• padmabati kund

ରବୀନ୍ଦ୍ର ଜାଡେଜାଙ୍କ ଆଘାତକୁ ନେଇ ବିବାଦରେ ରବି ଶାସ୍ତ୍ରୀ ଓ BCCI : କିଏ ସତ କହୁଛି?


(ବେତାର ବ୍ୟୁରୋ) ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚାରିଟିକିଆ ଟେଷ୍ଟ ସିରିଜରେ ଦ୍ଵିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳରେ ରେଗୁଲାର ସ୍ପିନରର ଚୟନ ନ କରିବାକୁ ନେଇ ଦଳର ଅଧିନାୟକ ବିରାଟ କୋହଲି ଓ ଦଳ ପ୍ରବନ୍ଧନର କଡା ସମାଲୋଚନା କରାଯାଇଥିଲା। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ନଖେଳେଇବାକୁ ନେଇ ଦଳର କୋଚ ରବି ଶାସ୍ତ୍ରୀ ଯେଉଁ ମତ ଦେଇଛନ୍ତି ତାହାକୁ ନେଇ ବିବାଦ ଦେଖାଦେଇଛି।

ରବି ଶାସ୍ତ୍ରୀଙ୍କ ମତରେ ପର୍ଥ ଟେଷ୍ଟ ମ୍ୟାଚ ପାଇଁ ଜାଡେଜା ସଂପୂର୍ଣ୍ଣ ଭାବରେ ଫିଟ ନଥିଲେ ଓ ସେ ଏହି ସିରିଜ ପୂର୍ବରୁ ଆହତ ଥିଲେ। ବର୍ତ୍ତମାନ ବିସିସିଆଇ କହିଛି ଯେ, ଯେତେବେଳେ ଜାଡେଜାଙ୍କୁ ଦଳ ପାଇଁ ଚୟନ କରାଗଲା ସେ ସଂପୂର୍ଣ୍ଣ ଭାବରେ ଠିକ ଥିଲେ। ଏହାକୁ ନେଇ ବର୍ତ୍ତମାନ ବିବାଦ ଦେଖାଦେଇଛି, କାରଣ ଦୁଇଟିଯାକ ବୟାନ ପରସ୍ପର ବିରୋଧୀ ଅଟେ।

ଯଦି ଜାଡେଜା ସଂପୂର୍ଣ୍ଣ ଭାବରେ ଫିଟ ନଥିଲେ ତେବେ ପର୍ଥ ଟେଷ୍ଟ ମ୍ୟାଚ ପାଇଁ କାହିଁକି 13ଜଣିଆ ଦଳରେ ସାମିଲ କରଯାଇଥିଲା ସେନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏହାବ୍ୟତୀତ ଜାଡେଜାଙ୍କୁ ଦ୍ଵିତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆର ଦୁଇଟିଯାକ ଇନିଙ୍ଗ୍ସରେ ଫିଲ୍ଦିଙ୍ଗ ମଧ୍ୟ କରୁଥିବାର ଦେଖିବାକୁ ମିଳିଥିଲା।

ସାମ୍ବାଦିକ ସମ୍ମିଳନୀରେ ରବି ଶାସ୍ତ୍ରୀ କହିଥିଲେ ଯେ, “ଜାଡେଜାଙ୍କ କାନ୍ଧରେ ଆଘାତ ଲାଗିଥିଲା, ଏଥିପାଇଁ ଅଷ୍ଟ୍ରେଲିଆକୁ ଆସିବାର ଚାରିଦିନ ପରେ ସେ ଇଂଜେକସନ ନେଇଥିଲେ। ୱେଷ୍ଟଇଣ୍ଡିଜରେ ଖେଳାଯାଉଥିବା ୱାନ-ଡେ ସିରିଜ ସମୟରେ ତାଙ୍କ କାନ୍ଧରେ ଏହି ଆଘାତ ଲାଗିଥିଲା। ଏହାର ପ୍ରଭାବ ତାଙ୍କ ଉପରେ କିଛିଦିନ ପରେ ପଡିଥିଲା। ଭାରତରେ ଥିବା ସମୟରେ ତାଙ୍କ କାନ୍ଧରେ ଏହି ଆଘାତ ଥିଲା। ଏହାପରେ ସେ ଘରୋଇ କ୍ରିକେଟ ଖେଳିଥିଲେ। ଅଷ୍ଟ୍ରେଲିଆ ଆସିବାର କିଛିଦିନ ପରେ ପୁଣି ତାଙ୍କ କାନ୍ଧରେ ସେ କଷ୍ଟ ଅନୁଭବ କରିଥିଲେ ଓ ତାଙ୍କୁ ଇଂଜେକସନ ଦିଆଯାଇଥିଲା।

ବର୍ତ୍ତମାନ ସଂପୂର୍ଣ୍ଣ ଭାବରେ ଠିକ ଅଛନ୍ତି ଜାଡେଜା

ତେବେ ଅନେକ ବିବାଦ ପରେ ଡିସେମ୍ବର 26 ତାରିଖରେ ଭାରତ ଖେଳିବାକୁ ଥିବା ବକ୍ସିଙ୍ଗ ଡେ’ ଟେଷ୍ଟ ମ୍ୟାଚରେ ଜାଡେଜା ଖେଳିବେ ବୋଲି ବିସିସିଆଇ ତରଫରୁ ସ୍ପଷ୍ଟ କରାଯାଇଛି। ବିସିସିଆଇ ତରଫରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ଜାଡେଜାଙ୍କ ବାମ କାନ୍ଧରେ ଲାଗିଥିବା ଆଘାତରେ ଲଗାତାର ସୁଧାର ଦେବାକୁ ମିଳିଛି ଏବଂ ବର୍ତ୍ତମାନ ସେ ବକ୍ସିଙ୍ଗ ଡେ’ ଟେଷ୍ଟ ମ୍ୟାଚ ଖେଳିବା ପାଇଁ ସଂପୂର୍ଣ୍ଣ ଫିଟ ଅଛନ୍ତି।

ମେଲବର୍ଣ୍ଣରେ ତୃତୀୟ ଟେଷ୍ଟ

ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଡିସେମ୍ବର 26 ତାରିଖରୁ ଖେଳାଯିବ। ଆଡିଲେଡରେ ଖେଲାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ବିଜୟ ହାସଲ କରି ସିରିଜରେ ଆଗୁଆ ଥିଲା କିନ୍ତୁ ପର୍ଥରେ ଖେଳାଯାଇଥିବା ଦ୍ଵିତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟ ହାସଲ କରି ସିରିଜକୁ ସମାନ କରିଦେଇଛି। ତୃତୀୟ ଟେଷ୍ଟ ମ୍ୟାଚରେ କିଏ ଆଗକୁ ବଢିବ ଦେଖିବାକୁ ବାକିରହିଲା।

#rabindrajadeja #cricket

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon