• padmabati kund

ଅଷ୍ଟ୍ରେଲୀୟ ଦର୍ଶକ ସୀମା ଟପିଲେ, ଭାରତୀୟ ଖେଳାଳୀଙ୍କ ଉପରେ ଦେଲେ ଅଶ୍ଳୀଳ ଟିପ୍ପଣୀ


(ବେତାର ବ୍ୟୁରୋ) ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜରେ ପ୍ରଥମେ ଅଷ୍ଟ୍ରେଲିଆର କ୍ରିକେଟର ଓ କମେଣ୍ଟେଟର ପରେ ଏବେ ଅଷ୍ଟ୍ରେଲିଆ ପ୍ରଶଂସକ ନିଜ ସୀମା ପାର କରିବାରେ ଲାଗିଛନ୍ତି। ଦୁଇ ଦଳ ମଧ୍ୟରେ ମେଲବର୍ଣ୍ଣରେ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ (ବକ୍ସିଙ୍ଗ ଡେ’ ଟେଷ୍ଟ) ଖେଳାଯାଉଛି। ଏହି ମ୍ୟାଚ ଚାଲୁଥିବା ସମୟରେ ଅଷ୍ଟ୍ରେଲିଆ ଦଳର କ୍ୟାପଟେନ ଟିମ ପେନଙ୍କୁ ଭାରତୀୟ ବ୍ୟଟ୍ସମ୍ୟାନଙ୍କ କଟାକ୍ଷ କରୁଥିବାର ଦେଖିବାକୁ ମିଳିଥିଲା। ସେହିପରି କମେଣ୍ଟ୍ରି ବକ୍ସରେ ପୂର୍ବ କ୍ରିକେଟର କୈରୀ ଓ କିଫ ଭାରତୀୟ ଓପନର ମୟଙ୍କ ଅଗ୍ରୱାଲଙ୍କ ମଜା ଉଡାଇଥିଲେ। ଏହାସହିତ ଅଷ୍ଟ୍ରେଲିଆର ଦର୍ଶକମାନେ ମଧ୍ୟ ଭାରତୀୟ ଖେଳାଳୀଙ୍କ ଉପରେ ଅଶ୍ଳୀଳ ଟିପ୍ପଣୀ ଦେଇଛନ୍ତି।

ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଏପରି ଘଟଣା ଦେଖିବାକୁ ମିଳିଥିଲା। ESPN cricketinfoର ରିପୋର୍ଟ ଅନୁସାରେ, ତୃତୀୟ ଟେଷ୍ଟ ମ୍ୟାଚରେ ପ୍ରଥମ ଦୁଇଦିନରେ ଭାରତୀୟ ଖେଳାଳୀଙ୍କୁ ଆକ୍ଷେପ କରି ଅନେକ ଅଶ୍ଳୀଳ ମନ୍ତବ୍ୟ କରାଯିବାର ଅଭିଯୋଗ ଆସିଥିଲା।

ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡର ଲୋକପ୍ରିୟ bay-13ରେ ବସିଥିବା ଦର୍ଶକମାନେ ଭାରତୀୟ ଖେଳାଳୀଙ୍କ ଉପରେ ଅଶ୍ଳୀଳ ମନ୍ତବ୍ୟ କରୁଥିବାର ଦେଖିବାକୁ ମିଳିଥିଲା। ଦର୍ଶକମାନେ ଖେଳାଳୀଙ୍କୁ ‘ଶୋ ୟୋର ଭିଜା (ଅଷ୍ଟ୍ରେଲିଆକୁ ପ୍ରବେଶର ଅଧିକାର ପତ୍ର ଅଛି ତ)’ ବୋଲି କହୁଥିବାର ଦେଖିବାକୁ ମିଳିଥିଲା। ଏହାର ଏକ ଭିଡିଓ କ୍ରିକେଟ ଅଷ୍ଟ୍ରେଲିଆକୁ ମଧ୍ୟ ପଠାଯାଇଥିଲା।

ଏକ ମିଡିଆ ୱେବସାଇଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କ୍ରିକେଟ ଅଷ୍ଟ୍ରେଲିଆ (CA) ଏହି ମ୍ୟାଚକୁ ଦେଖିବାକୁ ଆସିଥିବା ଦର୍ଶକଙ୍କୁ ଚେତାବନୀ ଦେଇଛନ୍ତି। ଏହି ଭିଡିଓକୁ ଭିକ୍ଟୋରିଆ ପୋଲିସ ଓ ଷ୍ଟାଡିୟମ ପ୍ରବନ୍ଧନକୁ ଦିଆଯାଇଛି। କ୍ରିକେଟ ଅଷ୍ଟ୍ରେଲିଆର ଜଣେ ପ୍ରବକ୍ତା କହିଛନ୍ତି ଯେ, ଦର୍ଶକଙ୍କ ବ୍ୟବହାରର ଆକଳନ କରାଯାଉଛି। ଏହାସହିତ ଦର୍ଶକଙ୍କ ସହିତ ଏହା ବିଷୟରେ  କଥାବାର୍ତ୍ତା କରାଯାଇ ସଠିକ ବ୍ୟବହାର ବିଷୟରେ ମଧ୍ୟ ବୁଝାଇଛନ୍ତି।

ଏହାବ୍ୟତୀତ ମେଲବର୍ଣ୍ଣରେ ଦର୍ଶକମାନେ ଭାରତର ଅଧିନାୟକ ବିରାଟ କୋହଲିଙ୍କୁ ମଧ୍ୟ ଅଶ୍ଳୀଳ ଇଙ୍ଗିତ କରୁଥିବାର ଦେଖିବାକୁ ମିଳିଥିଲା। ସାଧାରଣତଃ ଏପରି ପରିସ୍ଥିତିରେ ବିରାଟ କୋହଲିଙ୍କୁ ନିଜ ଧୈର୍ଯ୍ୟ ହରାଉଥିବାର ଦେଖିବାକୁ ମିଳିଥାଏ ମାତ୍ର ଏଥର ସେ ଅଷ୍ଟ୍ରେଲିଆ ଦର୍ଶକଙ୍କୁ ଉଚିତ ଜବାବ ଦେଇଥିଲେ। ଷ୍ଟାଡିୟମରେ ବସିଥିବା ଦର୍ଶକଙ୍କ କଥା ଯେତେବେଳେ ବିରାଟଙ୍କ କାନରେ ପହଞ୍ଚିଥିଲା ସେ ନିଜ ଟୋପିକୁ କାଢି, ମୁଣ୍ଡ ତଳକୁ କରି ତାଙ୍କ କଥାକୁ ସ୍ଵାଗତ କରୁଥିଲେ।

ଏହାପୂର୍ବରୁ ମଧ୍ୟ ମେଲବର୍ଣ୍ଣରେ ଦର୍ଶକଙ୍କୁ ଏପରି ବ୍ୟବହାର ପାଇଁ ଚେତାବନୀ ଦିଆଯାଇଛି। 2005  ମସିହାରେ ଏହି ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ସହ ଅଷ୍ଟ୍ରେଲିଆ ବକ୍ସିଙ୍ଗ ଡେ’ ଟେଷ୍ଟମ୍ୟାଚ ଖେଳୁଥିବା ବେଳେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା।

#cricket #indvsaus

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon