• padmabati kund

ଅଷ୍ଟ୍ରେଲିଆ ବିରୁଦ୍ଧରେ ଦ୍ଵିତୀୟ ଟେଷ୍ଟ ପାଇଁ ରୋହିତ,ଅଶ୍ଵିନୀ ବାଦ ପଡିଲେ


(ବେତାର ବ୍ୟୁରୋ) ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳଯାଉଥିବା ଚାରିଟିକିଆ ଟେଷ୍ଟ ସିରିଜରେ ପ୍ରଥମ ଟେଷ୍ଟରେ ଭାରତ ବିଜୟ ହାସଲ  କରିବା ପରେ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ବିଜୟ ହାସଲ କରିବା ପାଇଁ ଦଳ ତରଫରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଡିସେମ୍ବର 14 ତାରିଖ ଶୁକ୍ରବାର ଠାରୁ ପର୍ଥରେ ଖେଳିବାକୁ ଥିବା ଦ୍ଵିତୀୟ ଟେଷ୍ଟ ପାଇଁ ଭାରତ ନିଜର ୧୩ ଜଣିଆ ଦଳ ଘୋଷଣା କରିଛି । ତେବେ ରୋହିତ ଶର୍ମା ଓ ରବିଚନ୍ଦ୍ରନ ଅଶ୍ଵିନଙ୍କୁ ଦଳରୁ ବାଦ ଦିଆଯାଇଛି।

ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ତରଫରୁ ଟ୍ୱିଟ୍ କରି ଦଳରେ ସାମିଲ ହୋଇଥିବା ଖେଳାଳୀଙ୍କ ବିଷୟରେ ସୂଚନା ଦିଆଯାଇଛି। ଏହି ୧୩ ଜଣିଆ ଦଳରେ ବିରାଟ କୋହଲି (ଅଧିନାୟକ), ମୁରଲୀ ବିଜୟ, କେ.ଏଲ୍ ରାହୁଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟା ରାହାଣେ (ଉପ-ଅଧିନାୟକ), ହନୁମା ବିହାରୀ, ଋଷଭ ପନ୍ତ (ୱିକେଟ୍ କିପର), ରବୀନ୍ଦ୍ର ଜାଡେଜା, ଈଶାନ୍ତ ଶର୍ମା, ମହମ୍ମଦ ଶାମି, ଯଶପ୍ରୀତ୍ ବୁମ୍ରା, ଭୁବନେଶ୍ୱର କୁମାର ଓ ଉମେଶ ଯାଦବଙ୍କୁ ସ୍ଥାନ ଦିଆଯାଇଛି।

ଆଡିଲେଡରେ ପ୍ରଥମ ଟେଷ୍ଟ ଖେଳିଥିବା ରୋହିତ ଶର୍ମା ଓ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଦଳରେ ସାମିଲ କରାଯାଇ ନାହିଁ। ଆହତ କାରଣରୁ ଅଶ୍ୱିନ ଓ ରୋହିତଙ୍କୁ ଦଳରୁ ଦ୍ଵିତୀୟ ଟେଷ୍ଟ ପାଇଁ ବାଦ ଦିଆଯାଇଛି ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଅଶ୍ୱିନଙ୍କ ପେଟର ମାଂସପେଶରୀରେ ଯନ୍ତ୍ରଣା ହେଉଥିବା ବେଳେ ପ୍ରଥମ ଟେଷ୍ଟରେ ରୋହିତଙ୍କ ପିଠିରେ ଆଘାତ ଲାଗିଥିଲା। ଏବେ ଉଭୟଙ୍କ ଚିକିତ୍ସା ଚାଲିଛି। ସେହିପରି ଆହତ ପୃଥ୍ୱୀ ଶ’ ସଂପୂର୍ଣ୍ଣ ଭାବରେ ଠିକ ହୋଇ ନାହାନ୍ତି। ତେଣୁ ତାଙ୍କୁ ଟିମରେ ସାମିଲ କରାଯାଇ ନାହିଁ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

ଅଶ୍ୱିନ ଦଳରୁ ବାଦ ପଡ଼ିବା ଦଳ ପାଇଁ ଏକ ବଡ଼ ଝଟକା, କାରଣ ସେ ପ୍ରଥମ ଟେଷ୍ଟରେ ୬ଟି ୱିକେଟ ନେଇଥିଲେ। ସେ ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ୩ଟି ଲେଖାଏ ୱିକେଟ ନେଇଥିଲେ। ଅଶ୍ୱିନ ନଥିବା କାରଣରୁ ଚୂଡ଼ାନ୍ତ ଏକାଦଶରେ ଜାଡେଜା ସ୍ଥାନ ପାଇପାରନ୍ତି। ସେ ଦଳରେ ଅଲରାଉଣ୍ଡର ଭୂମିକାରେ ଅବତୀର୍ଣ୍ଣ ହେବେ।

ଦ୍ୱିତୀୟ ଟେଷ୍ଟମ୍ୟାଚ ଖେଳାଯିବାକୁ ଥିବା ପର୍ଥର ନୂଆ ଷ୍ଟାଡିୟମରେ ପେସ ବୋଲରଙ୍କୁ ସୁହାଇବ ବୋଲି କୁହାଯାଉଛି। ତେଣୁ ଚୁଡାନ୍ତ ଏକାଦଶରେ ଚାରିଜଣ ପେସ ବୋଲରଙ୍କୁ ସ୍ଥାନ ମିଳିପାରେ । ଏମିତି ହେଲେ ଭୁବନେଶ୍ୱର କୁମାର ବା ଉମେଶ ଯାଦବ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ। ପ୍ରଥମ ଟେଷ୍ଟରେ ଈଶାନ୍ତ ଶର୍ମା , ମହମ୍ମଦ ଶାମି ଓ ଯଶପ୍ରୀତ ବୁମରାହ ଭଲ ବୋଲିଙ୍ଗ କରିଥିବାରୁ ସେମାନଙ୍କୁ ଭିତରୁ କାହାକୁ ଦଳରୁ ବାଦ ଦିଆଯାଇ ନପାରେ।

ଏହି ନୂଆ ଷ୍ଟାଡିୟମରେ ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ଦୁଇଟି ଅନ୍ତର୍ଜାତୀୟ ମ୍ୟାଚ ଖେଳାଯାଇଛି। ଡିସେମ୍ବର 14ରୁ ଏଠାରେ ପ୍ରଥମ ଥର ପାଇଁ ଟେଷ୍ଟ ମ୍ୟାଚ ଖେଳାଯିବ। ଆଡିଲେଡରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ୩୧ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ପ୍ରଥମ ଟେଷ୍ଟମ୍ୟାଚ ଜିତିବା ପରେ ଭାରତ ଏହି ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ।

#cricket #indiavsaustralia #secondtest

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon