• padmabati kund

ବିସିସିଆଇର ନିଷ୍ପତ୍ତି: ବୟସ ଲୁଚାଇଲେ ଦୁଇ ବର୍ଷ ବାସନ୍ଦ


(ବେତାର ବ୍ୟୁରୋ) ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ତରଫରୁ ଗତ ମଙ୍ଗଳବାର କ୍ରିକେଟ ଖେଳାଳୀଙ୍କ ପାଇଁ ନୂତନ ନିୟମ ଲାଗୁ କରାଯାଇଛି। ଆଗକୁ ଯଦି କୌଣସି ଖେଳାଳୀ ନିଜ ଜନ୍ମତାରିଖ ବିଷୟରେ ମିଥ୍ୟା ତଥ୍ୟ ଦେଇଥାନ୍ତି ତେବେ ସେହି ଖେଳାଳୀଙ୍କ ଉପରେ ଦୁଇବର୍ଷର ପ୍ରତିବନ୍ଧକ ଲାଗିବ। ଏହି ନୂତନ ନିୟମ ବିଷୟରେ ବିସିସିଆଇ ତରଫରୁ ସମସ୍ତ ରାଜ୍ୟସଂଘକୁ ସୂଚନା ଦିଆଯାଇଛି।

ଏହି ନୂତନ ନିୟମ ବିଷୟରେ ବିସିସିଆଇ ତରଫରୁ କୁହାଯାଇଛି ଯେ, ବିସିସିଆଇର କ୍ରିକେଟରେ ମିଥ୍ୟା ଜନ୍ମ ତାରିଖ ଦେବାକୁ ନେଇ ଶୂନ୍ୟ ସହିଷ୍ଣୁତା ନୀତି ରହିଛି। ଯଦି କୌଣସି ଖେଳାଳୀ ନିଜ ଜନ୍ମ ତାରିଖ ସମ୍ବନ୍ଧରେ ମିଥ୍ୟା ପ୍ରମାଣପତ୍ର ଦେଇଥାଏ ଓ ଦୋଷୀ ବୋଲି ପ୍ରମାଣିତ ହୁଏ ତେବେ ସେହି ଖେଳାଳୀଙ୍କ ବିରୋଧରେ କଠିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବିସିସିଆଇର ଏହି ନିଷ୍ପତ୍ତି ଚଳିତ ସିଜିନ ଆରମ୍ଭରୁ ସମସ୍ତ ରାଜ୍ୟସଙ୍ଘକୁ ସୂଚିତ କରିଦିଆଯାଇଛି। ଚଳିତ ସିଜିନ ଅର୍ଥାତ 2018-19 ସିଜିନରେ ଯଦି କୌଣସି ଖେଳାଳୀ ବିସିସିଆଇ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ମିଥ୍ୟା ଜନ୍ମ ତାରିଖ ଦେଇଥାଏ ତେବେ ସେହି ଖେଳାଳୀକୁ ତୁରନ୍ତ ଅଯୋଗ୍ୟ ଘୋଷଣା କରାଯିବ। ଏହାସହିତ ଦୁଇବର୍ଷ ପାଇଁ ଅର୍ଥାତ 2018-19 ଓ 2019-20 ସିଜିନରେ ବିସିସିଆଇର କୌଣସି ଟୁର୍ଣ୍ଣାମେଣ୍ଟରେ ସେ ଭାଗ ନେଇ ପାରିବେ ନାହିଁ।

ଏହାପୂର୍ବରୁ ମିଥ୍ୟା ଜନ୍ମ ପ୍ରମାଣପତ୍ର ଦେଲେ ଖେଳାଳୀଙ୍କୁ ଏକବର୍ଷ ପାଇଁ ବାସନ୍ଦ କରାଯାଉଥିଲା। ଗତ ସେପ୍ଟେମ୍ବର ମାସରେ ବିସିସିଆଇ ତରଫରୁ ମେଘାଳୟର ଖେଳାଳୀ ଯଶକିରତ ସିଂ ସଚଦେବାଙ୍କୁ ବାସନ୍ଦ କରାଯାଇଛି। ଏହି ଖେଳାଳୀ 19ବର୍ଷରୁ କମ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ନିଜର ମିଥ୍ୟା ଜନ୍ମ ପ୍ରମାଣପତ୍ର ଦେଇଥିଲେ।

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଅଣ୍ଡର-19 ଦଳର କୋଚ ରାହୁଲ ଦ୍ରାବିଡ ଏହା ସମ୍ବନ୍ଧରେ 2015 ମସିହାରେ ହୋଇଥିବା MAK pataudi ବକ୍ତବ୍ୟରେ ନିଜ ମନ୍ତବ୍ୟ ରଖିଥିଲେ। ତାଙ୍କ ମତରେ ଆନ୍ତର୍ଜାତୀୟ କ୍ରିକେଟରେ ମ୍ୟାଚ ଫିକସିଙ୍ଗ ଓ ଦୁର୍ନୀତି ପରି ମିଥ୍ୟା ଜନ୍ମ ପ୍ରମାଣପତ୍ର ଦେବା ମଧ୍ୟ ଏକ ବଡ ସମସ୍ୟା ଅଟେ।

ଏହାବ୍ୟତୀତ ଫୁଟବଲ ଖେଳରେ ମଧ୍ୟ ଏପରି ଘଟଣା ମଧ୍ୟ ଦେଖିବାକୁ ମିଳିଛି। ଇଣ୍ଡିଆନ ସୁପର ଲିଗର ଚଳିତ ସିଜିନରେ ଜାମଶେଦପୁର ଏଫସି ଦଳର ଜଣେ ଖେଳାଳୀଙ୍କୁ ଛଅ ମାସ ପାଇଁ ବାସନ୍ଦ କରାଯାଇଛି। ଏହି ଖେଳାଳୀଙ୍କ ନାମ ହେଉଛି ଗୌରଭ ମୁଖି। AIFFର ରିପୋର୍ଟ ଅନୁଯାୟୀ ସେ ଜନ୍ମ ତାରିଖ ବିଷୟରେ ମିଥ୍ୟା ପ୍ରମାଣପତ୍ର ଦେଇଥିଲେ।

#cricket #agefraud #2yearban

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon