• padmabati kund

ଇ-ଚାଲାଣ ଆରମ୍ଭ : ବାରମ୍ବାର ନିୟମ ଉଲ୍ଲଂଘନ କଲେ ଦୁଇଗୁଣା ଜରିମାନା


(ବେତାର ବ୍ୟୁରୋ) ରାସ୍ତାରେ ଗାଡି ଚଳାଇ ଯିବାବେଳେ ହେଲମେଟ ନ ପିନ୍ଧିଲେ ବା ପାଖରେ ଡ୍ରାଇଭିଙ୍ଗ ଲାଇସେନ୍ସ, ଗାଡିର RC ବୁକ ଇତ୍ୟାଦି ଜରୁରୀ କାଗଜପତ୍ର ନ ରଖିଲେ ଟ୍ରାଫିକ ପୋଲିସ ଜରିମାନା ଚାଲାଣ କାଟି ଚାଳକଙ୍କ ଠାରୁ ଅର୍ଥ ଆଦାୟ କରିଥାନ୍ତି। ବେଳେବେଳେ ପାଖରେ ପଇସା ନାହିଁ ବୋଲି କହି ଲୋକମାନେ ସେଠାରୁ ଖସି ଯାଇଥାନ୍ତି। କିନ୍ତୁ ଆଗକୁ ଏଭଳି ଖସି ଯିବାର ବାଟ ବନ୍ଦ ହୋଇଯାଇଛି। କାରଣ ପରିବହନ ବିଭାଗ ପକ୍ଷରୁ ଇ-ଚାଲାଣ ବ୍ୟବସ୍ଥାର ଶୁଭାରମ୍ଭ ହୋଇଯାଇଛି। ଏହି ବ୍ୟବସ୍ଥାକୁ ଜୟଦେବ ଭବନର ଗୀତଗୋବିନ୍ଦ କକ୍ଷରେ ଗୁରୁବାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ ଉଦଘାଟନ କରିଛନ୍ତି।

ମୋଟର ଯାନ ଆଇନ ଉଲ୍ଲଂଘନକାରୀଙ୍କ ଠାରୁ ଆଦାୟ ହେଉଥିବା ଜରିମାନା ଆଉ ମାନୁଆଲ ଚାଲାଣରେ ଆଦାୟ ହେବନି। କାଗଜ ରସିଦ୍‌ର ଅପବ୍ୟବହାର ହେବାରୁ ଏଭଳି ଏକ ପଦକ୍ଷେପ ନିଆଯାଇଛି। ସମସ୍ତ ଜରିମାନା ଡିଜିଟାଲ ମୋଡ୍‌ରେ ପୈଠ ହେବ। ଏହି ମୋଟର ଯାନ ଆଇନକୁ ବାରମ୍ବାର ଉଲ୍ଲଂଘନ କରୁଥିବା ଚାଳକ ଏଥର ଦୁଇଗୁଣା ଜରିମାନା ଦେବେ।

ଏହି ଅପରାଧ ସବୁର ଅନଲାଇନ ରେକର୍ଡ ରଖାଯିବାର ବ୍ୟବସ୍ଥା ମଧ୍ୟ ରହିଛି। ଡିଜିଟାଲ ମୋଡ୍‌ରେ କ୍ରେଡିଟ ଓ ଡେବିଟ କାର୍ଡ ସହ ନଗଦ ଅର୍ଥ ସଂଗ୍ରହ କରାଯିବ। ଏହି ବ୍ୟବସ୍ଥାକୁ ଅନ୍ୟ ସମ୍ପୃକ୍ତ ବିଭାଗଗୁଡ଼ିକ ସହ ସଂଯୋଗୀକରଣ କରାଯିବ। ଫଳରେ ଅପରାଧ ପଞ୍ଜୀକରଣ ହେଲେ ସମ୍ପୃକ୍ତ ବିଭାଗଗୁଡ଼ିକ ପାଖରେ ତତକ୍ଷଣାତ ଖବର ପହଞ୍ଚିବ। ଏହା ଛଡା ଗାଡିଚାଳକ ଅପରାଧ ଘଟାଇଲେ ପଞ୍ଜୀକୃତ ମୋବାଇଲ ନମ୍ବର ଜରିଆରେ ଗାଡିର ମାଲିକଙ୍କ ପାଖରେ ଖବର ପହଞ୍ଚିବ।

ଏହି ବ୍ୟବସ୍ଥାର ଶୃଙ୍ଖଳିତ ପରିଚାଳନା ପାଇଁ ଏଚଡିଏଫସି (HDFC) ବ୍ୟାଙ୍କ ସହ ବୁଝାମଣା ସ୍ଵାକ୍ଷରିତ ହୋଇଛି। ଏକ ନିର୍ଦ୍ଦିଷ୍ଟ ଆକାଉଣ୍ଟରେ ଏହି ଜରିମାନା ଅର୍ଥ ଜମା ହେବ। ଏହି ବ୍ୟାଙ୍କ ପକ୍ଷରୁ ୧୯୫ ଟି ମୋବାଇଲ ଇ ଚାଲାଣ ଡିଭାଇସ ଯୋଗାଇ ଦିଆଯାଇଛି। ୩୦ ଜିଲ୍ଲାର ୩୬ ଆରଟିଓଙ୍କୁ ୧୬୨ଟି ପିଓଏସ ମେସିନ ଯୋଗାଇ ଦିଆଯାଇଛି ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ କହିଛନ୍ତି।

ଏହି ବ୍ୟବସ୍ଥା ଅନୁଯାୟୀ ଚାଲାଣ କଟା ଯାଉଥିବା ସ୍ଥାନର ତଥ୍ୟ, ଆଇନ ଉଲ୍ଲଂଘନ କରିଥିବା ଯାନ ତଥା ଚାଳକଙ୍କ ଫଟୋ ମଧ୍ୟ ଉଠାଯିବ। ଏହାଫଳରେ ଥରେ ଅପରାଧ ଘଟାଇଲେ ପୁଣିଥରେ ଏହି ଅପରାଧ ଘଟାଇବାକୁ ଡରିବ। ଏହାସହିତ ଏହି ବ୍ୟବସ୍ଥାକୁ ‘ବାହନ’ ଓ ‘ସାରଥି’ ଆପ୍ଲିକେସନର ସର୍ବଭାରତୀୟ ଡାଟାବେସ ସହ ମଧ୍ୟ ସଂଯୁକ୍ତ କରାଯାଇଛି। ଯଦି କେହି ରାଜ୍ୟ ବାହାରେ ଏଭଳି ଆଇନ ଉଲ୍ଲଂଘନ କରି ଦଣ୍ଡିତ ହୋଇଥାଏ ତେବେ ଜଣାପଡ଼ିବ। ଏଣୁ ସେହି ଅନୁସାରେ ଜରିମାନା ଅର୍ଥ ଦ୍ଵିଗୁଣିତ ହୋଇଯିବ।

#echalan #odishatransportdepartment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon