• ବେତାର ବ୍ୟୁରୋ

ଲାଗୁହେଲା ପୁରୀ-ଭୁବନେଶ୍ୱର ରୁଟରେ ବସ ରହଣି ସମୟ ବ୍ୟବସ୍ଥା


(ବେତାର ବ୍ୟୁରୋ) ରାଜ୍ୟର ପ୍ରମୁଖ ବାସ୍ ରୁଟର ବିଭିନ୍ନ ଷ୍ଟପେଜମାନଙ୍କରେ ବସ୍ ରହଣି ସମୟକୁ ନେଇ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ ବସ ମାଲିକ ସଂଘମାନଙ୍କ ସହିତ ଆଲୋଚନା ପରେ କେଉଁ ସ୍ଥାନରେ କେତେ ସମୟ ବସ ରହିପାରିବ ଓ କେତେ ସମୟ ବ୍ୟବଧାନରେ ଆଉ ଏକ ବସ ମୂଳ ବସ ଷ୍ଟାଣ୍ଡରୁ ଯାତ୍ରା ଆରମ୍ଭ କରିବା ସେ ନେଇ ସମୟ ସାରଣୀ ସ୍ଥିର ହେଇଚି।

ଏହି ନିଷ୍ପତ୍ତି ଶନିବାର ଠାରୁ (ଡିସେମ୍ବର ୧) କଟକ-ପୁରୀ ଓ ଭୁବନେଶ୍ୱର-ପୁରୀ ବସ୍ ମାନଙ୍କରେ ଲାଗୁହେବ ବୋଲି ସରକାରୀ ବିଜ୍ଞପ୍ତିରେ କୁହାଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ ଭୋର ସମୟ (4ଟା ରୁ 6ଟା- ପୁରୀ ବା 5-7ଟା ରସୁଲଗଡ଼) ରେପ୍ରତି ପାଞ୍ଚ ମିନିଟରେ ଗୋଟିଏ ବସ ଷ୍ଟାଣ୍ଡରୁ ବାହାରିଯିବ । ଦିନସାରା (ସକାଳ ୭ ରୁ ସନ୍ଧ୍ୟା ୭) ପୁରୀ, କଟକ କିମ୍ବା ବରମୁଣ୍ଡାରୁ ଷ୍ଟାଣ୍ଡରୁ ପ୍ରତି ତିନି ମିନିଟ ବା ଅଢେଇ ମିନିଟରେ ବାହାରିବାକୁ ବାଧ୍ୟ । ସେହିପରି ସନ୍ଧ୍ୟା ୭ ପରେ ଏହି ବସ ଷ୍ଟାଣ୍ଡ ମାନଙ୍କରୁ ପ୍ରତି ପାଞ୍ଚ ମିନିଟରେ ଗୋଟିଏ ବସ ବାହାରିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।

ସେହିପରି ଏହି ରୁଟରେ ଚଳାଚଳ କରୁଥିବା ବସ ରସୁଲଗଡ଼, କଳ୍ପନା ଓ ପିପିଲି ଠାରେ ସର୍ବାଧିକ ୩ ମିନିଟ ରହିପାରିବେ ଓ ଅନ୍ୟାନ୍ୟ ଷ୍ଟପେଜରେ ସର୍ବାଧିକ ଦୁଇ ମିନିଟ ରହିପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ଅଛି ।

ପୁରୁଣା ବିବାଦ

ବର୍ତ୍ତମାନ ପୁରୀ-ଭୁବନେଶ୍ୱର ପରମିଟ୍‌ରେ ରହିଥିବା ସମୟ ଅନୁଯାୟୀ ବସ୍‌ଗୁଡିକ ମଧ୍ୟରେ ବ୍ୟବଧାନ ୩ ରୁ ୪ମିନିଟ ରହିଛି। ଏଥିଯୋଗୁ ବିବାଦ ମୁଣ୍ଡଟେକୁଛି। ଏହି ବିବାଦକୁ ନେଇ ୨ବର୍ଷ ମଧ୍ୟରେ ୧୦ଥର ବସ ଚଳାଚଳ ବନ୍ଦ ରହିଲାଣି। ସୂଚନା ଅନୁସାରେ ପ୍ରତ୍ୟେକ ଦିନ ପୁରୀରୁ ୬୫ଟି ବସ ଭୁବନେଶ୍ୱର ଏବଂ ୭୫ଟି ବସ କଟକ ଭୁବନେଶ୍ୱର ବସ ପୁରୀକୁ ଚଳାଚଳ କରୁଛି । ତେବେ ଏତେ ବସ ଚଳାଚଳ କରୁଥିଲେ ମଧ୍ୟ ଅନେକ ସମୟରେ ସାଧାରଣରେ ଯାତ୍ରୀ ହଇରାଣ ହେଉଛନ୍ତି ।

ବାସ୍ତବରେ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ସମୟ ଅନୁଯାୟୀ ପୁରୀ-ଭୁବନେଶ୍ୱର ଓ ପୁରୀ-କଟକ ଷ୍ଟାଣ୍ଡରୁ ବସ ଚଳାଚଳ କରିଥାଏ। ତେବେ ପୁରୀରୁ ଯାଉଥିବା ବସକୁ ଭୁବନେଶ୍ୱର ବସମାଲିକ ମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ଷ୍ଟାଣ୍ଡରୁ ପଠାଇଦେଉଥିବା ଅଭିଯୋଗ ହୋଇଆସୁଥିଲା । ସେହିପରି ଭୁବନେଶ୍ୱର ଆସୁଥିବା ବସକୁ ମଧ୍ୟ ସମୟ ଅନୁଯାୟୀ ପୁରୀରୁ ଛାଡୁନଥିବା ଅଭିଯୋଗ ହେଉଥିଲା ।

ଏହି ଘଟଣାକୁ କେନ୍ଦ୍ର କରି ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଉଭୟ ସ୍ଥାନର ବସ ମାଲିକଙ୍କ ଭିତରେ ଝଗଡା ହେଇଥିଲା ଓ ଏହି ରୁଟ ରେ ବସ ଚଳାଚଳ ଦିନେ-ଦୁଇଦିନ ଧରି ବ୍ୟାଘାତ ପ୍ରାପ୍ତ ହେଇଥିଲା । ଏହାପରେ ରାଜ୍ୟ ପରିବହନ ବିଭାଗ ଏକ ନିଷ୍ପତ୍ତି ନେବା ବୋଲି ନିର୍ଣ୍ଣୟ ନେଇଥିଲା ।

ସବୁ ସ୍ଥାନରେ ନିୟମ

ତେବେ ଖାଲି କଟକ-ପୁରୀ ବା ଭୁବନେଶ୍ୱର-ପୁରୀ ନୁହେଁ, ରାଜ୍ୟ ସରକାର ସମଗ୍ର ଓଡିଶାରେ ମଧ୍ୟ କେଉଁ ସ୍ଥାନରୁ ବସ କେତେ ସମୟ ବ୍ୟବଧାନରେ ଛାଡିବ ଓ କେଉଁ ଷ୍ଟପେଜରେ କେତେ ସମୟ ରହିବ , ତାହା ମଧ୍ୟ ବହୁ ପୂର୍ବରୁ ନିର୍ଣ୍ଣୟ କରିସାରିଛନ୍ତି କଟକ-ବ୍ରହ୍ମପୁର, ବ୍ରହ୍ମପୁର-ଭଞ୍ଜନଗର, ଭୁବନେଶ୍ୱର-ନୟାଗଡ, ଭୁବନେଶ୍ୱର-ଅସ୍ତରଙ୍ଗ, ସମ୍ବଲପୁର-ସୁନ୍ଦରଗଡ, କଟକ-ବାଲେଶ୍ଵର-ବାରିପଦା ଇତ୍ୟାଦି ଅନେକ ଗୁରୁତ୍ଵପୂର୍ଣ୍ଣ ରୁଟରେ ବସ ଚଳାଚଳ ସମୟ ନିର୍ଘଣ୍ଟ ବହୁ ପୂର୍ବରୁ ସ୍ଥିର ହେଇସାରିଛି ।

#busfare #puri #Bhubaneswar #cuttack

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon