• padmabati kund

‘ଅଜବ ସଞ୍ଜୁର ଗଜବ ଲଭ’ରେ ପୁଣି ଏକାଠି ହେବେ ଚକୋଲେଟ ଯୋଡି


(ବେତାର ବ୍ୟୁରୋ) ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀରେ ‘ଚକେଲେଟ’ ଯୋଡି ଭାବରେ ପରିଚିତ ବାବୁସାନ ମହାନ୍ତି ଓ ଅର୍ଚ୍ଚିତା ସାହୁଙ୍କ ଯୋଡିକୁ ପୁଣି ଥରେ ପରଦା ଉପରେ ଏକାଠି ଦେଖିବାକୁ ମିଳିବ। ପରଦା ଉପରେ ପୁଣିଥରେ ଲଭ ଓ ରୋମାନ୍ସର ବର୍ଷା କରିବା ପାଇଁ ଓଲିଉଡର ଏହି ଚକେଲେଟ ଯୋଡି ଏକାଠି ହୋଇ ଦର୍ଶକଙ୍କ ପାଇଁ ନୂଆ ଫିଲ୍ମ ଭେଟି ଦେବାକୁ ଯାଉଛନ୍ତି। ଏହି ଯୋଡିଙ୍କୁ ଖୁବ ଶୀଘ୍ର ଓଡିଆ ରୋମାଣ୍ଟିକ ଚଳଚ୍ଚିତ୍ର ‘ଅଜବ ସଞ୍ଜୁର ଗଜବ ଲଭ’ରେ ଦେଖିବାକୁ ମିଳିବ।

ସାଇଶ୍ରଦ୍ଧା ବ୍ୟାନରରେ ପ୍ରସ୍ତୁତ ହେଉଥିବା ଏହି ରୋମାଣ୍ଟିକ ଫିଲ୍ମ ବିଷୟରେ ଅଭିନେତ୍ରୀ ଅର୍ଚ୍ଚିତା ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ନିଜର ଏହି ଅପକମିଙ୍ଗ ଫିଲ୍ମ ‘ଅଜବ ସଞ୍ଜୁର ଗଜବ ଲଭ’ର ଏକ  ପୋଷ୍ଟର ଶେୟାର କରି ସେ ଫିଲ୍ମ ବିଷୟରେ କହିଛନ୍ତି।

ପିଠିରେ ବୁହାହେଲେ ଅର୍ଚ୍ଚିତା

ଏହି ପୋଷ୍ଟରେ ଅର୍ଚ୍ଚିତା ବାବୁସାନଙ୍କୁ ନିଜ ପିଠିରେ ଉଠାଇବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଅଶୋକ ପତି। ଫିଲ୍ମର ପ୍ରଯୋଜନା କରୁଛନ୍ତି ବିନି ସାମଲ ଓ ନୀହାର ସାମଲ। ‘ଅଜବ ସଞ୍ଜୁର ଗଜବ ଲଭ’ରେ ସଙ୍ଗୀତ ଦେଇଛନ୍ତି ପ୍ରେମାନନ୍ଦ।

ତେବେ ଅନେକ ଦିନର ବ୍ୟବଧାନ ପରେ ଏହି ଦୁଇ ଯୋଡିଙ୍କୁ  ଦର୍ଶକମାନେ ପୁଣି ଏକାଠି ଦେଖିପାରିବେ। ଶେଷଥର ପାଇଁ ଏହି ଯୋଡିଙ୍କୁ 2012 ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ଥୁକୁଲ’ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମଟିରେ ମେଗାଷ୍ଟାର ପ୍ରଶାନ୍ତ ନନ୍ଦ ନିର୍ଦ୍ଦେଶନା ଦେଇଥିଲେ। କିନ୍ତୁ ସିନେମାଟି ଦର୍ଶକଙ୍କ ମନରେ ସେତେଟା ଘର କରିପାରିନଥିଲା ଓ ବକ୍ସଅଫିସରେ ଖାସ ସଫଳତା ହାସଲ କରିପାରିନଥିଲା।

ଏହା ପୂର୍ବରୁ 2011 ମସିହାରେ ଦୁହିଁଙ୍କୁ ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଚକୋଲେଟ’ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ଦର୍ଶକ ଏହି ଯୋଡିକୁ ଖୁବ ପସନ୍ଦ କରିଥିଲେ ଓ ଫିଲ୍ମଟି ସୁପରହିଟ ହୋଇଥିଲା। ଏହାପରଠାରୁ ଓଲିଉଡ ଇଣ୍ଡଷ୍ଟ୍ରୀରେ ଚକୋଲେଟ ଯୋଡି ଭାବରେ ଲୋକପ୍ରିୟତା ହାସଲ କରିଥିଲେ।

ସେହିପରି 2011 ମସିହାରେ ରିଲିଜ ହୋଇଥିବା ରୋମାଣ୍ଟିକ-କମେଡି ଫିଲ୍ମ ‘ଲୋଫର’ରେ ମଧ୍ୟ ଉଭୟଙ୍କୁ ଦେଖିବାକୁ ମିଳିଥିଲା। ଫିଲ୍ମଟିକୁ ଦର୍ଶକମାନେ ଖୁବ ପସନ୍ଦ କରିଥିଲେ ଓ ଏହା ସୁପରହିଟ ମଧ୍ୟ ହୋଇଥିଲା। ଏବେ ପ୍ରାୟ ଛଅ ବର୍ଷର ବ୍ୟବଧାନ ପରେ ବାବୁସାନ ଓ ଅର୍ଚ୍ଚିତାଙ୍କ ଯୋଡିକୁ ‘ଅଜବ ସଞ୍ଜୁର ଗଜବ ଲଭ’ ଜରିଆରେ ଦର୍ଶକମାନେ ପୁଣି ଦେଖିପାରିବେ। ଆସନ୍ତା ବର୍ଷ ଜାନୁୟାରୀ ମାସରେ ଏହି ଫିଲ୍ମଟି ରିଲିଜ ହୋଇପାରେ।     

#entertainment #ollywood #architababusan #ajabsanjuragajablove

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon