• ବେତାର ବ୍ୟୁରୋ

ଜାଣନ୍ତୁ : କେଉଁ ବାରରେ କଣ କିଣିବା ଶୁଭ


(ବେତାର ବ୍ୟୁରୋ) ମନୁଷ୍ୟ ଜୀବନରେ ସୁଖଦୁଃଖ, ଶୁଭ ଅଶୁଭ ଲାଗି ରହିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ମନୁଷ୍ୟ ଜୀବନରେ ରଙ୍ଗ, ଦିଗ ଓ ଦିନର ଅନେକ ଗୁରୁତ୍ଵ ରହିଛି। ଏହାସହିତ ଜିନିଷ କିଣିବା ସମୟରେ ମଧ୍ୟ ଶୁଭ ଓ ଅଶୁଭର ସାମଞ୍ଜସ୍ୟ ରହିଛି। ଏଥିପାଇଁ ବେଳେ ବେଳେ ଆପଣ ଅନେକ ଆଗ୍ରହରେ କିଣିଥିବା କିଛି ଜିନିଷ ଭଲ ପଡିନଥାଏ, ଚୋରି ହୋଇଯାଇଥାଏ ବା ଭାଙ୍ଗିଯାଇଥାଏ। ଅନ୍ୟପଟେ କିଛି ଜିନିଷ ବହୁଦିନ ପର୍ଯ୍ୟନ୍ତ ରହିଥାଏ।

ତେବେ ଜିନିଷ କିଣିବା ପାଇଁ ବାସ୍ତୁଶାସ୍ତ୍ରରେ ଅନେକ ନିୟମ ରହିଛି। ବାସ୍ତୁ ନିୟମ ଅନୁଯାୟୀ କେଉଁ ବାରରେ କେଉଁ ଜିନିଷ କିଣିବା ଶୁଭ ହୋଇଥାଏ ଜାଣନ୍ତୁ।

ରବିବାର: ଏହିଦିନଟି ସୂର୍ଯ୍ୟଦେବଙ୍କ ବାର ଅଟେ। ଏଥିପାଇଁ ରବିବାର ଲାଲ ରଙ୍ଗର ବସ୍ତୁ, ଗହମ, ପର୍ସ, ଔଷଧ, କଇଁଚି, ଆଖି ପାଇଁ କିଛି ଜିନିଷ କିଣିପାରିବେ। ରବିବାର ଦିନ ଲୁହା କିମ୍ବା ଲୁହାରେ ପ୍ରସ୍ତୁତ ଜିନିଷ କିଣନ୍ତୁ ନାହିଁ। ଏହାସହିତ ଘର ପାଇଁ ଫର୍ଣ୍ଣିଚର ମଧ୍ୟ କିଣନ୍ତୁ ନାହିଁ।

ସୋମବାର: ସୋମବାର ଭଗବାନ ଶିବଙ୍କର ବାର ହୋଇଥାଏ। ଏହି ଦିନରେ ଚାଉଳ, ବାସନ, ଔଷଧ, କ୍ଷୀରରେ ତିଆରି ମିଠା କିଣିପାରିବେ। ସୋମବାରରେ ଷ୍ଟେସନାରୀ ସାମଗ୍ରୀ, ସଙ୍ଗୀତ ସହିତ ଜଡିତ ସାମଗ୍ରୀ, ଖେଳ ଜିନିଷ, ମୋବାଇଲ, କମ୍ପ୍ୟୁଟର ଆଦି କିଣନ୍ତୁ ନାହିଁ।

ମଙ୍ଗଳବାର: ଏହି ବାରଟି ସଙ୍କଟମୋଚନ ହନୁମାନଙ୍କର ଅଟେ। ଏହିଦିନ ରୋଷେଇ ଘରର ସାମଗ୍ରୀ, ଲାଲ ରଙ୍ଗର ବସ୍ତୁ ଓ ଜମିବାଡି କିଣିବା ଶୁଭ ହୋଇଥାଏ। ବାସ୍ତୁ ଅନୁଯାୟୀ ମଙ୍ଗଳବାରରେ ଜୋତା କିଣନ୍ତୁ ନାହିଁ। ଏହାସହିତ ଲୁହାର ସାମଗ୍ରୀ, ମୋବାଇଲ ଓ ଫର୍ଣ୍ଣିଚର କିଣନ୍ତୁ ନାହିଁ।   

ବୁଧବାର: ବାସ୍ତୁ ଶାସ୍ତ୍ର ଅନୁଯାୟୀ ବୁଧବାରରେ ଘର ସଜାଇବା ଉପକରଣ କିଣିବା ଶୁଭ ହୋଇଥାଏ। ଏହାସହିତ ଷ୍ଟେସନାରୀ ଜିନିଷ, ନୂତନ ଯାନବାହାନ କିଣିପାରିବେ। ଏହିଦିନ ଚାଉଳ, ବାସନ, ଆକ୍ଵାରିୟମ ଆଦି କିଣନ୍ତୁ ନାହିଁ।

ଗୁରୁବାର: ଶ୍ରୀ ନାରାୟଣଙ୍କୁ ସମର୍ପିତ ଏହି ବାରରେ ଯେ କୌଣସି ଇଲେକ୍ଟ୍ରୋନିକ୍ସ ଜିନିଷ କିଣିବା ଶୁଭ ହୋଇଥାଏ। ଏହା ସହିତ ଜମିବାଡି କିଣିବା ମଧ୍ୟ ଶୁଭ ହୋଇଥାଏ। କିନ୍ତୁ ଏହିଦିନ ଆଖି ପାଇଁ ସାମଗ୍ରୀ ଯଥା ଚଷମା, କାଜଲ କିଣନ୍ତୁ ନାହିଁ। କୌଣସି ତୀକ୍ଷ୍ନ ସାମଗ୍ରୀ ମଧ୍ୟ କିଣନ୍ତୁ ନାହିଁ।

ଶୁକ୍ରବାର: ଏହିବାରରେ ଚମଡାରେ ପ୍ରସ୍ତୁତ ଜିନିଷ ଯଥା ପର୍ସ, ବେଲ୍ଟ, ଜୋତା ଓ ପ୍ରସାଧନ ସାମଗ୍ରୀ କିଣିପାରିବେ। ଘର କିମ୍ବା ଅଫିସ ସଜାଇବା ପାଇଁ ଜିନିଷ ମଧ୍ୟ କିଣିପାରିବେ। ଶୁକ୍ରବାର ଦିନ ରୋଷେଇ ତଥା ପୂଜାପାଠ ପାଇଁ ସାମଗ୍ରୀ କିଣନ୍ତୁ ନାହିଁ।

ଶନିବାର: ଶନିବାର ଦିନ ଆପଣ ଯାନବାହାନ, ମେସିନ, ଫର୍ଣ୍ଣିଚର ଜିନିଷ କିଣିପାରିବେ। ଏହି ଦିନ ଭୁଲରେ ବି ଚମଡାରେ ପ୍ରସ୍ତୁତ ସାମଗ୍ରୀ, ଲୁଣ, ସୋରିଷ ତେଲ କିଣନ୍ତୁ ନାହିଁ। ବାସ୍ତୁ ଅନୁଯାୟୀ ଏହି ସାମଗ୍ରୀ କିଣିଲେ ଅଶୁଭ ଫଳ ମିଳିଥାଏ।  

(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ )

#vastu #vastutips

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon