• Bishnupriya Swain

‘ପରିଶ୍ରା ଯାଉଛୁ’ କହି 2 କଏଦୀ କୋର୍ଟ କାନ୍ଥ ଡେଇଁ ବାଇକରେ ଫେରାର


(ବେତାର ବ୍ୟୁରୋ) ଘଟଣାଟି ଏକଦମ ଫିଲ୍ମ ଷ୍ଟାଇଲରେ ହେଇଥିଲା ଭଳି ଲାଗୁଥିଲେ ହେଁ ସଂପୂର୍ଣ୍ଣ ସତ ଘଟଣା । ଏହି ଘଟଣାଟି ଘଟିଛି କୋରାପୁଟ ଜିଲ୍ଲାର ଜୟପୁର ସହର ନିକଟରେ । ତେବେ ଆହୁରି ରୋଚକ କଥା ହେଉଛି , ଏହି ଘଟଣାଟି ଜୟପୁର କୋର୍ଟ ପରିସରରେ ଘଟିଛି ।

ଫେରାର କଏଦୀ ହେଲେ ଜୟପୁର କୁସୁମ୍ପୁଟର ଲାଲବହାଦୁର ଦର୍ଜୀ ଓ ମାଲକାନଗିରିର କେ. ପବନ କୁମାର ରାଓ ।ଲାଲବହାଦୁର ନାମରେ ନାବାଳିକା ବଳତ୍କାର ଓ ଡକାୟତ ମାମଲା ରହିଥିବା ବେଳେ ପବନ ନାମରେ ମଧ୍ୟ ସମାନ ଅଭିଯୋଗ ରହିଛି।

ଚଳିତ ସପ୍ତାହର ବୁଧବାର ଦିନ ଉକ୍ତ ଦୁଇ ଅପରାଧୀଙ୍କୁ ଜୟପୁର କୋର୍ଟକୁ ନିଆଯାଇଥିଲା । କୋର୍ଟ ପାଖରେ ପହଞ୍ଚି ଦୁହେଁ ପରିଶ୍ରା ଯିବାକୁ କହିଥିଲେ । ସେମାନେ କୋର୍ଟ ପାଖ କାନ୍ଥ ନିକଟକୁ ପରିଶ୍ରା କରିବାକୁ ଯାଇଥିଲା ବେଳେ ହଠାତ କାନ୍ଥ ସେପଟକୁ ଡେଇଁ ପଡିଥିଲେ ।

ଏହି ଘଟଣା ଦେଖି ତାଙ୍କୁ ଜଗି ରହିଥିବା ପୋଲିସ କର୍ମଚାରୀମାନେ ଦଉଡି ଗଲାବେଳକୁ କଏଦୀମାନେ ଏକ ବାଇକରେ ବସି ଯାଉଥିବାର ଦେଖାଯାଇଥିଲା । କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ ସେଠାରେ କେହିଜଣେ ବାଇକରେ ଦୁଇଜଣଙ୍କ ପାଇଁ ଅପେକ୍ଷା କରି ରହିଥିଲା । କଏଦୀମାନେ ଜେଲ କାନ୍ଥ ଡେଇଁବା ପରେ ଉକ୍ତ ବାଇକରେ ବସି ଫେରାର ହେଇଯାଇଥିଲେ ।

(ଫାଇଲ ଫୋଟୋ)

ତେବେ ସ୍ଥାନୀୟ ଖବର ପ୍ରକାଶନ ସଂସ୍ଥା ଅନୁସାରେ ଏକ ସାଙ୍ଗରେ ଦୁଇଜଣକୁ ପରିଶ୍ରା କରିବାପାଇଁ ଛାଡିବା ଓ କୋର୍ଟ ବାହାରେ ବାଇକ ଧରି ଜଣେ ଛିଡା ହେଇରହିବା କେବଳ ପୋଲିସର ଅବହେଳା ନୁହେଁ, ବରଂ ସେମାନେ ମଧ୍ୟ ଏହି କାଣ୍ଡରେ ସାମିଲ ଅଛନ୍ତି ବୋଲି ସନ୍ଦେହ କରାଯାଉଛି । କୋରାପୁଟର ୟୁ ଟ୍ୟୁବ ଖବର ଚାନେଲ ‘କୋରାପୁଟ ଲାଇଭ” ଅନୁସାରେ ‘ଖସିଗଲେ ନା ‘ଖସେଇ ଦିଆଗଲା’ ଶୀର୍ଷକରେ ଏକ ଭିଡିଓ ରିପୋର୍ଟ ପ୍ରକାଶ ପାଇଥିଲା ।

କର୍ମଚାରୀ ସସପେଣ୍ଡ

ଏହି ଘଟଣା ପରେ ସେହି ସମୟରେ କାର୍ଯ୍ୟରେ ଥିବା ଜଣେ ହାବିଲ୍‌ଦାର ଓ ୨ ଜଣ କନେଷ୍ଟବଳଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି ବୋଲି କୋରାପୁଟ ଏସ୍‌ପି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଜୟପୁର କୋର୍ଟ ପରିସରରେ କନଷ୍ଟବଳ କେ. ଶାନ୍‌କ୍ରି ଓ ହାବିଲଦାର ମାନଧର ଗୌଡ଼ ଓ ରାଜେଶ ସ୍ୱାଇଁ କାର୍ଯ୍ୟରେ ନିୟୋଜିତ ଥିଲେ। ଏହି ସମୟରେ ୨ ବିଚାରଧୀନ ବନ୍ଦୀ କେ ପବନ କୁମାର ଓ ଲାଲବାହାଦୁର ଦରଜି ଜେଲ ପରିସରରୁ ଚମ୍ପଟ ମାରିଥିଲେ। ତେବେ ଘଟଣା ପରେ ଏସ୍‌ପି ବିଆର୍‌ ରାଓ ଓ ଏସ୍‌ଡିପିଓ ଜଗାରାଓ ରେଡ୍ଡି ଘଟଣାର ସମୀକ୍ଷା କରୁଛନ୍ତି। କାର୍ଯ୍ୟରେ ଖିଲାପ କରିଥିବା ହେତୁ କନଷ୍ଟବଳ କେ. ଶାନ୍‌କ୍ରି ଓ ହାବିଲଦାର ମାନଧର ଗୌଡ଼ ଓ ରାଜେଶ ସ୍ୱାଇଁଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି ବୋଲି କୋରାପୁଟ ଏସ୍‌ପି କହିଛନ୍ତି ।

ଏହି ଅପରାଧୀମାନଙ୍କୁ ଧରିବା ପାଇଁ ପୋଲିସ ତରଫରୁ ୩ ଟି ଟିମ ଗଠନ କରାଯାଇଥିଲେ ବି ଏପର୍ଯ୍ୟନ୍ତ ପୋଲିସ ଏମାନଙ୍କୁ ଧରିବାରେ ସକ୍ଷମ ହୋଇନି ।

#crime #police #Koraput

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon