• padmabati kund

'ମୋ ସାଇକେଲ' ଦର ଅଧାଘଣ୍ଟାକୁ ₹5 : ଜାଣନ୍ତୁ କିପରି ବ୍ୟବହାର କରିବେ


(ବେତାର ବ୍ୟୁରୋ) ସ୍ୱଳ୍ପ ଖର୍ଚ୍ଚରେ, ସୁସ୍ଥ ଭାବରେ ଓ ସଅଳ ଯାତ୍ରାର ବିକଳ୍ପ ଭାବେ ରାଜ୍ୟ ସରକାର ରାଜଧାନୀ ଭୁବନେଶ୍ୱରରେ ମୋ ସାଇକେଲ ସେବା ଆରମ୍ଭ କରିଛନ୍ତି।  ଭୁବନେଶ୍ୱର ବାସିନ୍ଦାଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ଏବଂ ଭୁବନେଶ୍ଵରକୁ ପ୍ରଦୂଷଣ ମୁକ୍ତ ସହର କରିବା ଲକ୍ଷ୍ୟ ରଖି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ପକ୍ଷରୁ ରାଜଧାନୀରେ ଏହି ପବ୍ଲିକ ବାଇସାଇକେଲ୍‌ ସେୟାରିଂ ବ୍ୟବସ୍ଥା ଆରମ୍ଭ ହୋଇଛି। ସୋମବାର ଦିନ ଭୁବନେଶ୍ୱର ଏୟାରପୋର୍ଟ ଛକ ଠାରେ ମୁଖ୍ୟମନ୍ତ୍ରୀ ଏହି ସେବାର ଶୁଭାରମ୍ଭ କରିଛନ୍ତି।

ଭୁବନେଶ୍ଵରରେ ଏୟାରପୋର୍ଟ ଛକ ଠାରୁ ପଟିଆ ମଧ୍ୟରେ ଏହି ମୋ ସାଇକେଲ 33କିମି ମଧ୍ୟରେ ଚାଲିବ। ଏଥିପାଇଁ ଭୁବନେଶ୍ଵରରେ ପାଖାପାଖି 100ଟି ଷ୍ଟେସନ ରହିବ ଓ ସେଥିମଧ୍ୟରୁ 22ଟି ଷ୍ଟେସନ ସିଟି ବସଷ୍ଟାଣ୍ଡରେ ଉପଲବ୍ଧ ହେବ। ଦୁଇ କିମି ବ୍ୟବଧାନରେ ଏହି ଷ୍ଟେସନ ରହିବ ଓ ପ୍ରତି ଷ୍ଟେସନରେ 15ରୁ 20ଟି ସାଇକେଲ ଉପଲବ୍ଧ ରହିବ। ତେବେ ଗୋଟିଏ ସାଇକେଲ ପାଇଁ ଲୋକଙ୍କୁ ୩୦ ମିନିଟକୁ ମାତ୍ର ୫ଟଙ୍କା ଦେୟ ଦେବାକୁ ପଡିବ। ଏହାର ସ୍ମାର୍ଟ ଲକିଙ୍ଗ ବ୍ୟବସ୍ଥା ଯୋଗୁଁ ଏହି ସେବା ଦିନରାତି 24 ଘଣ୍ଟା 'ମୋ ସାଇକେଲ' ଆପରେ ଉପଲବ୍ଧ ହେବ।

କେମିତି ବ୍ୟବହାର କରିବେ

ଏହି ‘ମୋ ସାଇକେଲ’କୁ ବ୍ୟବହାର କରିବା ପାଇଁ ନିଜ ସ୍ମାର୍ଟଫୋନରେ ‘ମୋ ସାଇକେଲ’ ଆପ ଡାଉନଲୋଡ କରିବାକୁ ପଡିବ। ଆପ ଖୋଲିବା ପରେ, ସାଇକେଲ ଯୋଗଉଥିବା ତିନି କମ୍ପାନୀ ଯଥା ହେକ୍ସି ବାଇକ, ୟୁଲୁ ଓ ୟାନା କମ୍ପାନୀ ମଧ୍ୟରୁ କୌଣସି ଏକ କମ୍ପାନୀରୁ ମେମ୍ବରସିପ ନେବାକୁ ପଡିବ। ଏଥିପାଇଁ ପାଖାପାଖି ଟ.100 ଦେବାକୁ ପଡିବ। ଆପଣ ଯେଉଁ କମ୍ପାନୀର ମେମ୍ବରସିପ ନେଇଥିବେ, ଷ୍ଟେସନରୁ କେବଳ ସେହି କମ୍ପାନୀର ସାଇକେଲ ନେଇପାରିବେ।    

ଏହି ସାଇକେଲରେ ମୋବାଇଲରେ ବ୍ୟବହାର ଭଳି ଏକ ସିମ କାର୍ଡ ରହିବ। ସାଇକେଲରେ ସ୍କାନ କରିବା ପାଇଁ ଏକ ୟ୍ୟୁନିକ କୋର୍ଡ ମଧ୍ୟ ରହିଛି। ସାଇକେଲ ନେବା ସମୟରେ ‘ମୋ ସାଇକେଲ’ ଆପରୁ ଏହି କୋର୍ଡକୁ ସ୍କାନ କରି ସାଇକେଲ ଭଡାକୁ ନେଇପାରିବେ। ଆପ ଜରିଆରେ ମେମ୍ବରସିପ ନେଇଥିବା ସଦସ୍ୟମାନେ ପ୍ରତିଦିନ ପ୍ରଥମ 30ମିନିଟ ମାଗଣାରେ ସାଇକେଲ ଭଡା ନେଇପାରିବେ। ଏହାପରେ ପ୍ରତି 30ମିନିଟକୁ 5ଟଙ୍କା ଦେବାକୁ ପଡିବ।

କେମିତି ଡାଉନଲୋଡ କରିବେ ଏହି ଆପ

ଏହି ‘ମୋ ସାଇକେଲ’ ଆପକୁ ଆପଣ ନିଜର ଆଣ୍ଡ୍ରଏଡ ସ୍ମାର୍ଟଫୋନର ପ୍ଲେଷ୍ଟୋରରୁ ଡାଉନଲୋଡ କରିପାରିବେ। ଏହାକୁ ଡାଉନଲୋଡ କରିବା ପାଇଁ ପ୍ଲେଷ୍ଟୋରରେ ‘com.crut.mocycle’ ଟାଇପ କରନ୍ତୁ। ଏହାପରେ ଆପଣ ‘ମୋ ସାଇକେଲ’ ଆପକୁ ଡାଉନଲୋଡ କରିପାରିବେ। ନିଜ ନାମ, ମୋବାଇଲ ନମ୍ବର ଓ ଜି-ମେଲ ଆଇଡି ଦେବାପରେ ଏଥିରେ ଲଗଇନ କରିପାରିବେ।   

ଜିପିଆରଏସ୍ ଓ ଜିପିଏସ୍ ସଂଯୋଗୀକୃତ ଆପ୍ ମାଧ୍ୟମରେ ଏହା ସାଇକେଲର ଗତିବିଧିକୁ ସହଜରେ ଠାବ କରିହେବ। ବ୍ଲ୍ୟୁଟୁଥ ସୁବିଧା ଫଳରେ ଯାତ୍ରୀଙ୍କୁ ଯାନ୍ତ୍ରିକ ତ୍ରୁଟି ସମ୍ପର୍କରେ ସୂଚନା ତୁରନ୍ତ ମିଳିଯିବ। ସବୁଠାରୁ ବଡ କଥା ଏହାକୁ ଚଲାଇବାର ସୁଯୋଗ ପଥଚାରୀଙ୍କୁ ସୁଲଭ ମୂଲ୍ୟରେ ମିଳିବ।

ଏଥିପାଇଁ ରାଜଧାନୀରେ ପ୍ରଥମ ପର୍ଯ୍ୟାୟରେ ମୋଟ ୨୦୦୦ ସାଇକେଲ୍ ଗଡ଼ିବ। ଏହି ସାଇକେଲ୍ ଜିପିଏସ୍ ବ୍ୟବସ୍ଥାରେ ଚାଲିବାକୁ ଥିବା ବେଳେ ଅନଲାଇନରେ ବୁକିଂ ବ୍ୟବସ୍ଥା ବି ରହିଛି। ଗଡ଼ିବାକୁ ଥିବା ୨୦୦୦ ସାଇକେଲ ମଧ୍ୟରୁ ହେକ୍ସି ବାଇକ୍ ତରଫରୁ ୧୦୦୦ଟି ହିରୋ ସାଇକେଲ୍ ଯୋଗାଇବାକୁ ଥିବା ବେଳେ ୟାନା ଓ ୟୁଲୁ ସଂସ୍ଥା ତରଫରୁ ୫୦୦ଟି ଲେଖାଏଁ ସାଇକେଲ୍ ଯୋଗାଇଛନ୍ତି। ଏହି ସାଇକେଲ୍‌ଗୁଡ଼ିକୁ ଯେପରି କମ୍ ବୟସର ପିଲା, ସ୍କୁଲ ଛାତ୍ରଛାତ୍ରୀ ଏବଂ ଶାଢ଼ି ପିନ୍ଧିଥିବା ମହିଳାମାନେ ଚଲାଇପାରିବେ ସେହିଭଳି ଭାବରେ ଏହାକୁ ନିର୍ମାଣ କରାଯାଇଛି। ଆବଶ୍ୟକସ୍ଥଳେ ସିଟ୍‌କୁ ତଳ ଉପର ମଧ୍ୟକରି ହେବ।

#smartcity #mocycleseva

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon