- padmabati kund
ଦେଖନ୍ତୁ : ପ୍ରିୟଙ୍କାଙ୍କ ସଂଗୀତ,ବିବାହ ଉତ୍ସବରେ କ'ଣ ସବୁ ହେଲା

(ବେତାର ବ୍ୟୁରୋ) ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ଆମେରିକାର ଗାୟକ ତଥା ଅଭିନେତା ନିକ ଜୋନାସ ବିବାହ ବନ୍ଧନରେ ଆବଦ୍ଧ ହୋଇଯାଇଛନ୍ତି। ଜୋଧପୁର ଉମେଦ ଭବନରେ ଡିସେମ୍ବର 1ତାରିଖରେ ସଂପୂର୍ଣ୍ଣ ଖ୍ରୀଷ୍ଟିୟାନ ରୀତିନୀତିରେ ବିବାହ କରିବା ପରେ ଡିସେମ୍ବର 2 ଦୁଇ ତାରିଖରେ ହିନ୍ଦୁ ରୀତିନୀତିରେ ବିବାହ କରିଛନ୍ତି। ଉଭୟଙ୍କ ବିବାହର ଫଟୋକୁ ଫ୍ୟାନମାନେ ଦେଖିବା ପାଇଁ ଚାହିଁ ରହିଛନ୍ତି। ବିବାହର ଫଟୋ କିଛି ସୋସିଆଲ ମିଡିଆରେ ଶେୟାର କରାଯାଇନଥିଲେ ମଧ୍ୟ ସଙ୍ଗୀତ ଓ ମେହେନ୍ଦୀ ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଡିସେମ୍ବର 1ତାରିଖ ଶନିବାରରେ ପ୍ରିୟଙ୍କା ଓ ନିକ ଜୋନାସଙ୍କ ଖ୍ରୀଷ୍ଟିୟାନ ରୀତିନୀତିରେ ବିବାହ ହେବା ସହିତ ସଙ୍ଗୀତ ଓ ମେହେନ୍ଦୀ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି ସମୟର କିଛି ଫଟୋ ଓ ଭିଡିଓସୋସିଆଲ ମିଡିଆରେ ଶେୟାର କରାଯାଇଛି। ପ୍ରିୟଙ୍କା ଓ ନିକଙ୍କ ସମେତ ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ବହୁତ ଖୁସି ଦେଖିବାକୁ ମିଳିଥିଲା। ମେହେନ୍ଦୀ ଉତ୍ସବରେ ପ୍ରିୟଙ୍କା ଏକ ହଳଦିଆ ଫ୍ଲୋରାଲ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ ଓ ନିକ ଏକ ଧଳା କୁର୍ତ୍ତା ପିନ୍ଧିଥିଲେ। ମେହେନ୍ଦୀ ଉତ୍ସବରେ ନିକ ନିଜ ହାତରେ ପ୍ରିୟଙ୍କାଙ୍କ ନାମ ମଧ୍ୟ ଲେଖିଥିଲେ।

ତେବେ ଖ୍ରୀଷ୍ଟିୟାନ ରୀତିନୀତିରେ ଉଭୟଙ୍କ ବିବାହ ସମ୍ପନ୍ନ ହେବା ପରେ ଉମେଦ ଭବନ ବାହାରେ ଅନେକ ବାଣ ଫୁଟାଯାଇଥିଲା। ଏଥିପାଇଁ ସୋସିଆଲ ମିଡିଆରେ ପ୍ରିୟଙ୍କାଙ୍କୁ ଟ୍ରୋଲ ମଧ୍ୟ କରାଯାଇଛି, କାରଣ ଦୀପାବଳି ସମୟରେ ପ୍ରଦୂଷଣ ରୋକିବା ପାଇଁ ଓ ତାଙ୍କୁ ଶ୍ଵାସରୋଗ ଥିବାରୁ ଲୋକମାନଙ୍କୁ ବାଣ ନଫୁଟାଇବା ଅନୁରୋଧ କରିଥିଲେ।
ସେହିପରି ବେଶ ଧୂମଧାମରେ ନିକ ଓ ପ୍ରିୟଙ୍କାଙ୍କ ସଙ୍ଗୀତ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ପ୍ରିୟଙ୍କାଙ୍କ ତରଫରୁ ତାଙ୍କ ପରିବାର ସଦସ୍ୟ, ମା’ ମଧୁ ଚୋପ୍ରା, ଭଉଣୀ ପରିଣୀତି ଚୋପ୍ରା, ଅମ୍ବାନୀ ପରିବାରର ସଦସ୍ୟଙ୍କ ସହିତ ଆହୁରି ଅନେକ ଅତିଥି ଉପସ୍ଥିତ ଥିଲେ। ସେହିପରି ନିକ ଜୋନାସଙ୍କ ତରଫରୁ ତାଙ୍କ ପରିବାର ସଦସ୍ୟଙ୍କ ସମେତ ଭାଇ ଜୋଇ ଜୋନସଙ୍କ ଭାବି ପତ୍ନୀ ସୋଫି ଟର୍ନର ମଧ୍ୟ ଉପସ୍ଥିତ ରହିଥିଲେ।
ଏହି ସଙ୍ଗୀତ ଉତ୍ସବରେ ଉଭୟ ବରପକ୍ଷ ଓ କନ୍ୟାପକ୍ଷରୁ ସମସ୍ତ ସଦସ୍ୟ ନୃତ୍ୟ ପରିବେଷଣ କରିଥିଲେ। ସଙ୍ଗୀତ ଉତ୍ସବର ଏକ ଭିଡିଓ ପ୍ରିୟଙ୍କା ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏହି ଉତ୍ସବରେ ପ୍ରିୟଙ୍କାଙ୍କ ସହ ମା’ ମଧୁ ଚୋପ୍ରା ମଧ୍ୟ ନାଚିଥିଲେ।
ପ୍ରିୟଙ୍କା ଓ ନିକଙ୍କ ଏହି ହିନ୍ଦୁ ବିବାହ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି। ଅନେକ ଆନ୍ତର୍ଜାତୀୟ ସେଲିବ୍ରିଟିମାନେ ତାଙ୍କୁ ବିବାହ ପାଇଁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି। ଏହି ଦମ୍ପତ୍ତି ଆସନ୍ତା ଡିସେମ୍ବର 4 ତାରିଖରେ ଦିଲ୍ଲୀରେ ରିସେପ୍ସନ ଦେବେ। ତେବେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ପ୍ରିୟଙ୍କା ଓ ନିକଙ୍କ ଏହି ରିସେପ୍ସନରେ ଅନେକ ବଡ ବଡ କଳାକାରଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଅତିଥି ରୂପେ ଯୋଗ ଦେଇପାରନ୍ତି।