• padmabati kund

ମୋବାଇଲ ନମ୍ବର ପୋର୍ଟେବିଲିଟି ପାଇଁ TRAI ଆଣିଲା ନୂଆ ନିୟମ


(ବେତାର ବ୍ୟୁରୋ) ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ (TRAI) ତରଫରୁ ମୋବାଇଲ ନମ୍ବର ପୋର୍ଟେବିଲିଟି ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି। ଗତ କିଛି ମାସ ହେବ ମୋବାଇଲ ନମ୍ବର ପୋର୍ଟେବିଲିଟି ପ୍ରକ୍ରିୟାରେ ପରିବର୍ତ୍ତନକୁ ନେଇ ଅନେକ ପ୍ରସ୍ତାବ ଦିଆଯାଇଥିଲା। ତେବେ ଡିସେମ୍ବର 13 ତାରିଖ (ଗୁରୁବାରରେ) ଟ୍ରାଇ ତରଫରୁ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। 

ଟ୍ରାଇର ଏହି ନୂଆ ନିୟମ ଅନୁସାରେ ମୋବାଇଲ ନମ୍ବର ପୋର୍ଟେବିଲିଟି ପ୍ରକ୍ରିୟା ସରଳ ହୋଇଯାଇଛି। ଏବେଠାରୁ ଗ୍ରାହକଙ୍କୁ ଟେଲିକମ ଅପରେଟର ବଦଳେଇବା ପାଇଁ ସାତଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ନାହିଁ।  

ମୋବାଇଲ ନମ୍ବର ପୋର୍ଟେବିଲିଟି କରିବା ପାଇଁ ଲାଗୁଥିବା ସମୟକୁ ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ହ୍ରାସ କରାଯାଇଛି। ଗୋଟିଏ ସର୍କଲ ମଧ୍ୟରେ କରାଯାଉଥିବା ମୋବାଇଲ ନମ୍ବର ପୋର୍ଟେବିଲିଟିର ସମୟ ସୀମାକୁ ଦୁଇଦିନକୁ ହ୍ରାସ କରାଯାଇଛି। ସେହିପରି ଗୋଟିଏ ସର୍କଲରୁ ଅନ୍ୟ ସର୍କଲକୁ ମୋବାଇଲ ନମ୍ବର ପୋର୍ଟେବିଲିଟିର ସମୟ ସୀମାକୁ ଚାରି ଦିନକୁ ହ୍ରାସ କରାଯାଇଛି।

ଚାରିଦିନରେ ମିଳିବ ପୋର୍ଟିଂ କୋଡ଼

ଏହାସହିତ ୟୁନିକ ପୋର୍ଟିଙ୍ଗ କୋଡ଼ର ବୈଧତାକୁ ମଧ୍ୟ କମ କରାଯାଇଛି। ମୋବାଇଲ ନମ୍ବର ପୋର୍ଟେବିଲିଟି କରିବା ପାଇଁ ଆବେଦନ କରିବା ପରେ ଅପରେଟର ବଦଳେଇବା ପାଇଁ ଏହି କୋଡ଼ ଆସିଥାଏ। ଆଗରୁ ଏହି ୟୁନିକ ପୋର୍ଟିଙ୍ଗ କୋଡ଼ ବୈଧତା 15ଦିନ ପର୍ଯ୍ୟନ୍ତ ରହୁଥିଲା। ବର୍ତ୍ତମାନ ଏହାକୁ ଚାରିଦିନ କରାଯାଇଛି। ତେବେ ଏହି ନିୟମ ଜାମ୍ମୁକାଶ୍ମିର, ଆସାମ ଓ ଉତ୍ତର-ପୂର୍ବ ସର୍କଲରେ ଲାଗୁ ହେବ ନାହିଁ।  

ପୋର୍ଟିଂ ପ୍ରକ୍ରିୟା ଆରମ୍ଭ ହୋଇଥିବା ବିଷୟରେ ଗ୍ରାହକ ମାନଙ୍କୁ 24ଘଣ୍ଟା ମଧ୍ୟରେ ମେସେଜ କରି ସୂଚନା ଦେବାକୁ ପଡିବ। ଯଦି ଆପଣ ପୋର୍ଟିଙ୍ଗ କରିବା ପାଇଁ ଆବେଦନ କରିବା ପରେ ଏହାକୁ ରଦ୍ଦ କରିବାକୁ ଚାହୁଁଛନ୍ତି ତେବେ ଏହା ମଧ୍ୟ ଖୁବ ସହଜରେ କରିପାରିବେ। ଏଥିପାଇଁ କେବଳ ଆପଣଙ୍କୁ ଏକ ଏସଏମଏସ କରିବାକୁ ପଡିବ।

ଟ୍ରାଇ ତରଫରୁ ଧାର୍ଯ୍ୟ କରାଯାଇଥିବା ସମୟ ସୀମା ମଧ୍ୟରେ ପୋର୍ଟିଂ ଅନୁରୋଧର ସମାଧାନ ନକଲେ ମୋବାଇଲ କମ୍ପାନୀ ଗୁଡିକ ଉପରେ ଆର୍ଥିକ ଦଣ୍ଡ ଲଗାଯିବ ବୋଲି ଟ୍ରାଇ ତରଫରୁ କୁହାଯାଇଛି। ଟ୍ରାଇ ଦ୍ଵାରା ନିଆଯାଇଥିବା ଏହି ନିଷ୍ପତ୍ତିର ଯଦି ଉଲ୍ଲଂଘନ ହୁଏ ତେବେ ଟ.5000 ଜରିମାନା ଲାଗିବ। ଯଦି କୌଣସି ଗ୍ରାହକର ପୋର୍ଟିଂ ଅନୁରୋଧକୁ କମ୍ପାନୀ ବେଆଇନ ଭାବରେ ପ୍ରତ୍ୟାଖାନ କରିଥାଏ ତେବେ ଉକ୍ତ କମ୍ପାନୀ ଗ୍ରାହକଙ୍କୁ ଟ.10,000 ଜରିମାନା ଗଣିବ।

ମୋବାଇଲ କମ୍ପାନୀ ଗୁଡିକ ପକ୍ଷରୁ 2017 ଏପ୍ରିଲ ମାସରୁ 2018 ମେ’ ମାସ ମଧ୍ୟରେ 45% ପୋର୍ଟିଂ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଏହି ପୋର୍ଟିଂ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବାର ଦୁଇଟି ମୁଖ୍ୟ କାରଣ ହେଉଛି ଭୁଲ ପୋର୍ଟିଂ କୋଡ ଏବଂ ଅକାମି ଓ ଅବସର ହୋଇଯାଇଥିବା କୋଡ। ଯେହେତୁ ମୋବାଇଲ ନମ୍ବର ପୋର୍ଟେବିଲିଟି କ୍ଷେତ୍ରରେ କମ୍ପାନୀ ଗୁଡିକ ତରଫରୁ କୌଣସି ସଂସ୍କାର ପରିଲକ୍ଷିତ ହେଉନାହିଁ ସେଥିପାଇଁ ନୂଆ ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) କହିଛନ୍ତି।

#mobile #mobilenumberportability #TRAI

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon