- padmabati kund
ଥଣ୍ଡାରେ ନାକ ବନ୍ଦ ହେଇଥିଲେ ଆପଣାନ୍ତୁ ଏହି ଘରୋଇ ଉପଚାର

(ବେତାର ବ୍ୟୁରୋ) ଶୀତଦିନେ ଅତ୍ୟଧିକ ଥଣ୍ଡା କାରଣରୁ ଅଧିକାଂଶ ଲୋକଙ୍କ ପାଖରେ ନାକ ବନ୍ଦ ହେବାର ସମସ୍ୟା ଦେଖାଯାଇଥାଏ। ଯେଉଁମାନେ ଏହି ସମସ୍ୟାକୁ ସାମ୍ନା କରିଛନ୍ତି ସେମାନେ ଭଲ ଭାବରେ ଏହାର କଷ୍ଟକୁ ଜାଣିପାରିବେ। ନାକ ବନ୍ଦ ହେବା ପରେ ନିଶ୍ଵାସ ନେବାକୁ ବହୁତ କଷ୍ଟ ହୋଇଥାଏ। କିଛି କାମ କରିବାକୁ ଇଚ୍ଛା ହୋଇନଥାଏ ଓ ବିରକ୍ତିଭାବ ଆସିଥାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ କିଛି ଲୋକ ଔଷଧ ମଧ୍ୟ ଖାଇଥାନ୍ତି। ତେବେ ଏଥିପାଇଁ ଔଷଧ ଖାଇବା ଆଗରୁ କିଛି ସହଜ ଘରୋଇ ଉପଚାର ମାଧ୍ୟମରେ ଏହି ସମସ୍ୟାକୁ ଦୂର କରିପାରିବେ।
ଯଦି ଆପଣଙ୍କୁ ଥଣ୍ଡା ହୋଇଛି ଓ ଏହି ନାକବନ୍ଦ ସମସ୍ୟା କାରଣରୁ ରାତିରେ ଶୋଇପାରୁନାହାନ୍ତି ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର।
୧.ଗରମ ପାଣିର ବାମ୍ଫ: ଏହି ନାକବନ୍ଦ ସମସ୍ୟାକୁ ଦୂର କରିବା ପାଇଁ ପ୍ରଥମେ ଏକ ପାତ୍ରରେ ଗରମ ପାଣି ନିଅନ୍ତୁ। ସେଥିରେ କିଛି ବାସ୍ନା ତେଲ ପକାନ୍ତୁ। ଏହାପରେ ଏକ ମୋଟା କପଡା ସାହାଯ୍ୟରେ ଗରମ ପାଣି ଥିବା ପାତ୍ର ଓ ମୁହଁକୁ ଘୋଡାଇ ଦିଅନ୍ତୁ। ପାଣିରୁ ବାହାରୁଥିବା ବାମ୍ଫକୁ ଗ୍ରହଣ କରନ୍ତୁ। କିଛି ସମୟ ପରେ ଆପଣଙ୍କୁ ଏହି ସମସ୍ୟାରୁ ଉପଶମ ମିଳିଯିବ। ଏହାସହିତ ଥଣ୍ଡାମଧ୍ୟ ଦୂର ହୋଇଯିବ।

୨.ହର୍ବାଲ ଚା’: ନିୟମିତ ଭାବରେ ପିଉଥିବା ଚା’ରେ ଡାଲଚିନି, ଗୋଲମରିଚ ଓ ତୁଳସୀ ପକାଇ ପିଇବା ଦ୍ଵାରା ମଧ୍ୟ ଏହି ସମସ୍ୟା ଦୂର ହୋଇଥାଏ। ଚା’ରେ ଏହାକୁ ମିଶାଇ ପିଇବା ଦ୍ଵାରା ଆପଣଙ୍କୁ ଉପଶମ ମିଳିବ।
୩. ପିଆଜ: ପିଆଜରେ ଆବଶ୍ୟକ ପରିମାଣର ଭିଟାମିନ ଓ ଖଣିଜ ପଦାର୍ଥ ରହିଥାଏ। ଏହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ ଅଟେ।ଯଦି ଅତ୍ୟଧିକ ଥଣ୍ଡା କାରଣରୁ ଆପଣଙ୍କ ନାକ ବନ୍ଦ ହୋଇଯାଇଥାଏ ତେବେ ଖଣ୍ଡିଏ ପିଆଜ ନେଇ ଏହାକୁ ନାକ ପାଖରେ ରଖି ଶୁଙ୍ଘନ୍ତୁ। କିଛି ସମୟ ପରେ ଏହି ସମସ୍ୟା ଦୂର ହୋଇଯିବ।
୪.ଲେମ୍ବୁରସ ଓ ଗୋଲମରିଚ: ଗୋଟେ ଛୋଟ ପାତ୍ରରେ ଦୁଇ ଚାମଚ ଲେମ୍ବୁରସ ସହିତ ଅଳ୍ପ ଗୋଲମରିଚ ଗୁଣ୍ଡ ମିଶାନ୍ତୁ। ଏହି ମିଶ୍ରଣକୁ ନାକ ପାଖରେ ଲଗାନ୍ତୁ। କିଛି ସମୟ ରଖିବା ପରେ ମୁହଁ ଧୋଇ ଦିଅନ୍ତୁ। ଏହା ଆପଣଙ୍କ ବନ୍ଦ ନାକକୁ ଖୋଲିଦେଇଥାଏ ଓ ଆପଣଙ୍କୁ ଆରମ ପ୍ରଦାନ କରିଥାଏ।

୫.କର୍ପୁର: ଏଥିପାଇଁ ଆପଣ କର୍ପୁରର ମଧ୍ୟ ବ୍ୟବହାର କରିପାରିବେ। କର୍ପୁରର ସୁଗନ୍ଧ ବନ୍ଦ ନାକକୁ ଖୋଲିବାରେ ସାହାଯ୍ୟ କରିଥାଏ। ଆପଣ ଯଦି ଚାହିଁବେ ତେବେ ଏହାକୁ ନଡିଆ ତେଲ ସହିତ ମିଶାଇ ଶୁଙ୍ଘିପାରିବେ କିମ୍ବା ଖାଲି କର୍ପୁର ମଧ୍ୟ ଶୁଙ୍ଘିପାରିବେ। ଏହାବ୍ୟତୀତ ଆପଣ ଏକ ଶୁଖିଲା କପଡାକୁ ଅଳ୍ପ ଉଷୁମ କରି ନାକ ପାଖରେ ରଖନ୍ତୁ। ଏପରି କରିବା ଦ୍ଵାରା ମଧ୍ୟ ଉପଶମ ମିଳିଥାଏ।