• padmabati kund

ଦେଖନ୍ତୁ : ‘ପାଟଣାଗଡ’ ଫିଲ୍ମର ଦ୍ଵିତୀୟ ଟିଜର


(ବେତାର ବ୍ୟୁରୋ) ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ନେଇ ପ୍ରସ୍ତୁତ ହେଉଥିବା ବହୁ ପ୍ରତୀକ୍ଷିତ ଓଡିଆ ଫିଲ୍ମ “ପାଟଣାଗଡ,23 ଫେବୃୟାରୀ,2018”ର ଦ୍ଵିତୀୟ ଟିଜର ରିଲିଜ ହୋଇଯାଇଛି। ଓଲିଉଡର ଲୋକପ୍ରିୟ ଅଭିନେତା ମନୋଜ ମିଶ୍ର ସୋସିଆଲ ମିଡିଆରେ ଏହି ଦ୍ଵିତୀୟ ଟିଜରକୁ ରିଲିଜ କରିଛନ୍ତି। ଏହି ଟିଜରକୁ ଦର୍ଶକମାନେ ଖୁବ ପସନ୍ଦ ମଧ୍ୟ କରୁଛନ୍ତି।

ଏହି ଟିଜରରେ ଲୋକପ୍ରିୟ ଓଡିଆ ଅଭିନେତା ମନୋଜ ମିଶ୍ର ଓ ତେଲୁଗୁ ଅଭିନେତା ଥାନିକେଲା ଭରାନିଙ୍କୁ ଦେଖିବାକୁ ମିଳିଛି। ଖଳନାୟକ ଚରିତ୍ରରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିବା ମନୋଜ ମିଶ୍ର ଏହ ଫିଲ୍ମରେ ମଧ୍ୟ ଖଳନାୟକ ଭୂମିକାରେ ଅଭିନୟ କରୁଛନ୍ତି। 36ସେକେଣ୍ଡର ଏହି ଟିଜରରେ ମନୋଜଙ୍କ ଅଭିନୟର ଝଲକ ଦେଖିବାକୁ ମିଳିଛି।

ଏହି ଫିଲ୍ମରେ ମନୋଜ ମିଶ୍ର ଓ ତେଲୁଗୁ ଅଭିନେତା ଥାନିକେଲା ଭରାନିଙ୍କ ବ୍ୟତୀତ ପୁଷ୍ପା ପଣ୍ଡା,ଚିନ୍ମୟ ମିଶ୍ର, ବଲିଉଡ ଅଭିନେତା ଅତୁଲ କୁଳକର୍ଣ୍ଣୀ,ୟଶପାଳ ଶର୍ମା, ତେଲୁଗୁ ଅଭିନେତା ଥାନିକେଲା ଭରାନି ଓ ମଧୁ ଶାଳିନୀ ଅଭିନୟ କରିଛନ୍ତି।

ଚର୍ଚ୍ଚିତ କାହାଣୀ

ପୂର୍ବରୁ ‘ବୁଲେଟରାଜା’ ନାମରେ ନାମିତ କରାଯାଇଥିବା ଏହି ଫିଲ୍ମଟି ହେଉଛି ଏକ ସାଇକୋ କ୍ରାଇମ ଥ୍ରୀଲର ଫିଲ୍ମ। ଏଥିରେ ବଲାଙ୍ଗୀର ଜିଲ୍ଲାର ପାଟଣାଗଡରେ ଗତ ଫେବୃୟାରୀ ମାସ 23 ତାରିଖରେ ଘଟିଥିବା ବୋମା ବିସ୍ଫୋରଣର ଘଟଣାକୁ ଚିତ୍ରିତ କରାଯାଇଛି। ପୁଞ୍ଜିଲାଲ ନାମକ ଜଣେ ଅଧ୍ୟାପକ ଦ୍ଵାରା ଯୋଜନା କରାଯାଇଥିବା ଏହି ଘଟଣାରେ ବରର ମୃତ୍ୟୁ ଘଟିଥିଲା ଓ କନ୍ୟା ଗୁରୁତର ଭାବରେ ଆହତ ହୋଇଥିଲେ। ଯାହାକି ସେହି ସମୟରେ ଖୁବ ଚର୍ଚ୍ଚାର ବିଷୟ ହୋଇଥିଲା।

ପାଟଣାଗଡରେ ଖଳନାୟକ ପୁଞ୍ଜିଲାଲ ଭୂମିକାରେ ଅଛନ୍ତି ମନୋଜ ଏବଂ କ୍ରାଇମବ୍ରାଞ୍ଚ ଅଧିକାରୀର ଚରିତ୍ର ତୁଲାଉଛନ୍ତି ବଲିଉଡ୍ ଅଭିନେତା ଅତୁଲ କୁଲକର୍ଣ୍ଣି। ଫିଲ୍ମକୁ ନେଇ ଅଭିନେତା ମନୋଜ ମିଶ୍ର କହିଛନ୍ତି ଯେ, “ଓଡିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରୀରେ ଏପରି ଏକ ଫିଲ୍ମ ତିଆରି ହେବା ସଂପୂର୍ଣ୍ଣ ନୂଆ ଅଟେ। ଏହି ଫିଲ୍ମଟି ଓଡିଆ ଚଳଚ୍ଚିତ୍ର ଜଗତରେ ଏକ ନୂଆ ଅଧ୍ୟାୟ ହେବ ଓ ଏହା ହେଉଛି ପ୍ରଥମ ଓଡିଆ ଫିଲ୍ମ ଯାହାକି ତେଲୁଗୁରେ ମଧ୍ୟ ତିଆରି ହେବ।“

ହେଇଥିଲା ବିବାଦ

ତେବେ ଏହି ଫିଲ୍ମକୁ ନେଇ ଗତ ଅଗଷ୍ଟ ମାସରେ ବିବାଦ ଦେଖାଦେଇଥିଲା କାରଣ ଫିଲ୍ମ ନିର୍ମାଣ ଉପରେ କାହାଣୀର ମୁଖ୍ୟ ପରିବାର ପ୍ରଶ୍ନ ଉଠାଇଥିଲେ।ବିସ୍ଫୋରଣରେ ପ୍ରାଣ ହରାଇଥିବା ମୃତ ସୌମ୍ୟଶେଖରଙ୍କ ପରିବାର ଅଭିଯୋଗ କରିଥିଲେ ଯେ, ତାଙ୍କ ବିନା ଅନୁମତିରେ ଫିଲ୍ମ ପ୍ରସ୍ତୁତ ହେଉଛି । ସିନେମାରେ ତାଙ୍କ ପରିବାରର ଚରିତ୍ର କିଭଳି ଦର୍ଶାଯାଇଛି ସେନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ ତାଙ୍କୁ କୌଣସି ସମ୍ପର୍କ କରାଯାଇନି। ସେଥିପାଇଁ ଫିଲ୍ମର ନିର୍ମାତା, ନିର୍ଦ୍ଦେଶକ ସମେତ ୩ ଜଣଙ୍କ ନାଁରେ ଏତଲା ଦେଇଥିଲେ।

‘ପାଟଣାଗଡ’ ଫିଲ୍ମଟି ଏହାର ବଜେଟ ପାଇଁ ମଧ୍ୟ ଚର୍ଚ୍ଚାରେ ରହି ଆସିଛି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଓଡିଆ ଫିଲ୍ମ 1କୋଟି ବଜେଟ ଛୁଇଁ ନଥିବା ବେଳେ,ଏହି ଫିଲ୍ମର ବଜେଟ 5କୋଟି ରହିଛି।

ରେଞ୍ଜ ରୟାଲ ସିନେ ଲ୍ୟାବ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ସିନେମା ନିର୍ମାତା ରାଜେଶ ଟଚରାଇଭର ଓ ପ୍ରଯୋଜନା କରିଛନ୍ତି ଶ୍ରୀଧର ମାର୍ଥା।

#entertainmetnt #ollywood #patnagarh #manojmishra

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon