• padmabati kund

ଅଷ୍ଟ୍ରେଲିଆରେ ବିରାଟ କୋହଲି ଭାଙ୍ଗିପାରନ୍ତି ସଚିନଙ୍କ ଆଉ ଏକ ରେକର୍ଡ


(ବେତାର ବ୍ୟୁରୋ) ଭାରତୀୟ ଦଳର ଅଧିନାୟକ ତଥା ‘ରନ ମେସିନ’ ଭାବରେ ପରିଚିତ ବିରାଟ କୋହଲି ଯେତେବେଳେ ବି ବ୍ୟାଟିଙ୍ଗ କରିବା ପାଇଁ ଆସିଥାନ୍ତି, କିଛି ନା କିଛି ପୁରୁଣା ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି କରିଥାନ୍ତି। ଆଗକୁ ଆରମ୍ଭ ହେବାକୁ ଥିବା ଭାରତ ଓ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜରେ ମଧ୍ୟ ଏପରି କିଛି ଦେଖିବାକୁ ମିଳିବ। 

ସଚିନ ତେନ୍ଦୁଲକରଙ୍କ ଅନେକ ରେକର୍ଡ ଭାଙ୍ଗିବା ପରେ ବିରାଟଙ୍କ ନଜର ସଚିନଙ୍କ ଆଉ ଏକ ରେକର୍ଡ ଭାଙ୍ଗିବା ଉପରେ ରହିଛି। ଏହି ରେକର୍ଡଟି ହେଉଛି ଅଷ୍ଟ୍ରେଲିଆ ବିରୁଦ୍ଧରେ ଅଷ୍ଟ୍ରେଲିଆରେ ସର୍ବାଧିକ ଶତକ ହାସଲ କରିବା।

ସଚିନ ତେନ୍ଦୁଲକର ନିଜ କ୍ୟାରିୟର ମଧ୍ୟରେ ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଛଅଟି ଶତକ ହାସଲ କରିଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ବିରାଟ କୋହଲି ଅଷ୍ଟ୍ରେଲିଆର ଅଷ୍ଟ୍ରେଲିଆ ବିରୁଦ୍ଧରେ ପାଞ୍ଚଟି ଶତକ ହାସଲ କରିଛନ୍ତି। ଡିସେମ୍ବର 6 ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଟେଷ୍ଟ ସିରିଜରେ ଯଦି ବିରାଟ ଦୁଇଟି ଶତକ ହାସଲ କରନ୍ତି ତେବେ ସେ ସଚିନଙ୍କୁ ଏହି ତାଲିକାରେ ପଛରେ ପକାଇ ପ୍ରଥମ ସ୍ଥାନକୁ ଆସିଯିବେ।

ସଚିନ ତେନ୍ଦୁଲକର ତାଙ୍କ କ୍ୟାରିୟରରେ ଅଷ୍ଟ୍ରେଲିଆକୁ 6ଟି ସିରିଜ ଖେଳିବା ପାଇଁ ଯାଇଛନ୍ତି। ଏହି ସିରିଜଗୁଡିକରେ ସେ ମୋଟ ମୋଟ 20ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଏହି 20ଟି ଟେଷ୍ଟ ମ୍ୟାଚରେ ସେ ମୋଟ 1809ରନ କରିଛନ୍ତି ଓ ଛଅଟି ଶତକ ହାସଲ କରିଛନ୍ତି। ଅନ୍ୟପଟେ ବିରାଟ କୋହଲି ତୃତୀୟଥର ପାଇଁ ଅଷ୍ଟ୍ରେଲିଆ ବିରୁଦ୍ଧରେ ଅଷ୍ଟ୍ରେଲିଆରେ ଖେଳୁଛନ୍ତି। ବର୍ତ୍ତମାନ ଯାଏଁ ଅଷ୍ଟ୍ରେଲିଆରେ ସେ ମୋଟ 8ଟି ଟେଷ୍ଟ ମ୍ୟାଚ ଖେଳି 992ରନ ସଂଗ୍ରହ କରିଛନ୍ତି ଓ ପାଞ୍ଚଟି ଶତକ ହାସଲ କରିଛନ୍ତି।

ଭାରତ ପୂର୍ବଅଧିନାୟକ ସୁନୀଲ ଗାଭାସ୍କର ମଧ୍ୟ ଅଷ୍ଟ୍ରେଲିଆ ବିରୁଦ୍ଧରେ ଅଷ୍ଟ୍ରେଲିଆରେ ପାଞ୍ଚଟି ଶତକ ହାସଲ କରିଛନ୍ତି। ସେହିପରି ଭି.ଭି.ଏସ ଲକ୍ଷ୍ମଣ  ଚାରିଟି ଶତକ ହାସଲ କରି ତାଲିକାରେ ଚତୁର୍ଥ ସ୍ଥାନରେ ରହିଛନ୍ତି।

କଷ୍ଟକର ହେବ

ତେବେ ପୂର୍ବରୁ 2014 ମସିହାରେ ଅଷ୍ଟ୍ରେଲିଆରେ ଖେଲାଯାଇଥିବା ଟେଷ୍ଟ ସିରିଜରେ କୋହଲି ମୋଟ ଚାରିଟି ଶତକ ମାରିଥିଲେ ଓ ଆଡିଲେଡ ଓଭାଲରେ ଖେଲାଯାଇଥିବା ମ୍ୟାଚର ଦୁଇଟିଯାକ ଇନିଙ୍ଗ୍ସରେ କୋହଲି ଶତକ ହାସଲ କରିଥିଲେ। ଅଷ୍ଟ୍ରେଲିଆର ଏହି ଆଡିଲେଡ ଓଭାଲ ଗ୍ରାଉଣ୍ଡଟି କୋହଲିଙ୍କର ପସନ୍ଦର ଗ୍ରାଉଣ୍ଡ ବୋଲି ମଧ୍ୟ କୁହାଯାଏ। ଆସନ୍ତା ଡିସେମ୍ବରରେ ଖେଳିବାକୁ ଥିବା ଟେଷ୍ଟ ସିରିଜ ମଧ୍ୟ ଏହି ଗ୍ରାଉଣ୍ଡରେ ଖେଳାଯିବ। ତେବେ ପ୍ରଥମ ଟେଷ୍ଟ ମ୍ୟାଚରେ କୋହଲି ଏହି ରେକର୍ଡ ଭାଙ୍ଗିବେ ବୋଲି ସମସ୍ତେ ଆଶା ରଖିଛନ୍ତି।

ଅନ୍ୟପଟେ ଅଷ୍ଟ୍ରେଲିଆ ଦଳରେ ମିଚେଲ ଷ୍ଟାର୍କ, ପାଟ କୁମିନ୍ସ ଓ ଜୋଶ ହଜାଲଉଡଙ୍କ ପରି ବୋଲର ମଧ୍ୟ ଖେଳୁଛନ୍ତି। ଏହି ବୋଲରମାନେ କୋହଲିଙ୍କ ପାଇଁ ଏହି ରେକର୍ଡ ହାସଲ କରିବାକୁ ସହଜ ହେବାକୁ ଦେବେ ନାହିଁ। ଏହି ତିନି ବୋଲର ଇଂଲଣ୍ଡ ବିରୁଦ୍ଧରେ ଖୁବ ଭଲ ପ୍ରଦର୍ଶନ କରିଥିଲେ, ତେଣୁ ଭାରତୀୟ ଦଳ ପାଇଁ ହୁଏତ ଏହି ବୋଲର କିଛି ସମସ୍ୟା ସୃଷ୍ଟି କରିପାରନ୍ତି।

#cricket #australiavsindia #viratkohli

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon