• ବେତାର ବ୍ୟୁରୋ

ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଉଦଘାଟିତ ହେଲା ହକି ୱାର୍ଲ୍ଡକପ: ମାଧୁରୀ, ରେହମାନ କଲେ ମୋହିତ


(ବେତାର ବ୍ୟୁରୋ) ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମରେ ହକି ୱାର୍ଲ୍ଡକପର ଉଦଘାଟନୀ ଉତ୍ସବ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିଥିଲେ। ଏହା ସହିତ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ, ବଲିଉଡର ବାଦଶାହ ଶାହରୁଖ ଖାନଙ୍କ ନୃତ୍ୟ ପରିବେଷଣ ଓ ଓସ୍କାର ବିଜେତା ଏ.ଆର ରେହମାନଙ୍କ ସଙ୍ଗୀତ ପରିବେଷଣ ଉଦଘାଟନୀ କାର୍ଯ୍ୟକ୍ରମକୁ ରଙ୍ଗୀନ କରିଦେଇଥିଲା।

ସନ୍ଧ୍ୟା ଛ’ଟା ସମୟରେ କାର୍ଯ୍ୟକ୍ରମ ଉଦଘାଟନ ସମୟର କିଛି ସମୟ ପୂର୍ବରୁ ଓଲିଉଡ କଳାକାର ସବ୍ୟସାଚୀ ଓ ଅର୍ଚ୍ଚିତା କିଛି ସମୟ ପାଇଁ ମଞ୍ଚ ଉପରକୁ ଆସିଥିଲେ ଓ 1975 ମସିହାର ଭାରତର ହକି ବିଶ୍ଵକପ ବିଜେତା ଦଳଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ ।

ଏହାପରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ବିଶ୍ଵକପ ଉଦଘାଟନ ହେଲା ବୋଲି ଘୋଷଣା କରିଥିଲେ। ଏହା ସହିତ ଚମତ୍କାର ଆତସବାଜି ଓ ସଂଗୀତ ତାଳରେ ସମଗ୍ର ଷ୍ଟାଡିୟମରେ ଏକ ମନୋରମ ପରିବେଶ ସୃଷ୍ଟି ହେଇଥିଲା ।

ଏହାପରେ ୱାର୍ଲ୍ଡକପରେ ଭାଗ ନେଇଥିବା ୧୬ଟି ଦେଶର ଦଳୀୟ କ୍ୟାପଟେନ ନିଜ ନିଜ ଦେଶର ଜର୍ସି ଓ ହକି ଷ୍ଟିକ ଧରି ମଞ୍ଚ ଉପରକୁ ଆସିଥିଲେ । ଏହାପରେ ଶାହରୁଖ ଖାନ ଏକ ଚିତ୍ତାକର୍ଷକ ରଥରେ ଆସି ସମସ୍ତ କ୍ୟାପଟେନଙ୍କ ସହିତ ହାତ ମିଳାଇଥିଲେ ଓ କାର୍ଯ୍ୟକ୍ରମ ସଫଳ ହେଉ ବୋଲି ଶୁଭ ମନାସି ଥିଲେ । ବଲିଉଡର ଏହି ସୁପରଷ୍ଟାର ଓଡିଆରେ ଦୁଇପଦ କହିଲା ମାତ୍ରେ ଉପସ୍ଥିତ ଦର୍ଶକମାନେ ତାଳି ମାରି ସ୍ଵାଗତ କରିଥିଲେ ।

ଆକର୍ଷଣୀୟ ଡ୍ରୋନ ଆଲୋକ

ପ୍ରାୟ ଶହେରୁ ଉର୍ଦ୍ଧ୍ଵ ଡ୍ରୋନ ଲାଇଟ ସାହାଯ୍ୟରେ ଷ୍ଟାଡିୟମ ଉପର ଆକାଶରେ ହକି ଲୋଗୋ ତଥା ଅନ୍ୟ ଚିତ୍ର ପ୍ରସ୍ତୁତ କରାଯାଇଥିଲା ।

ଡ୍ରୋନ କ୍ୟାମେରା ସାହାଯ୍ୟରେ ଉପରୁ ଉଠାଯାଇଥିବା କଳିଙ୍ଗ ଷ୍ଟାଡିୟମ ଉଦଘାଟନୀ ଉତ୍ସବର ଦୃଶ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ ଥିଲା ।

