• ବେତାର ବ୍ୟୁରୋ

ଜାନୁଆରୀ 4ରୁ ମିଳିବ ASO ଲିଖିତ ପରୀକ୍ଷା ପାଇଁ ଆଡମିଟ କାର୍ଡ


(ବେତାର ବ୍ୟୁରୋ) ଓଡିଶା ପବ୍ଲିକ ସର୍ଭିସ କମିଶନ ତରଫରୁ ଗୃହ ବିଭାଗ ଦ୍ଵାରା ପରିଚାଳିତ ଓଡିଶା ସଚ୍ଚିବାଳୟରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦରେ ନିଯୁକ୍ତି ପାଇଁ ଗତ ସେପ୍ଟେମ୍ବର ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ପଦରେ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା  ଜାନୁୟାରୀ 20 ତାରିଖରେ ରାଜ୍ୟର 30ଟି ଜିଲ୍ଲା ଓ ତିନୋଟି ସବଡିଭିଜନର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅନୁଷ୍ଠିତ ହେବ। ତେବେ ଆବେଦନକାରୀ ମାନେ ଏହି ପରୀକ୍ଷା ପାଇଁ ଜାନୁୟାରୀ 4 ତାରିଖରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ।

ତେବେ ପରୀକ୍ଷା ସୂଚୀ ଓ ଆଡମିଟ କାର୍ଡ ଡାଉନଲୋଡ କରିବାର ସମୟସୀମାକୁ ନେଇ ଓଡିଶା ପବ୍ଲିକ ସର୍ଭିସ କମିଶନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁ ପ୍ରାର୍ଥୀମାନେ ଏହି ପଦରେ ଆବେଦନ କରିଛନ୍ତି ସେମାନେ ଆସନ୍ତା ଜାନୁୟାରୀ 4 ତାରିଖରୁ ଜାନୁୟାରୀ 18 ତାରିଖ ମଧ୍ୟରେ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

ଯେଉଁ ପ୍ରାର୍ଥୀମାନଙ୍କୁ ଏହି ପରୀକ୍ଷା ଦେବା ପାଇଁ ଯୋଗ୍ୟ ବିବେଚିତ କରାଯାଇଛି, ସେମାନଙ୍କର ଏକ ତାଲିକା ଜାନୁୟାରୀ 3 ତାରିଖରୁ ଓପିଏସସି ୱେବସାଇଟରେ ଉପଲବ୍ଧ ହେବ। ତେବେ ଆବେଦନ ଫି’ ପଇଠରେ ତ୍ରୁଟି ଯୋଗୁଁ 6,604 ଜଣ ପ୍ରାର୍ଥୀଙ୍କର ଆବେଦନ ପତ୍ରକୁ ଖାରଜ କରାଯାଇଛି।

ଏହି ଆସିଷ୍ଟାଣ୍ଟ ସେକ୍ସନ ପଦରେ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷାରେ ମୋଟ ତିନୋଟି ପେପରରେ ପରୀକ୍ଷା ହେବ। ପ୍ରଥମ ପେପର (General awareness) ସକାଳ 9.30ଘଣ୍ଟାରୁ 11.00ଘଣ୍ଟା ମଧ୍ୟରେ ଅନୁଷ୍ଠିତ ହେବ। ଦ୍ଵିତୀୟ ପେପର (Test of reasoning and mental ability ଓ Mathematics) 11.30ଘଣ୍ଟାରୁ 1.00ଘଣ୍ଟା ମଧ୍ୟରେ ଅନୁଷ୍ଠିତ ହେବ। ତୃତୀୟ ପେପର (English ଓ Odia) ଅପରାହ୍ନ 2.30ଘଣ୍ଟାରୁ 4.30ଘଣ୍ଟା ମଧ୍ୟରେ ଅନୁଷ୍ଠିତ ହେବ।

ଭୁବନେଶ୍ଵର ଜୋନରେ ପରୀକ୍ଷା କେନ୍ଦ୍ରର ସଂଖ୍ୟା କମ ହୋଇଥିବାରୁ କିଛି ଆବେଦନକାରୀଙ୍କ ପାଇଁ ସେମାନଙ୍କର ନିଜ ଜିଲ୍ଲା ଯଥା ବାଲେଶ୍ଵର, ଅନୁଗୁଳ, ଭଦ୍ରକ, ଜଗତସିଂହପୁର,କେନ୍ଦୁଝର, ମୟୂରଭଞ୍ଜ, ପୁରୀ  ଓ ସୁନ୍ଦରଗଡ(ରାଉରକେଲା)ରେ ପରୀକ୍ଷାକେନ୍ଦ୍ର କରାଯାଇଛି ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ତେବେ ଏହି ପରୀକ୍ଷା ସମ୍ବନ୍ଧରେ ପ୍ରତିଟି ଅପଡେଟ ପାଇଁ ପ୍ରତିଦିନ ଖବର କାଗଜ ଓ ଓଡିଶା ପବ୍ଲିକ ସର୍ଭିସ କମିଶନର ୱେବସାଇଟ www.opsc.gov.in ରେ ଲଗଇନ କରି ଚେକ କରିବାକୁ କୁହାଯାଇଛି। 

ପରୀକ୍ଷାର ବିଷୟବସ୍ତୁ

ଏହି ନିଯୁକ୍ତି ପାଇଁ ଓଡିଶା ପବ୍ଲିକ ସର୍ଭିସ କମିଶନ ତରଫରୁ ହେବାକୁ ଥିବା ପରୀକ୍ଷାରେ ବିଷୟବସ୍ତୁକୁ ଚଳିତ ବର୍ଷ ଠାରୁ ପରିବର୍ତ୍ତନ କରାଯାଇଛି। ଓଡିଆ ଭାଷାକୁ ଅଧିକ ସରକାରୀ ନିଯୁକ୍ତି ପରୀକ୍ଷାରେ ବାଧ୍ୟତାମୂଳକ ଭାବେ ନିଆଯାଇଛି। ଦକ୍ଷତା ପରୀକ୍ଷାକୁ ମିଶାଇ ପରୀକ୍ଷାର୍ଥୀମାନେ ମୋଟ ଚାରିଟି ପେପରରେ ପରୀକ୍ଷା ଦେବେ। ଏହି ଲିଖିତ ପରୀକ୍ଷାରେ ପରୀକ୍ଷାର୍ଥୀମାନେ ମୋଟ ତିନୋଟି ପେପର ପରୀକ୍ଷା ଦେବେ।

ଲିଖିତ ପରୀକ୍ଷାରେ ପାସ କରିଥିବା ପ୍ରାର୍ଥୀଙ୍କୁ ଦକ୍ଷତା ପରୀକ୍ଷା ପାଇଁ ଡକାଯିବ। ପେପର-4 ଦକ୍ଷତା ପରୀକ୍ଷାରେ କମ୍ପ୍ୟୁଟର ପ୍ରାକ୍ଟିକାଲ ପରୀକ୍ଷା (50 ମାର୍କ ) ହେବ ଓ ଏଥିପାଇଁ ପ୍ରାର୍ଥୀଙ୍କୁ 1ଘଣ୍ଟା ସମୟ ଦିଆଯିବ।

#jobs #asoexam

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon