• ବେତାର ବ୍ୟୁରୋ

ଖୁବ ଶୀଘ୍ର ଆନନ୍ଦବଜାରରେ ଲାଗିବ ମହାପ୍ରସାଦ ଦର ତାଲିକା


(ବେତାର ବ୍ୟୁରୋ) ଶ୍ରୀମନ୍ଦିରର ଆନନ୍ଦବଜାରରେ ଭକ୍ତମାନଙ୍କୁ ସୁଲଭ ଦରରେ ଅବଢା ଯୋଗାଇବା ପାଇଁ ଦରତାଲିକା ଲାଗିବ ବୋଲି ଆଗରୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ମଙ୍ଗଳବାର ଶ୍ରୀମନ୍ଦିରରେ ପରୀକ୍ଷାମୂଳକଭାବେ ମହାପ୍ରସାଦ ରନ୍ଧନ କରଯାଇଥିଲା। ପୁରୀ ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ ଓ ଏହାକୁ ଆଧାର କରି ଦର ନିର୍ଦ୍ଧାରଣ କରାଯିବ ବୋଲି ଏହି ପରୀକ୍ଷାମୂଳକ ଭାବେ ମହାପ୍ରସାଦ ରନ୍ଧାଯାଇଥିଲା। ତେବେ ପରୀକ୍ଷାମୂଳକ ଭାବରେ ମହାପ୍ରସାଦ ରନ୍ଧାଯିବା ପରେ ଖୁବ ଶୀଘ୍ର ଦରତାଲିକା ଲାଗିବ ବୋଲି ନିଷ୍ପତ୍ତି ନିଆଯାଇଛି।

ମଙ୍ଗଳବାର ପୁରୀରେ ଆୟୋଜିତ ହୋଇଥିବା ନୀତି ସବ୍-କମିଟି ବୈଠକ ମଧ୍ୟ ଆୟୋଜିତ ହୋଇଥିଲା। ଏହି ବୈଠକରେ ମହାପ୍ରସାଦ ଦରତାଲିକା ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ଏନେଇ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, ପରୀକ୍ଷାମୂଳକ ଭାବେ ମହାପ୍ରସାଦ ରନ୍ଧାଯାଇଛି। ସୁଆର, ନିଯୋଗଙ୍କ ସହିତ ଆଲୋଚନା ପରେ ଏହି ଦର ନିର୍ଦ୍ଧାରଣ କରାଯିବ। ତେବେ ଏନେଇ କୌଣସି ସମୟ ସୀମା ଧାର୍ଯ୍ୟ ହୋଇନାହିଁ। ଖୁବ ଶ୍ରୀଘ ଆନନ୍ଦବଜାରରେ ମହାପ୍ରସାଦ ଦରତାଲିକା ଲଗାଯିବ।

ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାଲକ୍ଷ୍ମୀ ଭଣ୍ଡାରରୁ ସାମଗ୍ରୀ ଯୋଗାଇ ଦିଅଯାଇଥିଲା। ମହାପ୍ରସାଦ ପ୍ରସ୍ତୁତି ପାଇଁ କେଉଁ ସାମଗ୍ରୀ କେତେ ପରିମାଣର ଆବଶ୍ୟକ ତାହାର ମଧ୍ୟ ଏକ ତାଲିକା କରଯାଇଥିଲା। ତେବେ ଏହିସବୁ ସାମଗ୍ରୀ ପାଇଁ କେତେ ଖର୍ଚ୍ଚ ହେଉଛି ଓ ପାଳିଆ, ପୋଛିଆ ସୁପକାର ସେବାୟତଙ୍କ ପାଉଣାକୁ ମଧ୍ୟ ବିଚାରକୁ ନିଆଯିବ। ଏହି ସମସ୍ତ ଖର୍ଚ୍ଚକୁ ଆକଳନ କରି ଶ୍ରୀମଦିର ପ୍ରଶାସନ ତରଫରୁ ଦର ଆକଳନ କରାଯିବ। ଏହାପରେ ଭକ୍ତମାନେ ଆନନ୍ଦବଜାରରୁ ସୁଲଭ ମୂଲ୍ୟରେ ଅବଢା ପାଇପାରିବେ।

ଆୟୋଜିତ ହୋଇଥିବା ଏହି ନୀତି ବୈଠକରେ ଡିସେମ୍ବର ୧୬ରୁ ଜାନୁଆରି ୧୩ ପର୍ଯ୍ୟନ୍ତ ହେବାକୁ ଥିବା ପହିଲି ଭୋଗ ନୀତି ଚୂଡାନ୍ତ ହୋଇଛି। ଏଥିସହିତ ରାତି ୧୧.୩୦ଟାରେ ପହୁଡ, ପାହାନ୍ତି ୩ଟାରେ ଦ୍ୱାରା ଫିଟା ନୀତି ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଅନଲାଇନରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଯେଉଁ ଟିକେଟ ବ୍ୟବସ୍ଥାର ଆୟୋଜନ କରାଯିବ ବୋଲି ଯୋଜନା ଚାଲିଛି ବୋଲି ଖବର ପ୍ରକାଶ ପାଇଥିଲା ସେ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି।

ନୀତି ସବ୍-କିମିଟି ବୈଠକରେ ପ୍ରତିହାରୀ ନିଯୋଗକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀମନ୍ଦିରରେ ଥିବା ପନ୍ତୀଘରକୁ ଆଗରୁ ଭାଙ୍ଗି ଦିଆଯାଇଥିଲା। ଏହାକୁ ପୁଣି ଥରେ ନିର୍ମାଣ ପାଇଁ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।

#shreemandira #abadhapricechart

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon