- padmabati kund
ଏହି ଉପାୟରେ ଘରେ କରନ୍ତୁ କେଶ ଷ୍ଟ୍ରେଟନିଙ୍ଗ

(ବେତାର ବ୍ୟୁରୋ) ବର୍ତ୍ତମାନ ସମୟରେ କେଶକୁ ଷ୍ଟ୍ରେଟନିଙ୍ଗ କରିବାର ଫ୍ୟାଶନ ବହୁତ ଟ୍ରେଣ୍ଡରେ ଅଛି। ଅଧିକାଂଶ ଝିଅମାନେ ଷ୍ଟ୍ରେଟ କେଶକୁ ହିଁ ପସନ୍ଦ କରୁଛନ୍ତି। ଏଥିପାଇଁ ଷ୍ଟ୍ରେଟନିଙ୍ଗ ମେସିନ ଓ ଅନେକ ରାସାୟନିକ ପଦାର୍ଥର ବ୍ୟବହାର ମଧ୍ୟ କରିଥାନ୍ତି। ଏହାକୁ ବ୍ୟବହାର କରିବା ଦ୍ଵାରା କେଶ କିଛି ସମୟ ପର୍ଯ୍ୟନ୍ତ ସୁନ୍ଦର ଦେଖାଯାଇଥାଏ କିନ୍ତୁ କିଛିଦିନ ପରେ କେଶ ପୁଣି ଆଗ ପରି ହୋଇଯାଏ କିମ୍ବା ତାଠାରୁ ଅଧିକ ଖରାପ ହୋଇଯାଇଥାଏ। ଏଥିପାଇଁ କେଶକୁ ଷ୍ଟ୍ରେଟ କରିବା ପାଇଁ ରାସାୟନିକ ପଦାର୍ଥ ବ୍ୟବହାର କରିବା ପରିବର୍ତ୍ତେ ପ୍ରାକୃତିକ ପଦାର୍ଥର ବ୍ୟବହାର କରନ୍ତୁ।
ଯଦି ଆପଣଙ୍କ କେଶ ମଧ୍ୟ କୁଞ୍ଚୁକୁଞ୍ଚିଆ ଅଟେ ଓ ଏହାକୁ ଷ୍ଟ୍ରେଟ କରିବା ପାଇଁ ଚାହୁଁଛନ୍ତି ତେବେ ପ୍ରାକୃତିକ ଉପାୟରେ କେଶକୁ କିପରି ଷ୍ଟ୍ରେଟ କରିବେ ସେଥିପାଇଁ ଜାଣିରଖନ୍ତୁ କିଛି ସହଜ ଉପାୟ।
୧.ଜାମୁ ତେଲ ଓ ଅଣ୍ଡାର ମିଶ୍ରଣ: କେଶକୁ ଷ୍ଟ୍ରେଟ କରିବା ସହିତ ଏହାକୁ ମଜଭୁତ ରଖିବା ମଧ୍ୟ ଜରୁରୀ ଅଟେ। ଏଥିପାଇଁ ଜାମୁ ତେଲ ଓ ଅଣ୍ଡା ବିଶେଷ ସହାୟକ ହୋଇଥାଏ। ଦୁଇଟି ଅଣ୍ଡାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏହାପରେ ଏଥିରେ ଦୁଇ ଚାମଚ ଜାମୁ ତେଲ ପକାନ୍ତୁ। ଏହାକୁ ୧୫-୨୦ମିନିଟ ପର୍ଯ୍ୟନ୍ତ ମିଶାନ୍ତୁ। ଏହି ମିଶ୍ରଣକୁ କେଶରେ ଧୀରେ ଧୀରେ ଲଗାନ୍ତୁ। ୪୫ମିନିଟ ପରେ ଶାମ୍ପୋ ଲଗାଇ କେଶକୁ ଭଲ ଭାବରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ଵାରା କେଶ ଷ୍ଟ୍ରେଟ ହେବା ସହିତ ମଜଭୁତ ମଧ୍ୟ ହୋଇଥାଏ।

୨.କ୍ଷୀର, ମହୁ ଓ ଷ୍ଟ୍ରବେରୀ ମିଶ୍ରଣ: ପ୍ରାକୃତିକ ଉପାୟରେ କେଶକୁ ଷ୍ଟ୍ରେଟ କରିବା ପାଇଁ ଚାହୁଁଥିଲେ ଏହି ମିଶ୍ରଣ ଆପଣଙ୍କ ପାଇଁ ଉପଯୋଗୀ ହୋଇପାରିବ। ଏଥିପାଇଁ ଆପଣଙ୍କ କେଶର ଲମ୍ବ ଅନୁସାରେ କ୍ଷୀର ନିଅନ୍ତୁ ଓ ସେଥିରେ ମହୁ ମିଶାନ୍ତୁ। ଏହାପରେ ଏଥିରେ ଷ୍ଟ୍ରବେରୀ ପେଷ୍ଟ ମିଶାଇ ଏହା ବହଳିଆ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ ସପ୍ତାହକୁ ଦୁଇଥର କେଶରେ ଲଗାନ୍ତୁ।
୩.କଦଳୀ: କେଶକୁ ଷ୍ଟ୍ରେଟ କରିବା ପାଇଁ କ୍ଷୀରରେ ଦୁଇଟି କଦଳୀ, ଜାମୁ ତେଲ ଓ ମହୁ ମିଶାନ୍ତୁ। ଏହାକୁ ଭଲ ଭାବରେ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ କେଶରେ ଦୁଇଘଣ୍ଟା ପାଇଁ ଲଗାଇ ରଖନ୍ତୁ। ଅଳ୍ପ ଉଷୁମ ପାଣିରେ କେଶକୁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ଵାରା କେଶ ଷ୍ଟ୍ରେଟ ହେବା ସହିତ କେଶରେ ନୂଆ ଚମକ ମଧ୍ୟ ଆସିଥାଏ।
୪.ମୁଲତାନି ମାଟି ଓ ଚାଉଳ ଗୁଣ୍ଡର ମିଶ୍ରଣ: ଏକ କପ ମୁଲତାନି ମାଟିରେ ଗୋଟିଏ ଅଣ୍ଡା ଓ ପାଞ୍ଚ ଚାମଚ ଚାଉଳଗୁଣ୍ଡ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ କେଶରେ ଲଗାନ୍ତୁ ଓ ୪୦ମିନିଟ ପରେ ଥଣ୍ଡାପାଣିରେ ଧୋଇଦିଅନ୍ତୁ। ତେବେ ପେଷ୍ଟ ଲଗାଇବାର ପୂର୍ବ ରାତିରୁ କେଶରେ ଭଲ ଭାବରେ ତେଲ ଲଗାନ୍ତୁ। ଏହି ମିଶ୍ରଣକୁ ସପ୍ତାହକୁ ଥରେ ବ୍ୟବହାର କରନ୍ତୁ।

୫.ଲେମ୍ବୁରସ ଓ ନଡିଆ କ୍ଷୀର: ଲେମ୍ବୁରସ ଓ ନଡିଆ କ୍ଷୀରକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଗୋଟିଏ ଦିନ ପାଇଁ ଫ୍ରିଜରେ ରଖନ୍ତୁ। ଏହାପରେ ଏହି ପେଷ୍ଟକୁ କେଶରେ ଲଗାଇ ଭଲ ଭାବରେ ମସାଜ କରନ୍ତୁ। ଏହାପରେ ଏକ ଟାୱେଲକୁ ଅଳ୍ପ ଗରମ ପାଣିରେ ବୁଡାଇ ଭଲ ଭାବରେ ଚିପୁଡି କେଶରେ ଗୁଡାଇ ରଖନ୍ତୁ। ଏକ ଘଣ୍ଟା ପରେ କେଶକୁ ଭଲ ଭାବରେ ଧୋଇଦିଅନ୍ତୁ।