ଏହାଛଡା ଭୁବନେଶ୍ଵର ଓ କଟକର ବିଭିନ୍ନ ସ୍ଥାନରେ ଏଲ.ସି.ଡି ପରଦା ଲଗାଯାଇ ଏହି ସମାରୋହକୁ ଲାଇଭ ଦେଖାଯାଇଥିଲା। ଯେଉଁମାନେ ଟିକେଟ କରିନପାରି ଷ୍ଟାଡିୟମକୁ ଯାଇପାରିନଥିଲେ ସେମାନେ ଏହାଦ୍ଵାରା ଉତ୍ସବକୁ ଲାଇଭ ଦେଖିପାରିଥିଲେ। ଏହାସହିତ ରାଜ୍ୟର ମୁଖ୍ୟ ନିର୍ବାଚନୀ ମଣ୍ଡଳୀ ଗୁଡିକରେ ମଧ୍ୟ ଡିଜିଟାଲ ପରଦା ସାହାଯ୍ୟରେ ଲୋକମାନେ ଏହି ଉତ୍ସବର ଲାଇଭ କଭରେଜ ଦେଖିପାରିଥିଲେ।

ମନ ମୋହିଲେ ମାଧୁରୀ

ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଆକର୍ଷଣ ବଲିଉଡର ଧକ ଧକ ଗାର୍ଲ ମାଧୁରୀ ଦିକ୍ଷୀତ ନେନେ ନିଜ ନୃତ୍ୟ ମାଧ୍ୟମରେ ଉପସ୍ଥିତ ଦର୍ଶକଙ୍କର ମନ କିଣିନେଇଥିଲେ। ମୋଟ ୧,୧୦୦ କଳାକାରଙ୍କ ସହିତ ମାଧୁରୀ ମିଳିତ ବିଶ୍ୱର ଶକ୍ତିକୁ ନେଇ ଏକ ନୃତ୍ୟ ପରିବେଷଣ କରିଥିଲେ। ‘ଦ ଆର୍ଥ ସଙ୍ଗ’ ନାମକ ଡ୍ୟାନସ ବାଲେଟରେ ମାଧୁରୀ ଦୀକ୍ଷିତ ନିଜର ନୃତ୍ୟର ଜାଦୁ ଦେଖାଇଥିଲେ । ଏହାର ଥିମ ଥିଲା ‘ଏକୀକୃତ ମାନବିକତା’ । ଏଥିରେ ମାଧୁରୀଙ୍କୁ ‘ଭୂ ଦେବୀ’ ରୂପରେ ଦେଖିବାକୁ ମିଳିଥିଲା।

ମୋଟ ୪୦ ମିନିଟ ପର୍ଯ୍ୟନ୍ତ ‘ଦି ଆର୍ଥ ସଙ୍ଗ’ରେ ଭାରତର ବିଭିନ୍ନ ସଂପ୍ରଦାୟ, ଆଦିବାସୀଙ୍କ ନୃତ୍ୟସହିତ ବିଶ୍ଵର ବିଭିନ୍ନ ପ୍ରାନ୍ତର ଭିନ୍ନ ଭିନ୍ନ ନୃତ୍ୟ ପରିବେଷଣ କରାଯାଇଥିଲା।

ରେହମାନଙ୍କ ସଂଗୀତ

ଓସ୍କାର ବିଜେତା ଏ.ଆର ରେହମାନ ମଧ୍ୟ ଏହି ଉତ୍ସବରେ ସଙ୍ଗୀତ ପରିବେଷଣ କରିଥିଲେ। ଉପସ୍ଥିତ ଦର୍ଶକଙ୍କ ସାମ୍ନାରେ ସେ ପ୍ରଥମେ "ଦିଲ ସେ' ଫିଲ୍ମର 'ଦିଲ ସେ' ଗୀତ ଗାଇଥିଲେ । ଏହାପରେ ରୋଜା, ମା ତୁଝେ ସଲାମ ଓ ଓସ୍କାର ବିଜୟୀ ଗୀତ 'ଜୟ ହୋ' ପ୍ରସ୍ତୁତ କରିଥିଲେ।

#odishahockeymensworldcup #openingceremony #madhuridixit #shaharukhkhan #arrehman

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon