• padmabati kund

ବରାଦି ଅବଢ଼ା ପାଇଁ ଶ୍ରୀମନ୍ଦିରରେ ତିଆରି ହେବ ସ୍ୱତନ୍ତ୍ର ପ୍ଲାଟଫର୍ମ


(ବେତାର ବ୍ୟୁରୋ) ଶ୍ରୀମନ୍ଦିରର ଉନ୍ନୟନ ପାଇଁ ଗତ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ଉନ୍ନୟନ ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ତେବେ ବରାଦି ଅବଢାକୁ ନେଇ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବରାଦି ଭୋଗ ବାହାରିବା ପରେ ଅବଢାକୁ ଏଣେତେଣେ ନରଖି, ଏଥିପାଇଁ ଏକ ପ୍ଲାଟଫର୍ମ ନିର୍ମାଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।  

ଶ୍ରୀମନ୍ଦିରରେ ବରାଦି ଭୋଗ ବାହାରିବା ପରେ ତାହାକୁ ବାଇଶି ପାହାଚର ଗୁମୁଟ, ଦକ୍ଷିଣଦ୍ଵାର ଚକଡା, ଉତ୍ତରଦ୍ଵାର ପାହାଚ ଆଦି ସ୍ଥାନରେ ଆଣି ରଖାଯାଇଥାଏ। ଅବଢାକୁ ଏଣେ ତେଣେ ରଖିବା ଫଳରେ ବିଭିନ୍ନ ସମସ୍ୟା ଉପୁଜୁଥିବାର ଦେଖିବାକୁ ମିଳିଛି। ଏହି ସମସ୍ୟାକୁ ଦୂର କରିବା ପାଇଁ ଏଣିକି ବରାଦି ଭୋଗ ରଖିବା ପାଇଁ ଏକ ପ୍ଲାଟଫର୍ମ ନିର୍ମାଣ କରାଯିବ। କୋଇଲି ବୈକୁଣ୍ଠ ନିକଟରେ ସୁଆର ମହାସୁଆର ନିଯୋଗ ଗୃହ ନିକଟରେ ଏହି ପ୍ଲାଟଫର୍ମ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି।

ସେହିଭଳି ଶ୍ରୀମନ୍ଦିରରେ ରହିଥିବା ଢିଙ୍କି କୁଟା ଘର ଓ କଟାବଟା ଘର ଦୁର୍ବଳ ଥିବା ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ଏହି ଘରୁ ପାଣି ଗଳୁଥିବାରୁ ଖୁବଶୀଘ୍ର ଏହାର ମରାମତି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ଓ ଏହାସହିତ ସରଘର ମଧ୍ୟ ମରାମତି କରାଯିବ। ଏହାବ୍ୟତୀତ ଆନନ୍ଦ ବଜାରରେ ଜଳ ଯୋଗାଣ ପ୍ରକଳ୍ପ କରାଯିବ।

ସିଂହଦ୍ଵାରରୁ ସୂଚନା କେନ୍ଦ୍ର ହଟିବ

ସିଂହଦ୍ଵାର‌ ସମ୍ମୁଖରେ ଥିବା ସୂଚନାକେନ୍ଦ୍ର ଶ୍ରୀମନ୍ଦିର କାର୍ଯ୍ୟ‌ାଳୟକୁ ସ୍ଥାନାନ୍ତର କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଏଥି ସହିତ ଶ୍ରୀମନ୍ଦିର ପରିସରରେ କଠିନ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କରାଯିବ। ସମୁଦ୍ରକୂଳରେ ଶ୍ରୀମନ୍ଦିରର ସୂଚନା କେନ୍ଦ୍ର ରହିଛି। ମାତ୍ର ଏହା ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିପାରୁନାହିଁ। ତେଣୁ ଏହାର ଆଧୁନିକୀକରଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।  ସିଂହଦ୍ଵାର ସମ୍ମୁଖରେ ପ୍ରତିହାରୀ ନିଯୋଗର ଏକ ପଂକ୍ତି ଘର ନିର୍ମାଣ କରାଯିବ। ତେବେ ଏହି ପଂକ୍ତିଘର ଅସ୍ଥାୟୀ ଭାବେ ନିର୍ମାଣ ହେବ।

ଅନ୍ୟପଟେ ଶ୍ରୀମନ୍ଦିରର ପାଠାଗାର ବର୍ତ୍ତମାନ ଜଗନ୍ନାଥବଲ୍ଲଭ ମଠ କୋଠାରେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଖୁବଶୀଘ୍ର ଏଥିପାଇଁ ଏକ ନୂତନ କୋଠା ନିର୍ମାଣ କରାଯିବ। ସେହିଭଳି ଜଗନ୍ନାଥ ବଲ୍ଲଭରେ ବହୁତଳ ପାର୍କିଂ ନିର୍ମାଣ ପାଇଁ ରିଲାଏନସକୁ ଦିଆଯାଇଥିବା ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହାସହିତ ପରିକ୍ରମା ମାର୍ଗ ନିର୍ମାଣ, ଶ୍ରୀମନ୍ଦିର କାର୍ଯ୍ୟାଳୟ ପୁରୁଣା କୋଠାର ନବୀକରଣ କରାଯିବ।

ବୈଠକରେ ବୈଷୟିକ କମିଟି ସଦସ୍ୟ ଧର୍ମପଦ ମିଶ୍ର, ଶ୍ରୀନ୍ଦିର ପ୍ରଶାସନର ଅଧିକ୍ଷଣ ଯନ୍ତ୍ରୀ ବିନ୍ଧେଶ୍ଵର ପାତ୍ର, ନିର୍ବାହୀ ଯନ୍ତ୍ରୀ ଆଶିଷ ସୁବୁଦ୍ଧି, ଆର୍କିଟେକ୍ଟ୍‌ ଭବାନୀ ମିଶ୍ର, ନିର୍ବାହୀ ଯନ୍ତ୍ରୀ ତାରା ଧଳଙ୍କ ସମେତ ବିଭିନ୍ନ କର୍ପୋରେଟ୍‌ ସଂସ୍ଥାର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

#shreemandira #puritemple #religion

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon