• padmabati kund

ଜଗନ୍ନାଥଙ୍କୁ ପାଖରୁ ଦର୍ଶନ ପାଇଁ ହେବ ଅନଲାଇନ ଟିକେଟ


(ବେତାର ବ୍ୟୁରୋ) ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ବ୍ୟବସ୍ଥାକୁ ନେଇ ନୂଆ ନିଷ୍ପତ୍ତି ନିଆଯାଇଛି। ଭବିଷ୍ୟତରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ ପାଇଁ ଭକ୍ତମାନେ ଅନଲାଇନରେ ଟିକେଟ କିଣିପାରିବେ। ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଥିବା ଶ୍ରୀମନ୍ଦିର ପରିଚାଳନା ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି।

ଭକ୍ତମାନେ ଅନଲାଇନରେ 60 ପ୍ରତିଶତ ଟିକେଟ ପାଇପାରିବେ। ସେହିଭଳି 35 ପ୍ରତିଶତ ଟିକେଟ ମନ୍ଦିର କାର୍ଯ୍ୟାଳୟରୁ ପାଇପାରିବେ । ବାକି 5 ପ୍ରତିଶତ ଟିକେଟ ମୁଖ୍ୟ ପ୍ରଶାସକଙ୍କ ନିକଟରେ ରହିବ। ଏହି 5 ପ୍ରତିଶତ ଟିକେଟକୁ ଅତି ଆବଶ୍ୟକସ୍ଥଳେ ବ୍ୟବହାର କରାଯିବ। ଦୂରଦୂରାନ୍ତରରୁ ଆସୁଥିବା ଭକ୍ତଙ୍କୁ ଦୃଷ୍ଟିରେ ରଖି ଏଭଳି ବ୍ୟବସ୍ଥା କରାଯାଇଛି । ତେବେ ବର୍ତ୍ତମାନ ଟିକେଟ ପାଇଁ କେତେ ମୂଲ୍ୟ ରହିବ ତାହା ଧାର୍ଯ୍ୟ କରାଯାଇନାହିଁ। ପରବର୍ତ୍ତୀ ସମୟରେ ଏହାର ମୂଲ୍ୟ ଧାର୍ଯ୍ୟ କରାଯିବ ବୋଲି ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ଦିନକୁ 4ଥର ହେବ ଟିକେଟ ଦର୍ଶନ

ଭକ୍ତ ମାନେ ଟିକେଟ କିଣିବା ପରେ ଭିତର କାଠ ନିକଟରୁ ଜଗନ୍ନାଥଙ୍କୁ ଦର୍ଶନ କରି ପାରିବେ । ଭକ୍ତମାନେ ପ୍ରତ୍ୟେକ ଦିନ ଚାରିଥର ଜଗନ୍ନାଥଙ୍କୁ ଅତି ପାଖରୁ ଦର୍ଶନ କରିବାର ସୁଯୋଗ ପାଇବେ । ଅବକାଶ ନୀତି, ବଲ୍ଲଭ ନୀତି, ମଧ୍ୟାହ୍ନ ଓ ସନ୍ଧ୍ୟା ଆଳତି ସମୟ ବ୍ୟତୀତ ପର୍ଯ୍ୟାୟକ୍ରମେ ଟିକେଟ କରିଥିବା ଭକ୍ତମାନଙ୍କୁ ଦର୍ଶନ ପାଇଁ ଭିତରକାଠ ନିକଟକୁ ଛଡାଯିବ ।

ପୂର୍ବରୁ ରତ୍ନ ସିଂହାସନ ନିକଟରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ପାରମାଣିକ ଦର୍ଶନର ବ୍ୟବସ୍ଥା କରାଯାଇଥିଲା । ମନ୍ଦିର କାର୍ଯ୍ୟାଳୟରୁ ଭକ୍ତ ମାନେ ଟିକେଟ କାଟି କାଳିଆ ଠାକୁରଙ୍କୁ ଅତି ପାଖରୁ ଦେଖିପାରୁଥିଲେ । କିନ୍ତୁ ମନ୍ଦିର ମରାମତି ଯୋଗୁଁ ଦୀର୍ଘ ଚାରି ବର୍ଷ ହେଲା ଶ୍ରୀମନ୍ଦିରରେ ପାରିମାଣିକ ଦର୍ଶନ ବନ୍ଦ ହୋଇଥିଲା ।

ଶ୍ରୀମନ୍ଦିର ସୁନା ଗୋଲ୍ଡ ସ୍କିମରେ

ଏହାସହିତ ମନ୍ଦିରକୁ ମିଳୁଥିବା ଦାନ ସୁନାକୁ ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଦାନରେ ମିଳୁଥିବା ଏହି ସୁନାକୁ ‘ଗୋଲ୍ଡ ସ୍କିମ’ରେ ବ୍ୟାଙ୍କ ଗୁଡିକରେ ରଖାଯିବ। ପୂର୍ବରୁ ଏହାକୁ ଲକରରେ ରଖାଯାଉଥିଲା। ଲକରରେ ରଖିବା ଫଳରେ ଏହି ସୁନାରେ କିଛି ସୁଧ ମିଳୁନଥିଲା। ତେବେ ‘ଗୋଲ୍ଡ ସ୍କିମ’ରେ ବ୍ୟାଙ୍କରେ ରଖିବା ପରେ ଏହି ସୁନାରେ 2.5% ହାରରେ ସୁଧ ମିଳିବ।

ବ୍ରହ୍ମ ବିଭ୍ରାଟ

ଏହାବ୍ୟତୀତ ବ୍ରହ୍ମବିଭ୍ରାଟ ପ୍ରସଙ୍ଗରେ ମଧ୍ୟ ଶ୍ରୀମନ୍ଦିର ପରିଚାଳନା ବୈଠକରେ ନିଷ୍ପତ୍ତି ନିଆଯାଇଛି । ନୋଟିସ ପରେ ଯେଉଁ ସେବାୟତ ମାନେ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି ତଦନ୍ତ ପରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

ଅନ୍ୟପଟେ ଆମିକସ କ୍ୟୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକର ୩୦ବର୍ଷର ରିପୋର୍ଟ ମାଗିଛନ୍ତି। ଗତ ୩୦ବର୍ଷ ମଧ୍ୟରେ ପରିଚାଳନା କମିଟି ବୈଠକରେ କଣ ସବୁ ନିଷ୍ପତ୍ତି ନିଆଯାଇଛି ସେ ସର୍ମ୍ପକରେ ସେ ରିପୋର୍ଟ ମାଗିଛନ୍ତି। ଏହାସହ ଶାସ୍ତ୍ରୀୟ ପଦ୍ଧତିରେ ଶ୍ରୀମନ୍ଦିରରେ ସେବକମାନେ ସେବାପୂଜା କରୁଛନ୍ତି କି ନାହିଁ ସେନେଇ ମଧ୍ୟ ସବିଶେଷ ରିପୋର୍ଟ ମାଗିବା ସହିତ ଗତ ତିନି ମାସର ସିସିଟିଭି ଫୁଟେଜ ମଧ୍ୟ ମାଗିଛନ୍ତି ।

#shreemandira #onlineticket #jagannathdarshan

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon