- padmabati kund
କେନ୍ଦ୍ର ସରକାରଙ୍କ କଟକଣା : ଛୋଟ ପିଲାଙ୍କୁ ଓଜନିଆ ସ୍କୁଲ ବ୍ୟାଗ, ହୋମୱାର୍କ ମନା

(ବେତାର ବ୍ୟୁରୋ) ବର୍ତ୍ତମାନ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନିଜ କାନ୍ଧରେ ଖୁବ ବଡ ଓ ଓଜନିଆ ବ୍ୟାଗ ପକାଇ ସ୍କୁଲ ଯାଉଥିବାର ଦେଖିବାକୁ ମିଳୁଛି। ଛୋଟ ଛୋଟ ପିଲାମାନେ ଏତେ ଓଜନ ବୋହୁଥିବାରୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ତରଫରୁ ଏହି ବ୍ୟାଗ ପରିବହନ ଉପରେ କଟକଣା ଜାରି କରାଯାଇଛି। ଛାତ୍ରଛାତ୍ରୀ ଯେମିତି ନିର୍ଦ୍ଧାରିତ ଓଜନଠାରୁ ଅଧିକ ଓଜନର ବ୍ୟାଗ୍ ପରିବହନ ନ କରନ୍ତି ସେଥିପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ହୋମ୍ୱାର୍କ ନ ଦେବାକୁ ଗାଇଡ୍ଲାଇନ୍ରେ ସ୍ପଷ୍ଟ ସୂଚନା ଦିଆଯାଇଛି।
କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ତରଫରୁ ଜାରି କରାଯାଇଥିବା ଏହି ନୂତନ ନିୟମ ଅନୁସାରେ, ଛାତ୍ରଛାତ୍ରୀମାନେ ନିଜ ଶ୍ରେଣୀ ଅନୁସାରେ ନିର୍ଦ୍ଧିଷ୍ଟ ଓଜନ ମଧ୍ୟରେ ବ୍ୟାଗ ନେଇପାରିବେ। ଏହି ନିୟମ ଅନୁଯାୟୀ ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବ୍ୟାଗ୍ର ଓଜନ ୧.୫ କେଜି ରହିବ।
ସେହିପରି ତୃତୀୟରୁ ପାଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଲାଗି ୨ରୁ ୩ କେଜି, ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୪ କେଜି, ଅଷ୍ଟମ ଓ ନବମ ଶ୍ରେଣୀ ପିଲାଙ୍କ ଲାଗି ୪.୫ କେଜି ଓ ଦଶମ ଶ୍ରେଣୀର ପିଲାମାନେ ଅତିବେଶୀରେ ୫ କେଜି ଓଜନର ବ୍ୟାଗ୍ ପକାଇ ବିଦ୍ୟାଳୟକୁ ଯାଇପାରିବେ।
ଏହାସହିତ ଏହି ନିୟମରେ ଉଲ୍ଲେଖ କରାଯାଇଛି ଯେ, କୌଣସି ବି ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ହୋମ୍ୱାର୍କ କରିବାକୁ ଦେବେ ନାହିଁ। ଏନ୍ସିଇଆରଟି ନିୟମ ଅନୁଯାୟୀ ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଭାଷା ଓ ଗଣିତ ବିଷୟରେ ଶିକ୍ଷାଦେବେ । ସେହିପରି ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ଭାଷା, ଇଭିଏସ୍ ଓ ଗଣିତ ବିଷୟରେ ଶିକ୍ଷା ଦିଆଯିବ।
ଅତିରିକ୍ତ ଜିନିଷ ମଗେଇବ ନାହିଁ ସ୍କୁଲ

ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ସାମଗ୍ରୀ ବ୍ୟତୀତ ଅନ୍ୟାନ୍ୟ ସାମଗ୍ରୀ ଆଣିବାକୁ ମଧ୍ୟ କୁହାଯାଇଥାଏ। ଏହାଉପରେ ମଧ୍ୟ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ତରଫରୁ କଟକଣା ଜାରି କରାଯାଇଛି। ପାଠ୍ୟ ସାମଗ୍ରୀ ବ୍ୟତୀତ ଅତିରିକ୍ତ ବହି, ସାମଗ୍ରୀ ଆଣି ବିଦ୍ୟାଳୟକୁ ଆସିବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ କହିପାରିବେ ନାହିଁ। ଯଦି କୌଣସି ବିଦ୍ୟାଳୟ ଏହି ନିୟମ ଉଲ୍ଲଂଘନ କରୁଥିବେ, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି।
ଦ ଆସୋସିଏଟେଡ ଚ୍ୟାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ଅଫ ଇଣ୍ଡିଆ (ASSOCHAM) ତରଫରୁ 2016ରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି ଯେ, ଛୋଟ ପିଲାମାନେ ଅଧିକ ଓଜନର ବ୍ୟାଗକୁ ବୋହି ସ୍କୁଲ ଯିବା ଫଳରେ କମ ବୟସରେ ସେମାନଙ୍କ ମଧ୍ୟରେ ପିଠିଯନ୍ତ୍ରଣା ହେବା ପରି ରୋଗ ଦେଖାଯାଉଛି। ଯାହାକି ସେମାନଙ୍କ ପାଇଁ ଏକ ବହୁତ ବଡ ସମସ୍ୟା ଅଟେ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ତରଫରୁ ଏପରି ନିଷ୍ପତ୍ତି ନିଆଯାଇଛି।