- padmabati kund
ଅବସରପରେ କାନାଡାରେ ରହିବେ ଅକ୍ଷୟ କୁମାର : ପ୍ରଶଂସକ କଲେ ଟ୍ରୋଲ

(ବେତାର ବ୍ୟୁରୋ) ବଲିଉଡ ଷ୍ଟାର ଅକ୍ଷୟ କୁମାର ନିଜ ଅଭିନୟ ପାଇଁ ଯେତିକି ଚର୍ଚ୍ଚାରେ ରୁହନ୍ତି, ତାଠାରୁ ଅଧିକ ନିଜର ଦେଶଭକ୍ତି ପାଇଁ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ରଜନୀକାନ୍ତଙ୍କ ସହିତ ‘୨.୦’ ରେ କାମ କରି ଖୁବ ଚର୍ଚ୍ଚାରେ ରହିଥିଲେ ଓ ଏହି ଫିଲ୍ମ ବକ୍ସ ଅଫିସରେ ଏକ ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରିଛି। ଏହି ଫିଲ୍ମଟି ଅକ୍ଷୟ ଫିଲ୍ମ କ୍ୟାରିୟରର ସବୁଠାରୁ ଅଧିକ ରୋଜଗାର କରିଥିବା ଫିଲ୍ମ ହୋଇଯାଇଛି। କିନ୍ତୁ ନିକଟରେ ସେ ଏପରି ଏକ ମନ୍ତବ୍ୟ ଦେଇଛନ୍ତି ଯାହାକୁ ଶୁଣିବା ପରେ ଫ୍ୟାନମାନେ ନିରାଶ ହୋଇଛନ୍ତି ଓ ସୋସିଆଲ ମିଡିଆରେ ଟ୍ରୋଲ କରିଛନ୍ତି।
ଅକ୍ଷୟ କୁମାର ନିକଟରେ କାନାଡାରେ ଏକ ଭାଷଣ ଦେଇଥିଲେ ଓ ସେଥିରେ କହିଥିଲେ ଯେ, ବଲିଉଡରୁ ଅବସର ନେବା ପରେ ସେ କାନାଡାରେ ଘର କିଣି ରହିବେ। ଏହା ତାଙ୍କର ପ୍ରଥମ ସ୍ଥାନ ଅଟେ। ଟୋରଣ୍ଟୋ ତାଙ୍କର ନିଜ ଘର ପରି। ପୂର୍ବରୁ ମଧ୍ୟ ଅକ୍ଷୟଙ୍କ କାନାଡାର ନାଗରିକତାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ତାଙ୍କର ୱିକିପିଡିଆ ପ୍ରୋଫାଇଲରେ ମଧ୍ୟ ଉଲ୍ଲେଖ ରହିଛି ଯେ, ସେ ଭାରତରେ ଜନ୍ମ ହୋଇଥିବା କାନାଡା ଅଭିନେତା ଅଟନ୍ତି।
ଅକ୍ଷୟ କୁମାର ଟୋରୋଣ୍ଟୋରେ ଦେଉଥିବା ଏହି ଭାଷଣର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରାଯାଇଛି। ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି। ଏଥିରେ ଅକ୍ଷୟ କୁମାର ତାଙ୍କ ଫ୍ୟାନକୁ କହୁଛନ୍ତି ଯେ, ବଲିଉଡରୁ ଅବସର ନେବା ପରେ ଟୋରୋଣ୍ଟୋରେ ରହିବା ପାଇଁ ଯୋଜନା କରୁଛନ୍ତି।
ଏହି ଭିଡିଓ ଦେଖିବା ପରେ ଫ୍ୟାନ ମାନେ ଅକ୍ଷୟ କୁମାରଙ୍କୁ ଦେଶଦ୍ରୋହୀ ବୋଲି କହିଛନ୍ତି। ଜଣେ ଟ୍ଵିଟର ବ୍ୟବହାରକାରୀ ଲେଖିଛନ୍ତି ଯେ, “ଦେଶଭକ୍ତି ନାମରେ ସେ ସିମେଣ୍ଟ ବିକ୍ରି କରୁଛନ୍ତି ଓ କାନାଡାରେ ଯାଇ ରହିବେ।“
ଅନ୍ୟଜଣେ ଟ୍ଵିଟର ବ୍ୟବହାରକାରୀ ଲେଖିଛନ୍ତି ଯେ, “ କିଛି ଲୋକଙ୍କ ପାଇଁ ଇଏ ଜଣେ ସଚ୍ଚୋଟ ଦେଶଭକ୍ତ। ଯେତେବେଳେ ନିଜ ଫିଲ୍ମ ରିଲିଜ ହେବାର ଥାଏ ସେତେବେଳେ ସୈନିକଙ୍କ ସାହାଯ୍ୟ କରିଥାନ୍ତି।“
ସେହିପରି ଅନ୍ୟଜଣେ ଟ୍ଵିଟର ବ୍ୟବହାରକାରୀ ଲେଖିଛନ୍ତି ଯେ, “ଭାରତରେ ରୋଜଗାର କରି ଯାଇ କାନାଡାରେ ଖର୍ଚ୍ଚ କରିବ।“ ଅନ୍ୟଜଣେ ଲେଖିଛନ୍ତି ଯେ, “ଯଦି ଏହି କଥା ନାସିରୁଦ୍ଦିନ ଶାହ କହିଥାନ୍ତେ ତେବେ?” ଏପରି କହିବାର ଅର୍ଥ ଯେ, କିଛିଦିନ ତଳେ ବୁଲନ୍ଦସହରରେ ହୋଇଥିବା ହିଂସାକୁ ନେଇ ନାସିରୁଦ୍ଦିନ ନିଜ ମନ୍ତବ୍ୟ ଦେଇଥିଲେ। ସେଥିରେ ସେ କହିଥିଲେ ଯେ, “ଗୋଟିଏ ଗାଈର ଜୀବନ କିପରି ଗୋଟିଏ ପୋଲିସ ଅଫିସରର ଜୀବନ ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଲା ତାହା ସେ ବୁଝି ପାରୁନାହାନ୍ତି।“ ଏହି ମନ୍ତବ୍ୟକୁ ନେଇ ନାସିରୁଦ୍ଦିନ ବହୁତ ସମାଲୋଚିତ ହୋଇଥିଲେ।