• Padmabati /Sadananda

ଓଡିଶାରେ ତେଲଙ୍ଗାନା ପରି ସ୍କିମ : କୃଷକ ପରିବାର ପାଇବେ ବର୍ଷକୁ ଦଶ ହଜାର ଟଙ୍କା


(ବେତାର ବ୍ୟୁରୋ) ରାଜ୍ୟର କୃଷକଙ୍କୁ ସ୍ଵାବଲମ୍ବୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ରାଜ୍ୟ ସଚ୍ଚିବାଳୟରେ ବସିଥିବା କ୍ୟାବିନେଟ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ‘କାଳିଆ’ ସ୍କିମର ଘୋଷଣା କରିଛନ୍ତି।

କାଳିଆ ସ୍କିମର ପୁରା ଅର୍ଥ ହେଲା  'KALIA' (Krushak assistance for liveilihood and income augmentation)। ଏଥିରେ ମୁଖ୍ୟତଃ ପାଞ୍ଚଟି ଘୋଷଣା ହେଇଛି । ସେଗୁଡିକ ହେଲା :

୧- କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରକୁ ବାର୍ଷିକ ୧୦ ହଜାର ଟଙ୍କା ସହାୟତା ଦିଆଯିବ। ରବି ଓ ଖରିଫ ଋତୁରେ ଏହି ଅର୍ଥ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଯୋଗାଇ ଦିଆଯିବ। ବିହନ, ସାର ଓ ଔଷଧ କିଣିବା ପାଇଁ ଏହାକୁ ଚାଷୀ ବ୍ୟବହାର କରିପାରିବ। ଏଥିରେ ପ୍ରାୟ ୩୦ଲକ୍ଷ ଚାଷୀ ଉପକୃତ ହେବେ।ତେବେ ଏହି ଅର୍ଥ ବର୍ଷକୁ ଦୁଇଥର ରବି ଓ ଖରିଫ ସମୟରେ ₹5,000 ଲେଖାଏଁ ମିଳିବ।

୨- ଜମି ନ ଥିବା ଭୂମିହୀନ ଗରିବ ଲୋକଙ୍କୁ ମାଛ, ଛେଳି, କୁକୁଡ଼ା, ମହୁ ଓ ଛତୁ ଚାଷ ପାଳନ ପାଇଁ ବର୍ଷକୁ ୧୨ହଜାର ୫୦୦ଟଙ୍କା ଦିଆଯିବ। ୧୦ଲକ୍ଷ ପରିବାରକୁ ୩ ବର୍ଷ ପାଇଁ ଏହି ଅର୍ଥ ଦିଆଯିବ।

୩- ଭୂମିହୀନ ଚାଷୀ, ବୟସ୍କ ଓ ଶାରୀରିକ ଅକ୍ଷମ ଚାଷୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ସହାୟତା ଦିଆଯିବ । ଏଥିପାଇଁ ଉପଯୁକ୍ତ ହିତାଧିକାରୀଙ୍କୁ ଗ୍ରାମପଞ୍ଚାୟତ ଚିହ୍ନଟ କରିବ।

୪- ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଉପରେ କୌଣସି ସୁଧ ନିଆଯିବ ନାହିଁ।

୫- ଚାଷୀ ଓ ଭୂମିହୀନ ଶ୍ରମିକଙ୍କୁ ୨ଲକ୍ଷ ଟଙ୍କାର ଜୀବନ ବୀମା ଓ ଦୁର୍ଘଟଣା ବୀମା ମିଳିବ।

ଏହି ସମସ୍ତ ଯୋଜନାର ଫାଇଦା ଯେଭଳି ଚାଷୀମାନେ ନେଇପାରିବେ ସେଥିପାଇଁ ପଞ୍ଚାୟତସ୍ତରରେ ଚାଷୀ ଚିହ୍ନଟ ହେବେ। ପ୍ରକୃତ ଚାଷୀଙ୍କୁ ହିଁ ଏସବୁ ସୁବିଧା ମିଳିବ।

ଏହି ୧୦ ହଜାର କୋଟି ଟଙ୍କାର ପ୍ୟାକେଜ୍ ୫ଟି କୃଷି ସିଜନ୍ (ଉଭୟ ରବି ଓ ଖରିଫ ମିଶାଇ) ପାଇଁ ତିନି ବର୍ଷ ପାଇଁ ଲାଗୁ ହେବ। ଅର୍ଥାତ୍ ୨୦୧୮-୧୯ରୁ ୨୦୨୦-୨୧ ମସିହା ପର୍ଯ୍ୟନ୍ତ ଏହା ଲାଗୁ ହେବ। ଏହି ଯୋଜନାରେ ରାଜ୍ୟର ୯୨% ଚାଷୀ ଉପକୃତ ହେବେ।

ଏହି ଯୋଜନା ଅନୁସାରେ ରାଜ୍ୟରେ ମୋଟ ୩୦ଲକ୍ଷ କ୍ଷୁଦ୍ର ଓ ମଧ୍ୟବିତ୍ତ ଚାଷୀ ପରିବାର ଉପକୃତ ହୋଇପାରିବେ। କାଳିଆ ଯୋଜନାରେ ଜମି ମାଲିକଙ୍କୁ ନୁହେଁ ବରଂ ଭାଗ ଚାଷୀଙ୍କୁ ଅଧିକ ସୁବିଧା ପ୍ରଦାନ କରାଯିବ। 

ନିକଟରେ ଶେଷ ହେଇଥିବା ତିନୋଟି ରାଜ୍ୟ ନିର୍ବାଚନ ଓ ଏହା ପୂର୍ବରୁ ଉତ୍ତରପ୍ରଦେଶ ନିର୍ବାଚନରେ କୃଷିଋଣ ଛାଡ ସବୁ ରାଜନୈତିକ ଦଳଙ୍କ ନିମନ୍ତେ ଏକ ମୁଖ୍ୟ ପ୍ରସଙ୍ଗ ଥିଲା । ଏହାପରେ ଓଡିଶା ସରକାରଙ୍କ ଉପରେ କୃଷକଙ୍କ ସମସ୍ୟାକୁ କିଛି ଏକ ବଡ ଘୋଷଣାକରିବା ଅତ୍ୟାବଶ୍ୟକ ହେଇ ପଡିଥିଲା ନଚେତ ଆଉ ଅଳ୍ପ କିଛି ମାସ ପରେ ହେବାକୁ ଥିବା ନିର୍ବଚନରେ ବିରୋଧୀ ଏହାକୁ ଏକ ମୁଖ୍ୟ ପ୍ରସଙ୍ଗ ହିସାବରେ ବ୍ୟବହର କରିବାର ଯଥେଷ୍ଟ ସମ୍ଭାବନା ଥିଲା ।   ସେଥିନିମନ୍ତେ ଓଡିଶା ସରକାର ଏକ ବଡ ଘୋଷଣା କରିବା ଆଶା କରାଯାଉଥିଲା ।

ତେଲଙ୍ଗାନା ସ୍କିମରୁ ଅନୁସୃତ

କୃଷକ ଓ ଭାଗଚାଷୀଙ୍କ ନିମନ୍ତେ  ଫେବୃୟାରୀ  2018ରେ  ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ଏହିପରି ଏକ ଘୋଷଣା କରିଥିଲେ । ସେଠାକାର ରୟିତୁ ବନ୍ଧୁ ଯୋଜନା ଅନୁସାରେ ରାଜ୍ୟ ସରକାର ପ୍ରତି ଚାଷୀ ପରିବାରକୁ ଉଭୟ ରବି ଓ ଖରିଫ ଫସଲ ସମୟରେ ବର୍ଷରୁ ଦୁଇଥର ଏକର ପିଛା ଟ.4000 ମିଳିବାର ଯୋଜନା ରହିଛି । ଏହ ଭାରତରେ ସର୍ବପ୍ରଥମ ଯୋଜନା ଯେଉଁଥିରେ ଚାଷୀଙ୍କ ଚାଷକାର୍ଯ୍ୟ ପୂର୍ବରୁ ଆର୍ଥିକ ସହାୟତା ମିଳୁଛି । କୁହାଯାଉଛି ଏହି ଯୋଜନା ବଳରେ ଚନ୍ଦ୍ର ଶେଖର ରାଓଙ୍କ ତେଲଙ୍ଗାନା ରାଷ୍ଟ୍ର ସମିତି ଦଳ

ତେଲଙ୍ଗାନାରେ ଦ୍ଵିତୀୟବାର କ୍ଷମତାସୀନ ହେଇଛି ।

'କୃଷିଋଣ ଛାଡ' ଠାରୁ ଅଧିକ

ଓଡିଶାରେ କୃଷି ଋଣ ନେଇଥବା ଅନେକ ଚାଷୀଙ୍କ ମଧ୍ୟରୁ ଅଧାରୁ ଅଧିକ ସଂଖ୍ୟକ ଚାଷୀ ଋଣ ନେଇ ସୁଝି ଦେଇଥା’ନ୍ତି । ଏହା ଛଡା କୃଷି ଋଣ ଛାଡ ହେଲେ ମଧ୍ୟ  ଭାଗ ଚାଷୀ ମାନେ ଉପକୃତ ହେଇ ପାରି ନ ଥାନ୍ତେ । ବିଜେପି ଓ କଂଗ୍ରେସ ଉଭୟ (ଅନ୍ୟ ରାଜ୍ୟରେ କୃଷି ଋଣ କ୍ଷେତ୍ରରେ) କଥା ଦେଇ କଥା ନ ରଖି ଲୋକଙ୍କୁ ଭୁଆ ବୁଲାଉଛନ୍ତି । ମୁଁ ତାହାଠାରୁ ଯଥେଷ୍ଟ ଭଲ ସୁବିଧା ଦେଇଛି ବୋଲି ଆଜି ସଚିବାଳୟରେ ସମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ।

ସରକାରୀ ତଥ୍ୟ ଅନୁସାରେ  ଓଡିଶାରେ ସର୍ବମୋଟ 32 ଲକ୍ଷ ଚାଷୀ ଅଛନ୍ତି, ଓ ସେଥିମଧ୍ୟରୁ 20 ଲକ୍ଷ ଚାଷୀ କୃଷିଋଣ ନେଇଥାନ୍ତି । ଋଣ ନେଇଥିବା ଚାଷୀଙ୍କ ମଧ୍ୟରୁ 60 ପ୍ରତିଶତ ଏହାକୁ ଶୁଝିଦେଉଥିବାରୁ, କୃଷିଋଣ ଛାଡ ଓଡିଶାରେ ଆବଶ୍ୟକ ନୁହେଁ ବୋଲି ପରୋକ୍ଷରେ ସରକାର କହିଛନ୍ତି ।  

#politics #government #farmer #KALIAscheme

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon