• ବେତାର ବ୍ୟୁରୋ

ନୂଆବର୍ଷରୁ ତେଲ ଶସ୍ତା, ସୁନା ମହଙ୍ଗା


(ବେତାର ବ୍ୟୁରୋ) ନୂତନ ବର୍ଷ ଆରମ୍ଭରୁ ଦେଶରେ ତେଲର ଦର ଲଗାତାର ଭାବରେ କମୁଥିବାର ଖବର ଆସୁଥିବା ବେଳେ ଦେଶରେ ସୁନାର ଦର ବଢିବାରେ ଲାଗିଛି। ଚଳିତ ବର୍ଷ ଲଗାତାର ତୃତୀୟ ଦିନରେ ସୁନାର ଦର ବୃଦ୍ଧି ପାଇଛି। ଗୁରୁବାର ସୁନା ଦରରେ ଟ.୩୩୫ ବୃଦ୍ଧି ପାଇଛି ଓ ୧୦ଗ୍ରାମ ସୁନାର ଦର ଟ.୩୨,୮୩୫ରେ ପହଞ୍ଚିଛି। ଅଲଇଣ୍ଡିଆ ସୁନା-ରୁପା ବ୍ୟବସାୟୀ ଆସୋସିଏସନ ମୁତାବକ ଡଲାର ତୁଳନାରେ ମୁଦ୍ରାର ମୂଲ୍ୟ କମ ରହିଥିବାରୁ ଦେଶର ରାଜଧାନୀ ଦିଲ୍ଲୀ ବଜାରରେ ସୁନାର ଦରରେ ବୃଦ୍ଧି ଦେଖିବାକୁ ମିଳୁଛି।

ଗତ ମଙ୍ଗଳବାର ଓ ବୁଧବାର ମଧ୍ୟ ସୁନାର ଦର ବୃଦ୍ଧି ପାଇଥିଲା। ମଙ୍ଗଳବାର ଦିନ ସୁନାର ଦରରେ ଟ.୨୦୦ ବୃଦ୍ଧି ପାଇଥିବା ବେଳେ ବୁଧବାର ଦିନ ଟ.୩୦ ବୃଦ୍ଧି ପାଇଥିଲା। କେବଳ ସୁନା ନୁହେଁ ରୂପାର ଦର ମଧ୍ୟ ବୃଦ୍ଧି ପାଇଛି। ଗୁରୁବାର ରୂପାର ଦରରେ ଟ.୩୫୦ ବୃଦ୍ଧି ପାଇଛି ଓ କିଲୋଗ୍ରାମ ପ୍ରତି ରୂପାର ଦର ଟ.୩୯,୭୦୦ ରହିଛି।    

ରାଜ୍ୟ ରାଜଧାନୀ ଭୁବନେଶ୍ଵରରେ ୨୨କ୍ୟାରେଟ ସୁନାର ଦର ୧୦ଗ୍ରାମକୁ ଟ.୩୦୦ ବୃଦ୍ଧି ପାଇ ଟ.୩୧,୪୫୦ ରହିଛି ଓ ୨୪ କ୍ୟାରେଟ ସୁନାର ଦର ୧୦ଗ୍ରାମ ପ୍ରତି ଟ.୩୨.୦୦୦ ରହିଛି। ରୂପା ଦର ଭୁବନେଶ୍ୱର ରେ ୧୦୦ଗ୍ରାମ ପିଛା ଟ.୨୦ ବଢି ଟ.୪୧୬୦ ଦରରେ ପହଞ୍ଚିଛି।

ଟ୍ରେଡ଼ର୍ସଙ୍କ ମତରେ ଡଲାର ତୁଳନାରେ ମୁଦ୍ରା ଦୁର୍ବଳ ହେଉଥିବାରୁ ସୁନାର ଦର ବଢିବାରେ ଲାଗିଛି। ଏହାବ୍ୟତୀତ ଦୃଢ ବୈଶିକ ସଂକେତ ମଧ୍ୟ ସୁନାଦର ବୃଦ୍ଧିକୁ ସମର୍ଥନ କରିଛି। ଦେଶର ରାଜଧାନୀ ଦିଲ୍ଲୀରେ ୯୯.୯% ଓ ୯୯.୫% ଶୁଦ୍ଧ ସୁନାର ଦରରେ ଟ.୩୩୫ ବୃଦ୍ଧି ଘଟି ୧୦ଗ୍ରାମ ପ୍ରତି କ୍ରମଶଃ ଟ.୩୨,୮୩୫ ଓ ଟ.୩୨,୬୮୪ରେ ପହଞ୍ଚିଛି।  ବିଶ୍ଵସ୍ତରରେ ଆମେରିକାର ନ୍ୟୁୟର୍କରେ ସୁନାର ଦର ଆଉନସ ପିଛା ୧୨୯୦.୮୨ ଡଲାର ରହିଛି। ସେହିପରି ରୂପାର ଦର ୧୫.୫୫ ଡଲାର/ounce ରହିଛି।

ଅନ୍ୟପଟେ ନୂଆବର୍ଷରେ ତେଲ ଦର ହ୍ରାସ ପାଇଛି। ତେଲଦର କମି ବର୍ଷର ସବୁଠାରୁ ନିମ୍ନ ସ୍ତରରେ ପହଞ୍ଚିଛି। ଦିଲ୍ଲୀରେ ପେଟ୍ରୋଲ ଦର ଟ.୬୯.୦୪ରୁ କମି ଟ.୬୮.୮୪ରେ ପହଞ୍ଚିଥିଲା ଓ ଡିଜେଲ ଦର  ଟ.୬୩.୦୯ରୁ କମି ଟ.୬୨.୮୬ରେ ପହଞ୍ଚିଛି। ଏହାସହିତ ଏଲପିଜି ଗ୍ୟାସର ଦର ମଧ୍ୟ କମିଛି। ତେବେ ଗତବର୍ଷ ଅକ୍ଟୋବର ମାସରେ ତେଲଦର ସର୍ବାଧିକ ବୃଦ୍ଧି ପାଇଥିଲା। ଏହାପରଠାରୁ ପେଟ୍ରୋଲ ଦରରେ ଟ.୧୩ କମିଥିବା ବେଳେ ଡିଜେଲ ଦରରେ ଟ.୧୨ କମିଛି।  

#goldprice #fuelprice

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon