- padmabati kund
ବିରାଟ କୋହଲିଙ୍କ 2018 ଆୟ ଭାରତର ସବୁ ଖେଳାଳିଙ୍କ ଠାରୁ ଅଧିକ

(ବେତାର ବ୍ୟୁରୋ) ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ୨୦୧୮ରେ କ୍ରିକେଟରେ ଅନେକ ରେକର୍ଡ ହାସଲ କରିଛନ୍ତି। ତେବେ କ୍ରିକେଟ ବ୍ୟତୀତ ସେ ଅନ୍ୟ ଏକ ରେକର୍ଡ ମଧ୍ୟ ଚଳିତ ବର୍ଷ ହାସଲ କରିଛନ୍ତି।
୨୦୧୮ବର୍ଷ ପାଇଁ ଫୋବର୍ସ ମାଗାଜିନ ତରଫରୁ ପ୍ରକାଶ ପାଇଥିବା ସବୁଠାରୁ ଅଧିକ ରୋଜଗାର କରିଥିବା ଭାରତୀୟ ଖେଳାଳୀଙ୍କ ମଧ୍ୟରେ ବିରାଟ କୋହଲି ପ୍ରଥମ ସ୍ଥାନରେ ଅଛନ୍ତି। ସେହିପରି ଚଳିତ ବର୍ଷ ସବୁଠାରୁ ଅଧିକ ରୋଜଗାର କରିଥିବା ସେଲିବ୍ରିଟିଙ୍କ ମଧ୍ୟରେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି।
ଗତବର୍ଷ ବିରାଟ କୋହଲି ୧୦୦.୭୨ କୋଟି ଟଙ୍କା ରୋଜଗାର କରିଥିଲେ। ତେବେ ଚଳିତ ବର୍ଷ ବିରାଟ କୋହଲିଙ୍କ ଆୟ ବଢି ୨୨୮.୦୯ କୋଟିରେ ପହଞ୍ଚିଛି। ଭିନ୍ନ ଭିନ୍ନ ବିଜ୍ଞାପନ ଗୁଡିକରୁ ବିରାଟ ଅଧିକ ରୋଜଗାର କରିଥାନ୍ତି। ତେବେ ଭାରତର ଦାମୀ ଖେଳାଳୀଙ୍କ ତାଲିକାରେ ବିରାଟଙ୍କ ପରେ ମହେନ୍ଦ୍ର ସିଂ ଧୋନୀ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ଧୋନୀ ଚଳିତ ବର୍ଷ ମୋଟ ୧୦୧.୭୭ କୋଟି ଟଙ୍କା ରୋଜଗାର କରିଛନ୍ତି। ଗତବର୍ଷ ଧୋନୀ ୬୩.୭୭କୋଟି ଟଙ୍କା ରୋଜଗାର କରିଥିଲେ।
ଏହି ତାଲିକାରେ ତୃତୀୟ ସ୍ଥାନରେ ସଚିନ ତେନ୍ଦୁଲକର ରହିଛନ୍ତି। ସେ ମୋଟ ୮୦କୋଟି ଟଙ୍କା ରୋଜଗାର କରିଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବାର ପାଞ୍ଚବର୍ଷରୁ ଅଧିକ ହେବା ସତ୍ତ୍ୱେ ମଧ୍ୟ ତାଲିକାରେ ଶ୍ରେଷ୍ଠ ତିନିଜଣଙ୍କ ମଧ୍ୟରେ ସ୍ଥାନ ହାସଲ କରିବାରେ ସଫଳ ହୋଇଛନ୍ତି। ଏହି ତାଲିକାରେ ଚତୁର୍ଥ ସ୍ଥାନରେ ବ୍ୟାଡମିଣ୍ଟନ ଖେଳାଳୀ ପି.ଭି ସିନ୍ଧୁ (୩୬.୫କୋଟି), ପଞ୍ଚମ ସ୍ଥାନରେ ରୋହିତ ଶର୍ମା (୩୧.୪୯ କୋଟି), ଷଷ୍ଠ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା (୨୮.୪୬କୋଟି) ଓ ସପ୍ତମ ସ୍ଥାନରେ ରବିଚନ୍ଦ୍ରନ ଅଶ୍ଵିନ (୧୮.୪୯କୋଟି) ରହିଛନ୍ତି।
ଶାହରୁଖ ଓ ଅକ୍ଷୟଙ୍କୁ ପଛରେ ପକାଇଲେ ବିରାଟ

ଫୋବର୍ସ ଦ୍ଵାରା ପ୍ରକାଶିତ ସବୁଠାରୁ ଧନୀ ସେଲିବ୍ରିଟିଙ୍କ ମଧ୍ୟରେ ବିରାଟ ଦ୍ଵିତୀୟ ସ୍ଥାନରେ ରହିଥିବା ବେଳେ ପ୍ରଥମ ସ୍ଥାନରେ ରହିଛନ୍ତି ବଲିଉଡ ଷ୍ଟାର ସଲମାନ ଖାନ। ସଲମାନ ଖାନ ମୋଟ ୨୫୬କୋଟି ଟଙ୍କା ରୋଜଗାର କରିଛନ୍ତି। ତେବେ ଏହି ତାଲିକାରେ ବଲିଉଡ ଷ୍ଟାର ଅକ୍ଷୟ କୁମାର ଓ ଶାହରୁଖ ଖାନଙ୍କୁ ବିରାଟ ପଛରେ ପକାଇ ଦେଇଛନ୍ତି। ଅକ୍ଷୟ କୁମାର ୧୮୫କୋଟି ରୋଜଗାର କରି ତାଲିକାରେ ତୃତୀୟ ସ୍ଥାନରେ ରହିଥିବା ବେଳେ ଶାହରୁଖ ଖାନ ୫୬କୋଟି ରୋଜଗାର କରି ତାଲିକାରେ ୧୩ତମ ସ୍ଥାନରେ ରହିଛନ୍ତି।
ଗତବର୍ଷ ଏହି ତାଲିକାରେ ଶାହରୁଖ ଦ୍ଵିତୀୟ ସ୍ଥାନରେ ରହିଥିଲେ।
ମହିଳା ସେଲିବ୍ରିଟିଙ୍କ ମଧ୍ୟରେ ଦୀପିକା ଆଗରେ

ଫୋବର୍ସ ରିପୋର୍ଟ ଅନୁସାରେ, ସବୁଠାରୁ ଅଧିକ ରୋଜଗାର କରିଥିବା ମହିଳା ସେଲିବ୍ରିଟିଙ୍କ ମଧ୍ୟରେ ଦୀପିକା ପାଦୁକୋନ ପ୍ରଥମରେ ରହିଛନ୍ତି। ଦୀପିକା ମୋଟ ୧୧୨.୮କୋଟି ଟଙ୍କା ରୋଜଗାର କରିଛନ୍ତି। ଏହାବ୍ୟତୀତ ଏହି ତାଲିକାରେ ଅଭିନେତ୍ରୀ ଆଲିୟା ଭଟ୍ଟ, ଅନୁଷ୍କା ଶର୍ମା, କାଟ୍ରିନା କୈଫ,ବ୍ୟାଡମିଣ୍ଟନ ଖେଳାଳୀ ପିଭି ସିନ୍ଧୁ ଓ ସାଇନା ନେହୱାଲ ମଧ୍ୟ ସ୍ଥାନ ପାଇଛନ୍ତି। ଏହି ତାଲିକାରେ ମୋଟ ୧୮ଜଣ ମହିଳା ସ୍ଥାନ ପାଇଛନ୍ତି। ଗତ ବର୍ଷ ଏହି ତାଲିକାରେ ୨୧ଜଣ ମହିଳା ସ୍ଥାନ ପାଇଥିଲେ। ଅଭିନେତ୍ରୀ ଅନୁଷ୍କା ଶର୍ମା ୪୫.୮୩ କୋଟି ସହିତ ତାଲିକାରେ ୧୬ତମ ସ୍ଥାନରେ ରହିଛନ୍ତି।