• padmabati kund

ପୂଜାରା ପାଇବେ ସାତକୋଟି, BCCIର A+ ଗ୍ରୁପରେ ହୋଇପାରନ୍ତି ସାମିଲ


(ବେତାର ବ୍ୟୁରୋ) ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜରେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଭଲ ପ୍ରଦର୍ଶନ କରୁଥିବା ଭାରତୀୟ ବ୍ୟାଟ୍ସମ୍ୟାନ ଚେତେଶ୍ଵର ପୁଜାରାଙ୍କୁ ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ବଡ ପୁରସ୍କାର ଦେଇପାରେ। ବିସିସିଆଇ ଚେତେଶ୍ଵର ପୁଜାରାଙ୍କୁ ‘A+’ ଶ୍ରେଣୀରେ ସାମିଲ କରିପାରନ୍ତି। ପୁଜାରା ଏହି ସିରିଜରେ ସାତଟି ଇନିଙ୍ଗ୍ସରେ ୭୪.୪୨ହାରରେ ୫୨୧ ରନ କରିଛନ୍ତି। ପୁଜାରାଙ୍କ ଏହି ପ୍ରଦର୍ଶନ ବଳରେ ଭାରତ ଅଷ୍ଟ୍ରେଲିଆରେ ପ୍ରଥମ ସିରିଜ ଜିତିବାକୁ ଯାଉଛି।

କମିଟି ଅଫ ଆଡମିନିଷ୍ଟ୍ରେଟର (COA)ର ପ୍ରମୁଖ ବିନୋଦ ରାୟ, ଚୟନ ସମିତିର ପ୍ରମୁଖ ଏମ.ଏସ.କେ ପ୍ରସାଦ ଓ ଟିମ ପ୍ରବନ୍ଧନ (ଅଧିନାୟକ ବିରାଟ କୋହଲି ଓ କୋଚ ରବି ଶାସ୍ତ୍ରୀ) ଏହି ପ୍ରସ୍ତାବ ରଖିବେ। ପୁଜାରା ବର୍ତ୍ତମାନ ‘A’ ଗ୍ରେଡରେ ଅଛନ୍ତି। ବିସିସିଆଇ ୨୦୧୮ରୁ ଖେଳାଳୀଙ୍କୁ ଚାରିଟି ଗ୍ରେଡ ଯଥା A+,A, B, Cରେ ଘୋଷଣା କରିଥିଲା। ବର୍ତ୍ତମାନ A+ ଗ୍ରେଡରେ ବିରାଟ କୋହଲି, ରୋହିତ ଶର୍ମା, ଜସପ୍ରିତ ବୁମରାହ, ଭୁବନେଶ୍ଵର କୁମାର ଓ ଶିଖର ଧାୱନ ଅଛନ୍ତି।

ବିସିସିଆଇ ତରଫରୁ ବର୍ତ୍ତମାନ A+ ଗ୍ରେଡର ଖେଳାଳୀଙ୍କୁ ବର୍ଷକୁ ସାତ କୋଟି ଟଙ୍କା ଦିଆଯାଉଛି। ସେହିପରି A ଗ୍ରେଡର ଖେଳାଳୀଙ୍କୁ ବାର୍ଷିକ ପାଞ୍ଚ କୋଟି ଟଙ୍କା, B ଗ୍ରେଡର ଖେଳାଳୀଙ୍କୁ ତିନି କୋଟି ଓ C ଗ୍ରେଡର ଖେଳାଳୀଙ୍କୁ ୧କୋଟି ଟଙ୍କା ଦିଆଯାଉଛି।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ‘ପୁଜାରା ଲଗାତାର ଭାବରେ ଯେପରି ପ୍ରଦର୍ଶନ କରିଆସୁଛନ୍ତି ସେଥିପାଇଁ ତାଙ୍କୁ ପୁରସ୍କାର ମିଳିବା ଉଚିତ। ପୁଜାରାଙ୍କୁ ଶୀର୍ଷ ଶ୍ରେଣୀକୁ ଆଣିବା ପରେ, ଟେଷ୍ଟ କ୍ରିକେଟରେ ଭଲ ପ୍ରଦର୍ଶନ କଲେ ପ୍ରାଥମିକତା ମିଳିବ ବୋଲି ଯୁବଗୋଷ୍ଠୀଙ୍କୁ ଏକ ବାର୍ତ୍ତା ମିଳିବ।

ଚେତେଶ୍ଵର ପୁଜାରା ଏହି ସିରିଜରେ ମୋଟ ତିନୋଟି ଶତକ ମାରିଛନ୍ତି। ମୋଟ ୫୨୧ ରନ କରି ଏହି ସିରିଜ ସବୁଠାରୁ ଅଧିକ ରନ କରିଥିବା ବ୍ୟାଟ୍ସମ୍ୟାନ ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି। ନିଜ ପ୍ରଦର୍ଶନରେ କ୍ରିକେଟର ଅନେକ ରେକର୍ଡ ଭାଙ୍ଗିବା ସହିତ ଗୋଟିଏ ସିରିଜରେ ସବୁଠାରୁ ଅଧିକ ବଲ ଖେଳିବାର ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି। ଚତୁର୍ଥ ଟେଷ୍ଟ ମ୍ୟାଚରେ ଚେତେଶ୍ଵର ପୁଜାରା ୧୯୩ ରନ କରି ଆଉଟ ହୋଇଥିଲେ। ଏହା ବଳରେ ବର୍ତ୍ତମାନ ଭାରତ ଏହି ଟେଷ୍ଟ ମ୍ୟାଚରେ ମଜଭୁତ ସ୍ଥିତିରେ ଅଛି।

ଟେଷ୍ଟମ୍ୟାଚରେ ଉଚ୍ଚକୋଟୀର ପ୍ରଦର୍ଶନ କରୁଥିବା ଚେତେଶ୍ଵର ପୁଜାରାଙ୍କୁ ଗତ ଚାରି ପାଞ୍ଚ ବର୍ଷ ହେବ ଇଣ୍ଡିଆନ ପ୍ରିମିୟର ଲିଗରେ କୌଣସି ଫ୍ରାଞ୍ଚାଇଜ ନେବାକୁ ରାଜି ହେଉନାହାନ୍ତି। ତେବେ ପୁଜରାଙ୍କ ବ୍ୟତୀତ ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ଥଙ୍କୁ ମଧ୍ୟ ଏହି କେନ୍ଦ୍ରୀୟ ଅନୁବନ୍ଧରେ ସାମିଲ କରାଯାଇପାରେ। ବର୍ତ୍ତମାନ ଟେଷ୍ଟ ମ୍ୟାଚରେ ୱିକେଟକିପର ଭାବେ ସେ ଚୟନକର୍ତ୍ତାଙ୍କ ପ୍ରଥମ ବିକଳ୍ପ ହୋଇପାରିଛନ୍ତି।

#cricket #cheteswarpujara

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon