• padmabati kund

ଖାଦ୍ୟ ପ୍ୟାକିଙ୍ଗ ବ୍ୟବସ୍ଥା ପାଇଁ ଆସୁଛି ନୂଆ ନିୟମ


(ବେତାର ବ୍ୟୁରୋ)ଆଜିକାଲି ହୋଟେଲ କିମ୍ବା ରେଷ୍ଟୁରାଣ୍ଟରୁ ଖାଇବା ଆଣିବା ବେଳେ ଖାଦ୍ୟକୁ ପ୍ୟାକିଙ୍ଗ କରି ଆଣିବାକୁ ପଡିଥାଏ। ସେହିପରି ବିଭିନ୍ନ ସୁପରମାର୍କେଟ ଷ୍ଟୋର ମାନଙ୍କରେ ଆଗରୁ ରନ୍ଧାହେଇଥିବା ଖାଦ୍ୟ ପ୍ୟାକେଟରେ ଶିତଳୀକରଣ (frozen) କରାହେଇ ବିଭିନ୍ନ ପ୍ୟାକେଟରେ ବିକ୍ରି ହେଉଛି। ଆଗକୁ ଏହି ପ୍ୟାକେଜିଙ୍ଗ ବ୍ୟବସ୍ଥାରେ ପରିବର୍ତ୍ତନ ହୋଇପାରେ।

ଖୁବ ଶୀଘ୍ର ଏଥିପାଇଁ ନୂଆ ନିୟମ ଜାରି ହେବ। ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ୍ସ ଅଥରୀଟି ଅଫ ଇଣ୍ଡିଆ (FSSAI) ତରଫରୁ ଡିସେମ୍ବର ଶେଷ ସପ୍ତାହରେ ଏଥିପାଇଁ ବିଜ୍ଞପ୍ତି ଜାରି ହୋଇପାରେ। ଲୋକଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି FSSAI ତରଫରୁ ଏହି ନୂଆ ନିୟମ ଜାରି କରାଯିବ। ଅନେକ ଦିନ ଧରି ଏହା ଉପରେ କାମ ଚାଲୁ ରହିଛି ଓ ଏହାପରେ ଖାଦ୍ୟ ପ୍ୟାକେଜିଙ୍ଗ ବ୍ୟବସ୍ଥା ସଂପୂର୍ଣ୍ଣ ଭାବରେ ପରିବର୍ତ୍ତନ ହୋଇଯିବ।

ଆଗକୁ ଲାଗୁ ହେବାକୁ ଥିବା ନୂଆ ନିୟମ ଅନୁସାରେ ପ୍ୟାକେଜିଙ୍ଗ ପାଇଁ ଯେଉଁ ଖଣିଜ ପଦାର୍ଥ ବ୍ୟବହୃତ ହେଉଛି ତାର ମାତ୍ରା ଉଲ୍ଲେଖ ରହିବ। ଖାଦ୍ୟ ପ୍ୟାକେଜିଙ୍ଗରେ ଏପରି କୌଣସି ପଦାର୍ଥ ବ୍ୟବହାର ହେବନାହିଁ ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହେବ। ଏହାସହିତ ମଲ୍ଟିଲେୟର ପ୍ୟାକେଜିଙ୍ଗ ମଧ୍ୟ କରାଯିବ, ଏହାଫଳରେ ଖାଦ୍ୟ ସିଧାସଳଖ ପ୍ୟାକେଟ ସଂସ୍ପର୍ଶରେ ଆସିବ ନାହିଁ।

ଏହାବ୍ୟତୀତ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ପ୍ରିଣ୍ଟିଙ୍ଗ ପାଇଁ ବ୍ୟବହାର ହେଉଥିବା କାଳୀ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯିବ। ଖବର କାଗଜ ବା ଯେଉଁ କାଗଜରେ କିଛି ଲେଖାଯାଇଥିବ ସେଥିରେ ଖାଦ୍ୟ ପ୍ୟାକିଙ୍ଗ କରାଯିବ ନାହିଁ। ଶସ୍ତା ଓ ଖରାପ ପଦାର୍ଥ ପ୍ୟାକିଙ୍ଗରେ ବ୍ୟବହାର କରାଯିବ ନାହିଁ। ମିନେରାଲ ୱାଟର କିମ୍ବା ପ୍ୟାକ ହୋଇଥିବା ପିଇବା ପାଣି କେବଳ ରଙ୍ଗହୀନ ଡବାରେ ହିଁ ପ୍ୟାକ କରାଯିବ।

ଅନୁମାନ କରାଯାଉଛି ଯେ, ୨୦୨୦ ପର୍ଯ୍ୟନ୍ତ ଭାରତର ଖାଦ୍ୟ ବଜାର ୧୮ବିଲିୟନ ଡଲାର ହେବ। ୨୦୧୬ ପର୍ଯ୍ୟନ୍ତ ଏହା ୧୨ ଅରବ ଡଲାର ରହିଥିଲା। ଏହାସହିତ FSSAI ମତରେ ଏହି ନୂଆ ନିୟମ ଅନୁସାରେ ଖାଦ୍ୟ ନଷ୍ଟ ହେବାକୁ ମଧ୍ୟ ରୋକା ଯାଇପାରିବ।

ପୁନଃବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକର ବ୍ୟବହାର ବନ୍ଦ ହେବ

ବର୍ତ୍ତମାନ ଲାଗୁ ହେଉଥିବା ନିୟମ ଅନୁସାରେ ଖାଦ୍ୟ ପ୍ୟାକେଜିଙ୍ଗ ପାଇଁ ଆଲୁମିନିୟମ, ତମ୍ବା, ପ୍ଲାଷ୍ଟିକ ଓ ଟିଣର ବ୍ୟବହାର କରାଯାଉଛି। କିନ୍ତୁ ଆଗକୁ ମଣିଷ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଉଥିବା ଭଳି ଖଣିଜ ପଦାର୍ଥ ବ୍ୟବହାର କରାଯିବ ନାହିଁ। ଏମିତିକି ପୁନଃ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକର ମଧ୍ୟ ବ୍ୟବହାର କରାଯିବ ନାହିଁ।

ବର୍ତ୍ତମାନ BIS(ଦ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡର୍ଡ୍ସ) ପାଖରେ ପ୍ୟାକେଜିଙ୍ଗ ନିୟମ ରହିଛି କିନ୍ତୁ ଏହା ଅନିବାର୍ଯ୍ୟ ନୁହେଁ। FSSAIର ଏହି ନୂଆ ନିୟମ ଅନିବାର୍ଯ୍ୟ ହେବ। BIS ପ୍ୟାକେଜିଙ୍ଗ ଠାରୁ ଲେବେଲିଙ୍ଗ ଉପରେ ଅଧିକ ଗୁରୁତ୍ଵ ଦେଇଥାଏ। କିନ୍ତୁ FSSAI ତରଫରୁ ଏହି ଖାଦ୍ୟ ପ୍ୟାକେଜିଙ୍ଗକୁ ତିନି ଭାଗରେ ବିଭକ୍ତ କରାଯିବ। ପ୍ୟାକେଜିଙ୍ଗ ସମେତ ଲେବେଲିଙ୍ଗ ଓ କ୍ଳେମ ଆଣ୍ଡ ଆଡଭାର୍ଟାଇଜମେଣ୍ଟ ଉପରେ ମଧ୍ୟ ଧ୍ୟାନ ଦିଆଯିବ। ଏଥିମଧ୍ୟରୁ ପ୍ୟାକେଜିଙ୍ଗ ପାଇଁ ନୂଆ ନିୟମ ଆସିବାକୁ ଯାଉଥିବା ବେଳେ କ୍ଳେମ ଆଣ୍ଡ ଆଡଭାର୍ଟାଇଜମେଣ୍ଟ ପାଇଁ ନିୟମ ଆସି ସାରିଛି।  

#foodpacking #FSSAI

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon