷ୍ଟାଡିୟମ -ବିଧାନ ସଭା ଛକ-କଳିଙ୍ଗଷ୍ଟାଡିୟମ ରୁଟରେ ଉପଲବ୍ଧ ହେବ। ଅପରାହ୍ନ ୩.୩୦ମିନିଟରୁ ରାତି ୧୧ଟା ପର୍ଯ୍ୟନ୍ତ ‘ମୋ ବସ’ରେ ଯାତ୍ରୀମାନେ ଏହି ସୁବିଧା ପାଇପାରିବେ।

ଏହାସହିତ ହକିବିଶ୍ଵକପରେ ବିଦେଶୀ ପର୍ଯ୍ୟଟକଙ୍କ ବହୁଳ ମାତ୍ରାରେ ଆଗମନକୁ ଦୃଷ୍ଟିରେ ରଖି ପ୍ରଦର୍ଶନୀ ପଡିଆରେ ଭୁବନେଶ୍ଵର ସିଟି ଫେଷ୍ଟିଭଲ (FEST) ମଧ୍ୟ ଆୟୋଜନ ହେବାକୁ ଯାଉଛି। ଏହି FESTରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହି FESTରେ ବଲିଉଡର ଅନେକ ଗୀତିକାରମାନେ ଯୋଗ ଦେବେ ବୋଲି ମଧ୍ୟ ଶୁଣିବାକୁ ମିଳିଛି। ଖାସ କରି ହକିପ୍ରେମୀ,ବିଦେଶରୁ ହକି ଦେଖିବା ପାଇଁ ଆସିଥିବା ପର୍ଯ୍ୟଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତି ରୁଚି ରଖୁଥିବା ଲୋକଙ୍କୁ ପ୍ରାଥମିକତା ଦିଆଯାଇ ଏହି ସଟଲ ସର୍ଭିସ ଆରମ୍ଭ କରିବାକୁ ଯୋଜନା କରାଯାଇଛି।

ବସ ଭଡା ଟ.୧୫ରୁ ଆରମ୍ଭ 

ତେବେ ଯେଉଁ ‘ମୋ ବସ’ ଗୁଡିକରେ ଏ.ସି ସୁବିଧା ନାହିଁ ସେଥିରେ ଯାତ୍ରା କରିବା ପାଇଁ ଯାତ୍ରୀଙ୍କୁ ଟ.୧୫ ଦେବାକୁ ପଡିବ ଓ ଏ.ସି  ଲାଗିଥିବା ‘ମୋ ବସ’ ଗୁଡିକରେ ଯାତ୍ରା କରିବା ପାଇଁ ଯାତ୍ରୀଙ୍କୁ ଟ.୩୦ ଦେବାକୁ ପଡିବ। ଏହି ଟିକେଟକୁ ଯାତ୍ରୀମାନେ ଥରେ ଯିବା ଓ ଥରେ ଆସିବା ପାଇଁ ବ୍ୟବହାର କରିପାରିବେ। ଏହାବ୍ୟତୀତ ଅନ୍ୟସମସ୍ତ ରୁଟରେ ସାଧାରଣ ଭଡା ଲାଗୁରହିବ। ଏହି ସ୍ଵତନ୍ତ୍ର ସୁବିଧା ଥିବା ‘ମୋ ବସ’ଗୁଡିକ ମୋବାଇଲ ଆପ(mo bus app)ରେ ରୁଟ ନମ୍ବର-୧ ଭାବରେ ଦେଖାଯିବ।

ହକି ବିଶ୍ଵକପ ଓ ଭୁବନେଶ୍ଵର ସିଟି ଫେଷ୍ଟିଭାଲ ସମୟରେ କାର ଗୁଡିକୁ ପାର୍କ କରିବା ପାଇଁ ଜନତା ମଇଦାନରେ ସ୍ଵତନ୍ତ୍ର ପାର୍କିଙ୍ଗ ସୁବିଧା କରାଯିବ। ଲୋକମାନେ ନିଜ କାରକୁ ଏହିଠାରେ ପାର୍କ କରି ‘ମୋ ବସ’ରେ ଯାତ୍ରା କରି କଳିଙ୍ଗ ଷ୍ଟାଡିୟମକୁ କିମ୍ବା ଭୁବନେଶ୍ଵର ଫେଷ୍ଟିଭାଲକୁ ଯାଇପାରିବେ ଓ ଏହି ସଟଲ ସର୍ଭିସର ସୁବିଧା ଉଠାଇପାରିବେ।

ହକି ବିଶ୍ଵକପ ପୂର୍ବରୁ ରାଜଧାନୀରେ ନଭେମ୍ବର 6 ତାରିଖରୁ ପ୍ରଥମ ପର୍ଯ୍ୟାୟରେ ନୂଆ ସିଟି ବସ ଚଳାଚଳ ଆରମ୍ଭ ହୋଇଯାଇଛି ଓ ଏହି ସେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ। ଯାତ୍ରୀମାନଙ୍କର ସୁବିଧା ପାଇଁ ଏହି ବସରେ ୱାଇ-ଫାଇ ସୁବିଧା ସହିତ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି।

ଲୋକମାନେ କିପରି ସିଟି ବସରେ ସୁବିଧାରେ ଯାତାୟାତ କରିବେ, ସେମାନେ ଅପେକ୍ଷା କରିଥିବା ବସ କେଉଁ ସ୍ଥାନରେ ଅଛି, କେତେବେଳେ ଉକ୍ତ ସ୍ଥାନରେ ପହଞ୍ଚିବ, କେଉଁ ରୁଟରେ କେଉଁ ବସ ଆସିବ ସେନେଇ ସବିଶେଷ ତଥ୍ୟ ଯୋଗାଇବା ପାଇଁ କ୍ୟାପିଟାଲ ରିଜିଅନ ଅର୍ବାନ୍ ଟ୍ରାନ୍ସପୋର୍ଟ ତରଫରୁ ‘ମୋ ବସ’ ମୋବାଇଲ ଆପ ମଧ୍ୟ ଲଞ୍ଚ କରାଯାଇଛି। ଏହି ବସ ସେବା ସକାଳ 7ଟାରୁ ଆରମ୍ଭ ହେଉଛି ଓ ରାତି 10ଟା ପର୍ଯ୍ୟନ୍ତ ଚାଲୁଅଛି। ବସରେ ସର୍ବନିମ୍ନ ଦେୟ 7ଟଙ୍କା ଅଟେ।

#odishahockeymensworldcup #mobus #suttleservice

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon