• padmabati kund

ଏଣିକି ଶୁଭକାର୍ଯ୍ୟ ପାଇଁ ଜଗନ୍ନାଥଙ୍କୁ ପଠାଇହେବ ଅନଲାଇନ ନିମନ୍ତ୍ରଣ ପତ୍ର


(ବେତାର ବ୍ୟୁରୋ) ବିବାହ ହେଉ ବା ଅନ୍ୟ କୌଣସି ଶୁଭକାର୍ଯ୍ୟ ହେଲେ ଭକ୍ତମାନେ ମହାପ୍ରଭୁ ଜଗନ୍ନାଥଙ୍କୁ ନିମନ୍ତ୍ରଣ କରିଥାଆନ୍ତି। ମହାପ୍ରଭୁ ଜଗନ୍ନାଥଙ୍କୁ ନିମନ୍ତ୍ରଣ କରିବା ପାଇଁ ଭକ୍ତମାନଙ୍କୁ ଶ୍ରୀମନ୍ଦିର ଆସିବାକୁ ପଡିଥାଏ। ଏହି ନିମନ୍ତ୍ରଣ ପତ୍ରକୁ ଖୁଣ୍ଟିଆ ନିଯୋଗଙ୍କ ହାତରେ ଦେବା ପରେ ସେମାନେ ମହାପ୍ରଭୁଙ୍କ ଆଗରେ ଲାଗି କରିଥାନ୍ତି। ଏଥିପାଇଁ ବହୁ ଦୂର ଦୁରାନ୍ତରରୁ ଭକ୍ତମାନେ ଆସିଥାଆନ୍ତି। ଦୂରସ୍ଥାନରୁ ଆସିବା ପାଇଁ ଭକ୍ତମାନେ ହଇରାଣ ହୋଇଥାଆନ୍ତି। ତେବେ ଆଗକୁ ଆଉ ଏପରି ଅସୁବିଧା ହେବ ନାହିଁ। ମହାପ୍ରଭୁଙ୍କୁ ବିବାହ ଓ ଅନ୍ୟାନ୍ୟ ନିମନ୍ତ୍ରଣ ପତ୍ର ଲାଗି କରିବାକୁ ଚାହୁଁଥିବା ଭକ୍ତଙ୍କୁ ଆଉ ଶ୍ରୀମନ୍ଦିରକୁ ଆସିବାକୁ ପଡ଼ିବନି। ଏଥର ଘରେ ବସି ଗୃହକର୍ତ୍ତା ନିମନ୍ତ୍ରଣ ପତ୍ର ଅନଲାଇନରେ ପଠାଇପାରିବେ।

ଅନଲାଇନରେ ନିମନ୍ତ୍ରଣ ପତ୍ର ପଠାଇବା ପରେ ଏହି ନିମନ୍ତ୍ରଣ ପତ୍ରକୁ ପ୍ରିଣ୍ଟ କରାଯାଇ ରତ୍ନସିଂହାସନରେ ମହାପ୍ରଭୁଙ୍କୁ ଲାଗି ହେବ। ଦେଶବିଦେଶରେ ରହୁଥିବା ଜଗନ୍ନାଥ ପ୍ରେମୀଙ୍କ ପାଇଁ ଶ୍ରୀମନ୍ଦିର ଖୁଣ୍ଟିଆ ନିଯୋଗଙ୍କ ତରଫରୁ ଏପରି ବ୍ୟବସ୍ଥା କରାଯାଇଛି।। ମୁମ୍ବାଇରେ ନିଯୋଗର ଏହି ୱେବସାଇଟ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ଖୁବଶୀଘ୍ର ଏହି ୱେବସାଇଟ ଭକ୍ତଙ୍କ ଉଦ୍ଦେଶ୍ୟରେ ‌ଲୋକାର୍ପିତ ହେବ ବୋଲି ଖୁଣ୍ଟିଆ ନିଯୋଗ ତରଫରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଏଥିପାଇଁ ନିଯୋଗ କୌଣସି ଦେୟ ରଖି ନଥିବାବେଳେ ଭକ୍ତମାନେ ଚାହିଁଲେ ଇଚ୍ଛା ମୁତାବକ ଯାହା କିଛି ଦେବେ ତାହା ଗ୍ରହଣ କରାଯିବ ବୋଲି ଖୁଣ୍ଟିଆ ନିଯୋଗର ଶମ୍ଭୁନାଥ ଖୁଣ୍ଟିଆ କହିଛନ୍ତି।

ଶ୍ରୀ ଖୁଣ୍ଟିଆ କହିଛନ୍ତି ଯେ, ବମ୍ବେର ଜଣେ ସଫ୍ଟୱେୟାର ଇଂଜିନିୟର ନୀତିନ କୁମାର ସିଂହଙ୍କ ସହଯୋଗରେ ଏହି ୱେବସାଇଟକୁ ପ୍ରସ୍ତୁତ କରାଯାଉଛି। ଦୁଇ ତିନି ଦିନ ଭିତରେ ଏହି ୱେବସାଇଟ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ହେବ। ଭକ୍ତ ଓ ଭଗବାନଙ୍କ ମଧ୍ୟରେ ସଂପର୍କକୁ ଆହୁରି ନିବିଡ଼ କରିବାକୁ ଏପରି ନିଷ୍ପତ୍ତି ନିଆଯାଇଛି। ଏହି ୱେବସାଇଟରେ କାର୍ଡ ପଠାଇବା ସଂପର୍କରେ ଭକ୍ତଙ୍କ ପାଇଁ ସଂପୂର୍ଣ୍ଣ ତଥ୍ୟ ରଖିବ। ଦାନ ସଂପର୍କରେ ସେପରି କିଛି ନିଷ୍ପତ୍ତି ହୋଇନଥିଲେ ବି ଭକ୍ତମାନେ ଯାହା ଇଚ୍ଛା ମୁତାବକ ଦେବେ ତାହା ଗ୍ରହଣ କରାଯିବ।

ଯେଉଁଦିନ ଏହି କାର୍ଡ଼ ମହାପ୍ରଭୁଙ୍କଠାରେ ଲଗାଯିବ, ସେହିଦିନ ସଂପୃକ୍ତ ପାଳିଆ ଖୁଣ୍ଟିଆ ସେବକଙ୍କୁ ଏହି ଦେୟ ଦିଆଯିବ। ଯେଉଁଦିନ ମହାପ୍ରଭୁଙ୍କଠାରେ ନିମନ୍ତ୍ରଣ ପତ୍ର ପଠାଯିବ, ସେଦିନ ନିଯୋଗ ତରଫରୁ ସଂପୃକ୍ତ ବ୍ୟକ୍ତିଙ୍କୁ ଏକ ସୂଚନା ପଠାଯିବ। ସେଥିରୁ ଭକ୍ତ ଜଣକ ତାଙ୍କ ନିମନ୍ତ୍ରଣ ପତ୍ର ମହାପ୍ରଭୁଙ୍କଠାରେ ଲାଗି ହେଲା ବୋଲି ଜାଣିପାରିବେ।

#shreemandira #onlineinvitationcard

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon