- padmabati kund
ଡିଜେଲ ଦର ଖସିଲା; ରାଜ୍ୟରେ ବସ ଭଡ଼ା କମିଲା

(ବେତାର ବ୍ୟୁରୋ) ଦୀର୍ଘଦିନ ଧରି ତେଲଦର ବଢି ରହିଥିବା ବେଳେ ବସ୍ ଭଡା ମଧ୍ୟ ବଢିବାରେ ଲାଗିଥିଲା। ତେବେ ଡିଜେଲ ଦର କମିବାରୁ ବସ ଯାତ୍ରୀମାନଙ୍କ ପାଇଁ ଖୁସି ଖବର ଆସିଛି। କିଛି ମାସ ତଳେ ଅହେତୁକ ଭାବେ ବୃଦ୍ଧି ପାଉଥିବା ଡିଜେଲ ଦର ନିକଟରେ କମିବାରୁ ବସ୍ ଭଡ଼ା ମଧ୍ୟ ହ୍ରାସ କରାଯାଇଛି । ଏନେଇ ପରିବହନ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।
ପରିବହନ କମିଶନରଙ୍କ ବିଜ୍ଞପ୍ତି ମୁତାବକ କିଲୋମିଟର ପିଛା ଅର୍ଡିନାରୀ ଓ ଏକ୍ସପ୍ରେସ ବସ ଭଡାରେ ୨ପଇସା ଏବଂ ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡ଼ା କିଲୋମିଟର ପିଛା ୪ ପଇସା ହ୍ରାସ କରାଯାଇଛି ।
ପୂର୍ବରୁ ଅର୍ଡ଼ିନାରୀ ବସ୍ ଭଡ଼ା କିଲୋମିଟର ପିଛା ୭୨ ପଇସା ଥିବାବେଳେ ବର୍ତ୍ତମାନ ଏହା ୭୦ ପଇସା କରାଯାଇଛି । ସେହିଭଳି ଏକ୍ସପ୍ରେସ ବସ ଭଡ଼ା କିଲୋମିଟର ପିଛା ପୂର୍ବରୁ ୭୫ ପଇସା ଥିଲା ଯାହା ବର୍ତ୍ତମାନ ୭୩ ପଇସା ହୋଇଛି।
ଅନ୍ୟପଟେ ରାଜ୍ୟ ସରକାର ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୪ ପଇସା ହ୍ରାସ କରିଛନ୍ତି । ପୂର୍ବରୁ ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୧ ଟଙ୍କା ୫ ପଇସାଥିବା ବେଳେ ବର୍ତ୍ତମାନ ଏହାକୁ ୧ ଟଙ୍କା ୧ ପଇସା କରାଯାଇଛି । ସେହିଭଳି ପୂର୍ବରୁ ଏସି ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୧ ଟଙ୍କା ୨୭ ପଇସା ଥିବାବେଳେ ବର୍ତ୍ତମାନ ଏହା ୧ ଟଙ୍କା ୨୩ ପଇସାକୁ ହ୍ରାସ କରାଯାଇଛି।

ବସ ଭଡା ହ୍ରାସ ପଛରେ କ୍ରମାଗତ ଭାବେ କମିଚାଲିଥିବା ପେଟ୍ରୋଲ ଓ ଡିଜେଲ ଦର ମୁଖ୍ୟ କାରଣ ଅଟେ । ଚଳିତ ବର୍ଷ ଅଗଷ୍ଟ ମାସରେ ଆନ୍ତର୍ଜାତୀୟ ବଜାରରେ ତୈଳ ଦର ଅତ୍ୟଧିକ ବୃଦ୍ଧି ପାଇବା ପରେ ଅକ୍ଟୋବର ମାସ ମଧ୍ୟଭାଗରୁ ଏହା ଖସିବାକୁ ଆରମ୍ଭ କରିଥିଲା।
ଭାରତ ସରକାରଙ୍କ ତୈଳ ବିକ୍ରି କରୁଥିବା କମ୍ପାନୀମାନଙ୍କ ତଥ୍ୟ ଅନୁଯାୟୀ ଗତ 30 ଦିନ ମଧ୍ୟରେ ଡିଜେଲ ଦର ଲିଟର ପିଛା ପ୍ରାୟ 7 ଟଙ୍କା କମିସାରିଲାଣି । ସେହିପରି ରାଜଧାନୀ ଭୁବନେଶ୍ଵରରେ ଗତ ଦୁଇ ସପ୍ତାହ ମଧ୍ୟରେ ଡିଜେଲ ଦର ଲିଟର ପିଛା ପ୍ରାୟ 4 ଟଙ୍କା ହ୍ରାସ ପାଇଛି।
ଭାରତୀୟ ତୈଳ କମ୍ପାନୀ ମାନେ ଗତ 15 ଦିନର ତୈଳଦର ମୂଲ୍ୟକୁ ନେଇ ଦୈନିକ ପେଟ୍ରୋଲ ଓ ଡିଜେଲ ଦର ନିର୍ଦ୍ଧାରଣ କରିଥାନ୍ତି । ସେହିପରି ଓଡିଶା ସରକାରଙ୍କ ପରିବହନ ବିଭାଗ ମଧ୍ୟ ତୈଳ ଦର ବଢିବା ଓ କମିବା ଅନୁସାରେ ରାଜ୍ୟରେ ବସ ଭଡା ନିର୍ଣ୍ଣୟ କରିଥାନ୍ତି ।
ଶେଷଥର ପାଇଁ ବସ ଭଡାରେ ବୃଦ୍ଧି ନଭେମ୍ବର ୧୫ ତାରିଖରେ ହୋଇଥିଲା। ଡିଜେଲ ଦର ବୃଦ୍ଧି ହୋଇଥିବାରୁ ପରିବହନ କମିଶନର ଏହି ନିଷ୍ପତ୍ତି ନେଇଥିଲେ। ସେହି ସମୟରେ କିଲୋମିଟର ପିଛା ଅର୍ଡିନାରୀ ଓ ଏକ୍ସପ୍ରେସ ବସ ଭଡାରେ ୨ପଇସା ଏବଂ ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡ଼ା କିଲୋମିଟର ପିଛା ୪ ପଇସା ବୃଦ୍ଧି କରାଯାଇଥିଲା। ଉକ୍ତ ସମୟରେ ଡିଜେଲ ଦର ଲିଟର ପ୍ରତି ଟ.୭୮.୭୪ ରହିଥିଲା।