• padmabati kund

ଏସିଆର ପ୍ରଥମ ବୋଲର ଭାବେ ଯଶପ୍ରିତ ବୁମରାହ କଲେ ଏହି ରେକର୍ଡ


(ବେତାର ବ୍ୟୁରୋ) ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଭାରତୀୟ ବୋଲର ଯଶପ୍ରୀତ ବୁମରାହଙ୍କ ଚମତ୍କାର ବୋଲିଙ୍ଗ ପ୍ରଦର୍ଶନ ଦେଖିବାକୁ ମିଳିଛି। ଯଶପ୍ରିତ ବୁମରାହଙ୍କ ବୋଲିଙ୍ଗ ବଳରେ ଭାରତ ଅଷ୍ଟ୍ରେଲିଆ ଦଳକୁ ପ୍ରଥମ ଇନିଙ୍ଗ୍ସରେ 151ରନରେ ଆଲଆଉଟ କରିବାରେ ସଫଳ ହୋଇପାରିଛି।

ବର୍ତ୍ତମାନ ସମୟରେ କେବଳ ଭାରତରେ ନୁହେଁ ସମଗ୍ର ଦୁନିଆର ବେଷ୍ଟ ବୋଲର ଯଶପ୍ରିତ ବୁମରାହ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଏହି ଟେଷ୍ଟ ମ୍ୟାଚରେ 33ରନ ଦେଇ 6ଟି ୱିକେଟ ନେଇଛନ୍ତି। ଅଷ୍ଟ୍ରେଲିଆରେ ଚାଲିଥିବା ଏହି ଟେଷ୍ଟ ସିରିଜରେ ବୁମରାହ ବର୍ତ୍ତମାନ ପର୍ଯ୍ୟନ୍ତ 5ଟି ଇନିଙ୍ଗ୍ସରୁ 17ଟି ୱିକେଟ ନେଇସାରିଲେଣି। ସିରିଜରେ ତାଙ୍କର ରନରେଟ 15ରୁ ମଧ୍ୟ କମ ରହିଛି।

ଏହି ରେକର୍ଡ କରିବାରେ ଏସିଆର ପ୍ରଥମ ବୋଲର

ଏହି ବକ୍ସିଙ୍ଗ ଡେ’ ଟେଷ୍ଟ ମ୍ୟାଚରେ ପ୍ରଥମ ଇନିଙ୍ଗ୍ସରେ 6ଟି ୱିକେଟ ନେବା ସହିତ ବୁମରାହ ଅନେକ ରେକର୍ଡ ଭାଙ୍ଗିଛନ୍ତି। ସେ ଏସିଆର ପ୍ରଥମ ବୋଲର ହୋଇପାରିଛନ୍ତି ଯିଏକି ଗୋଟିଏ କ୍ୟାଲେଣ୍ଡର ବର୍ଷ ମଧ୍ୟରେ ସାଉଥଆଫ୍ରିକା, ଇଂଲଣ୍ଡ ଓ ଅଷ୍ଟ୍ରେଲିଆରେ ଗୋଟିଏ ଇନିଙ୍ଗ୍ସରେ 5ଟି ୱିକେଟ ନେଇ ପାରିଛନ୍ତି। ଏହାପୂର୍ବରୁ ଏସିଆର କୌଣସି ବୋଲର ଏହି କିର୍ତ୍ତୀ ଅର୍ଜନ କରିପାରିନଥିଲେ।

ବୁମରାହ ଏହି କ୍ୟାଲେଣ୍ଡର ବର୍ଷରେ ପ୍ରଥମେ ସାଉଥଆଫ୍ରିକାରେ ଜୋହାନିସବର୍ଗ ଟେଷ୍ଟମ୍ୟାଚରେ 54ରନ ଦେଇ 5ଟି ୱିକେଟ ନେଇଥିଲେ। ଏହାପରେ ଇଂଲଣ୍ଡରେ ଟ୍ରେଣ୍ଟ ବ୍ରିଜ ଟେଷ୍ଟମ୍ୟାଚରେ 85ରନ ଦେଇ 5ଟି ୱିକେଟ ନେଇଥିଲେ ଓ ବର୍ତ୍ତମାନ ଅଷ୍ଟ୍ରେଲିଆରେ ମେଲବର୍ଣ୍ଣ ଟେଷ୍ଟମ୍ୟାଚରେ 33ରନ ଦେଇ 6ଟି ୱିକେଟ ନେଇଛନ୍ତି।

ଭାଙ୍ଗିଲେ 39ବର୍ଷ ପୁରୁଣା ଭାରତୀୟ ରେକର୍ଡ

ଏହାସହିତ ଯଶପ୍ରିତ ବୁମରାହ ଭାରତର 39ବର୍ଷ ପୁରୁଣା ରେକର୍ଡ ମଧ୍ୟ ଭାଙ୍ଗି ଦେଇଛନ୍ତି। ବୁମରାହ ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ବର୍ଷରେ ହିଁ 41ଟି ୱିକେଟ ନେଇ ନୂଆ ରେକର୍ଡ କରିଛନ୍ତି। ମେଲବର୍ଣ୍ଣରେ ଖେଳାଯାଉଥିବା ତୃତୀୟ ଟେଷ୍ଟମ୍ୟାଚର ତୃତୀୟ ଦିନରେ ଅଷ୍ଟ୍ରେଲିଆର ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନ ମାନଙ୍କ ୱିକେଟ ନେଇ ମ୍ୟାଚରେ ଭାରତୀୟ ଦଳର ସ୍ଥିତି ସୁଦୃଢ କରିଥିଲେ। ପ୍ରଥମ ସେସନରେ ଶନ ମାର୍ସଙ୍କ ୱିକେଟ ନେବା ମାତ୍ରେ ସେ ସ୍ପିନର ଦିଲ୍ଲୀପ ଦୋଷୀଙ୍କ 39ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଥିଲେ। ଦିଲ୍ଲୀପ ଦୋଷୀ 1979ରେ  ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ କ୍ୟାଲେଣ୍ଡର ବର୍ଷରେ 40ଟି ୱିକେଟ ନେଇଥିଲେ।

ବୁମରାହଙ୍କ ଏହି ପ୍ରଦର୍ଶନରେ ପୂର୍ବତନ ଖେଳାଳୀମାନେ ମଧ୍ୟ ବୁମରାହଙ୍କ ଭରପୁର ପ୍ରଶଂସା କରିଛନ୍ତି। ଅଷ୍ଟ୍ରେଲିଆର ପୂର୍ବତନ ଫାଷ୍ଟ ବୋଲର ମିଚେଲ ଜନସନ ଟ୍ଵିଟ କରି ବୁମରାହଙ୍କ ପ୍ରଶଂସା କରିଛନ୍ତି। ସେ ଲେଖିଛନ୍ତି, “ଭାରତୀୟ ଦଳ ଟେଷ୍ଟରେ ବର୍ତ୍ତମାନ କାହିଁକି ପ୍ରଥମ ସ୍ଥାନରେ ରହିଛି ତାହା ପ୍ରମାଣ କରିଦେଲା। ଏହି ସଂପୂର୍ଣ୍ଣ ସିରିଜରେ ବୁମରାହ ଚମତ୍କାର ପ୍ରଦର୍ଶନ କରିଛନ୍ତି। ମେଲବର୍ଣ୍ଣରେ ତାଙ୍କର ପ୍ରଦର୍ଶନ ପାଇଁ ଅନେକ ଶୁଭେଚ୍ଛା।“

ଏହାସହିତ ଭାରତର ପୂର୍ବ ବ୍ୟାଟ୍ସମ୍ୟାନ ସଞ୍ଜୟ ମାଞ୍ଜରେକର କହିଛନ୍ତି ଯେ, ବୁମରାହଙ୍କ ବୋଲିଙ୍ଗ 360 ଡିଗ୍ରୀ ବ୍ୟାଟିଙ୍ଗ କରୁଥିବା ବ୍ୟାଟ୍ସମ୍ୟାନ ପରି।

#cricket #indvsaus #jaspritbumrah

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon