• padmabati kund

ଶୁକ୍ରବାର ରିଲିଜ : 'ଜିରୋ' କାହାଣୀ, ଅଭିନୟ ଦମଦାର


(ବେତାର ବ୍ୟୁରୋ) ବଡଦିନ ଉପଲକ୍ଷେ ବଲିଉଡ ବାଦଶାହ ଶାହରୁଖ ଖାନ, ଅନୁଷ୍କା ଶର୍ମା ଓ କାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ ‘ଜିରୋ’ ଶୁକ୍ରବାର ରିଲିଜ ହୋଇଯାଇଛି। ପ୍ରାୟ 16ମାସ ପରେ ପରଦାକୁ ଫେରିଥିବା ଶାହରୁଖ ଖାନଙ୍କ ଏହି ଫିଲ୍ମକୁ ଦର୍ଶକମାନେ ମଧ୍ୟ ବହୁ ଅପେକ୍ଷା କରି ରହିଥିଲେ। ଆନନ୍ଦ ଏଲ ରୟଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଶାହରୁଖ ଖାନଙ୍କ ସବୁଠାରୁ ବଡ ବଜେଟ ଫିଲ୍ମ। ଏହି ଫିଲ୍ମ ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଛି।

କାହାଣୀ

ଫିଲ୍ମର କାହାଣୀ ମେରଠରେ ରହୁଥିବା ବାମନ ବଉଆ ସିଂ(ଶାହରୁଖ ଖାନ) ଠାରୁ ଆରମ୍ଭ ହୋଇଛି। ବଉଆ ନିଜ ପିତା ଓ ସାରା ଦୁନିଆର ଲୋକଙ୍କୁ ବହୁତ ଘୃଣା କରେ, କାରଣ ସମସ୍ତେ ତାର ମଜା ଉଡାଇଥାନ୍ତି। 38ବର୍ଷ ହେବା ପରେ ମଧ୍ୟ ତାର  ବିବାହ ହୋଇପାରୁନଥାଏ କିନ୍ତୁ ସେ ଆଶା ରଖିଥାଏ ଯେ ତାର ବିବାହ ଫିଲ୍ମ ଅଭିନେତ୍ରୀ ବବିତା କୁମାରୀ(କାଟ୍ରିନା କୈଫ) ସହିତ ହେବ ବୋଲି।

ଏହାଭିତରେ ଜଣେ ଯୋଗ୍ୟ ଓ ସଫଳ ବୈଜ୍ଞାନିକ ଆଫିୟା ସହିତ ବଉଆର ଦେଖାହୁଏ। ଆଫିୟା ‘ସେରେବ୍ରେଲ ପଲାସୀ’ ନାମକ ରୋଗରେ ପୀଡିତ ଓ ସବୁବେଳେ ହ୍ଵିଲ ଚେୟାରରେ ବସିଥାନ୍ତି। ଦୂହିଁଙ୍କ ମଧ୍ୟରେ ଏକ ନୂଆ ସମ୍ପର୍କ ଗଢି ଉଠେ। ଦୁଇଜଣଙ୍କର ବ୍ୟକ୍ତିତ୍ଵ ଭିନ୍ନ ଭିନ୍ନ ଅଟେ ଓ ଏହା ଫିଲ୍ମର କାହାଣୀକୁ ବହୁତ ମଜଭୁତ କରିଛି। ତେବେ କାହାଣୀରେ ସେତେବେଳେ ନୂଆ ମୋଡ ଆସେ ଯେତେବେଳେ ବଉଆ ସହିତ ବବିତା କୁମାରୀର ଦେଖାହୁଏ।

ଗୋଟିଏ ପଟେ ବଉଆ ସିଂ ଓ ଆଫିୟା ଶାରୀରିକ ଭାବେ ଅକ୍ଷମ ହୋଇଥିବା ବେଳେ ବବିତା ମାନସିକ ଭାବରେ ଅକ୍ଷମ ଅଟେ। ବବିତା ସହ ଦେଖା ହେବା ପରେ ବଉଆ ସିଂ, ଆଫିୟାକୁ ଧୋକା ଦେଇ ଚାଲିଯାଏ। ଏହାପରେ ନୂଆ ଡ୍ରାମା ଆରମ୍ଭ ହୋଇଛି। ତିନିଜଣ ନିଜ ନିଜ ଜୀବନର ଖାଲିପଣକୁ ନେଇ କିପରି ଆଗକୁ ଆଗେଇଛନ୍ତି ତାହା ଏହି କାହାଣୀରେ ଦର୍ଶାଯାଇଛି।

ଅଭିନୟ

ଏହି ଫିଲ୍ମର ସବୁଠାରୁ ମଜଭୁଦ ଭାଗ ହେଉଛି କଳାକାରଙ୍କ ଅଭିନୟ। ଶାହରୁଖ ଖାନ, ଅନୁଷ୍କା ଶର୍ମା ଓ କାଟ୍ରିନା କୈଫ ନିଜର ଅଭିନୟ ମଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛନ୍ତି। ବାମନ ଭୂମିକାରେ ଶାହରୁଖ ଖୁବ ଭଲ ଅଭିନୟ କରିଛନ୍ତି। ଅନୁଷ୍କା ଶର୍ମା ମଧ୍ୟ ଖୁବ ଭଲ ଅଭିନୟ କରିଛନ୍ତି ଯାହାକି ଦର୍ଶକଙ୍କ ମନରେ ଘର କରିପାରିବ। ଫିଲ୍ମରେ କାଟ୍ରିନାଙ୍କ ଭୂମିକା ଛୋଟ ଅଟେ କିନ୍ତୁ ନିଜ ଚରିତ୍ରକୁ ସେ ଖୁବ ଭଲ ଭାବରେ ଉପସ୍ଥାପନା କରିଛନ୍ତି। ଏହାବ୍ୟତୀତ ମହମ୍ମଦ ଜିଶାନ ଅୟୂବ, ତିଗ୍ମାଂଶୁ ଧୂଳିୟା, ଶିବା ଚଡ୍ଡା, ବଜେନ୍ଦ୍ର କାଲା, ଅଭୟ ଦେଓଲ, ଆର ମାଧବନ ମଧ୍ୟ ଭଲ ଅଭିନୟ କରିଛନ୍ତି।

ଫିଲ୍ମରେ ଅଭିନୟ ଓ ଡାଇଲଗ ବହୁତ ପ୍ରଭାବଶାଳୀ ରହିଛି କିନ୍ତୁ ଫିଲ୍ମର ସ୍କ୍ରିନପ୍ଲେ କମଜୋର ରହିଛି, ଯାହାକି ମଧ୍ୟାନ୍ତର ପରେ ଫିଲ୍ମକୁ ଅତି ସାଧାରଣ କରିଦେଇଛି। କିନ୍ତୁ ଫିଲ୍ମରେ ଗୀତ ଗୁଡିକ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି।

ଦର୍ଶକଙ୍କ ପ୍ରତିକ୍ରିୟା

ଶାହରୁଖଙ୍କ ବାମନ ଅବତାର ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି। ପ୍ରଥମ ଦିନର ପ୍ରଥମ ଶୋ’ ଦେଖିବା ପରେ ଦର୍ଶକମାନେ ମଧ୍ୟ ନିଜ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏହାସହିତ ଅନୁଷ୍କା ଶର୍ମା ଓ କାଟ୍ରିନାଙ୍କ ଅଭିନୟକୁ ମଧ୍ୟ ଦର୍ଶକମାନେ ପସନ୍ଦ କରିଛନ୍ତି।

#entertainment #zero #fridayrelease

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon