- padmabati kund
ଅଷ୍ଟ୍ରେଲିଆ ବିରୁଦ୍ଧରେ ଶତକ ମାରି ରିଷଭ ପନ୍ଥ ହାସଲ କଲେ ଏହି ବିରଳ ରେକର୍ଡ

(ବେତାର ବ୍ୟୁରୋ) ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀ ଗ୍ରାଉଣ୍ଡରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟ ମ୍ୟାଚର ଦ୍ଵିତୀୟ ଦିନରେ ଭାରତୀୟ ୱିକେଟକିପର ରିଷଭ ପନ୍ଥ ଅନେକ ରେକର୍ଡ ଭାଙ୍ଗିଛନ୍ତି। 21ବର୍ଷୀୟ ଏହି ବାମହାତୀ ଖେଳାଳୀ ନିଜ ଟେଷ୍ଟ କ୍ୟାରିୟରର ଦ୍ଵିତୀୟ ଶତକ ମାରିଛନ୍ତି। ଏହାସହିତ ସେ ଏପରି କିଛି ରେକର୍ଡ କରିଛନ୍ତି ଯାହାକି ଆଗରୁ କୌଣସି ଭାରତୀୟ ୱିକେଟକିପର କରିପାରି ନାହାନ୍ତି। ଅଷ୍ଟ୍ରେଲିଆରେ ଭାରତୀୟ ୱିକେଟ କିପର ଭାବେ ରିଷଭ ପନ୍ଥ ପ୍ରଥମ ଶତକ ମାରିଛନ୍ତି ଓ ଏହାସହିତ ଆହୁରି ଅନେକ ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି।
ରିଷଭ ପନ୍ଥ ମୋଟ 137ଟି ବଳ ଖେଳି ନିଜ ଟେଷ୍ଟ କ୍ୟାରିୟରର ଦ୍ଵିତୀୟ ଶତକ ଅଷ୍ଟ୍ରେଲିଆରେ ମାରିଛନ୍ତି। ଏହାସହିତ ସେ ଭାରତର ପ୍ରଥମ ୱିକେଟକିପର ହୋଇପାରିଛନ୍ତି ଯିଏକି ଅଷ୍ଟ୍ରେଲିଆରେ ଶତକ ହାସଲ କରିଛନ୍ତି। କେବଳ ଭାରତୀୟ ୱିକେଟକିପର ଭାବେ ନୁହେଁ ସମଗ୍ର ଏସିଆର ପ୍ରଥମ ୱିକେଟକିପର ଭାବେ ସେ ଏହି ରେକର୍ଡ କରିଛନ୍ତି। ରିଷଭ ପନ୍ଥ ଏହି ଇନିଙ୍ଗ୍ସରେ ମୋଟ 159ରନ ସଂଗ୍ରହ କରିଛନ୍ତି। ଯାହାକି ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ରନ ଅଟେ।
ଏହାସହିତ ରିଷଭ ପନ୍ଥ ଦୁନିଆର ଦ୍ଵିତୀୟ ୱିକେଟକିପର ହୋଇଛନ୍ତି ଯିଏକି ଉଭୟ ଅଷ୍ଟ୍ରେଲିଆ ଓ ଇଂଲଣ୍ଡରେ ଶତକ ହାସଲ କରିଛନ୍ତି। ଏହାପୂର୍ବରୁ ୱେଷ୍ଟଇଣ୍ଡିଜର ଜେଫ୍ରି ଡୂଜନ ଏହି ରେକର୍ଡ କରିଥିଲେ। 1984ମସିହାରେ ସେ ଏହି ଉଭୟ ଦେଶରେ ଶତକ ହାସଲ କରିଥିଲେ। ରିଷଭ ପନ୍ଥ ଗତବର୍ଷ ସେପ୍ଟେମ୍ବର ମାସରେ ଇଂଲଣ୍ଡରେ ଓଭାଲରେ ଖେଳା ଯାଇଥିବା ଟେଷ୍ଟ ମ୍ୟାଚରେ 114ରନ ସଂଗ୍ରହ କରିଥିଲେ।
ରିଷଭ ପନ୍ଥ ଏହି ସିରିଜରେ 300ରୁ ଅଧିକ ରନ କରିସାରିଲେଣି ଓ 20ଟି କ୍ୟାଚ ମଧ୍ୟ ନେଇଛନ୍ତି। ଏହିପରି ଭାବରେ ସେ ଭାରତର ପ୍ରଥମ ୱିକେଟକିପର ହୋଇପାରିଛନ୍ତି ଯିଏକି ଏସିଆ ବାହାରେ ଗୋଟିଏ ସିରିଜରେ 200ରୁ ଅଧିକ ରନ ଓ 20ରୁ ଅଧିକ କ୍ୟାଚ ନେଇଛନ୍ତି।
ସପ୍ତମ ୱିକେଟ ପାଇଁ ଦ୍ଵିତୀୟ ସର୍ବାଧିକ ରନର ପାର୍ଟନରସିପ

ରିଷଭ ପନ୍ଥ ଓ ରବୀନ୍ଦ୍ର ଜାଡେଜାଙ୍କ ବ୍ୟାଟିଙ୍ଗ ପ୍ରଦର୍ଶନ ପାଇଁ ଭାରତ ଚତୁର୍ଥ ଟେଷ୍ଟ ମ୍ୟାଚରେ ମଜଭୁତ ସ୍ଥିତିରେ ରହିଛି। ଏହାସହିତ ସପ୍ତମ ୱିକେଟ ପାଇଁ ସବୁଠାରୁ ଅଧିକ ରନର ପାର୍ଟନରସିପ କରିବାରେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ରବୀନ୍ଦ୍ର ଜାଡେଜା ଓ ରିଷଭ ପନ୍ଥ ସପ୍ତମ ୱିକେଟ ପାଇଁ 207ରନର ପାର୍ଟନରସିପ କରିଛନ୍ତି। ଏହାପୂର୍ବରୁ 2002 ମସିହାରେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଭି.ଭି.ଏସ ଲକ୍ଷ୍ମଣ ଓ ଅଜୟ ରାତ୍ରା ସପ୍ତମ ୱିକେଟ ପାଇଁ 217ରନର ପାର୍ଟନରସିପ କରିଥିଲେ।