• ବେତାର ବ୍ୟୁରୋ

ଭୁବନେଶ୍ଵରରେ ମୋବାଇଲ ହ୍ୟାଣ୍ଡସେଟ, ଯାଜପୁରରେ ହେବ ଇଲେକ୍ଟ୍ରିକ ବାଇକ କାରଖାନା


(ବେତାର ବ୍ୟୁରୋ) ରାଜ୍ୟରେ ଶିଳ୍ପାୟନ ଓ ରୋଜଗାର ସୃଷ୍ଟି କରିବା ଲକ୍ଷ୍ୟ ନେଇ ନବୀନ ପଟ୍ଟନାୟକ ସରକାର ନିବେଶ ବୈଠକରେ ୧,୧୭୭.୪୧ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତ। 

ଏହି ବୈଠକରେ ପରିମଳ, ସୌରଶକ୍ତି, ଖାଦ୍ୟ ପ୍ରକ୍ରିୟାକାରଣ, ଆତିଥେୟତା, ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଓ ସୂଚନା ପ୍ରଯୁକ୍ତି କ୍ଷେତ୍ରରୁ ଆସିଥିବା ବିଭିନ୍ନ ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହାଦ୍ଵାରା ରାଜ୍ୟରେ ୬,୦୩୨ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ।

ଏହି ବୈଠକରେ ଭୁବନେଶ୍ଵରରେ ଏକ ମୋବାଇଲ ହ୍ୟାଣ୍ଡସେଟ ପ୍ରକଳ୍ପ ଗଠନ ପାଇଁ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। 

ଏଥିମଧ୍ୟରୁ ପ୍ରମୁଖ ହେଉଛି ରାଜଧାନୀ ଭୁବନେଶ୍ଵରରେ ମୋବାଇଲ ହ୍ୟାଣ୍ଡସେଟ, ପୁରୀରେ ଗଲ୍ଫ ରିସର୍ଟ ଓ ଯାଜପୁରରେ ଇଲେକ୍ଟ୍ରିକ ବାଇକ କାରଖାନା ହେବ।  

ସେଲୁଲର ହ୍ୟାଣ୍ଡସେଟ ଓ ଆସେସୋରିଜ କମ୍ପାନୀ ନାମକ ଏକ ଯାଜପୁରର କମ୍ପାନୀ ଭୁବନେଶ୍ଵର ଇନଫୋଭ୍ୟାଲି ଠାରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନକାରୀ କ୍ଲଷ୍ଟରରେ ୧୦ଲକ୍ଷ ପିସ ମୋବାଇଲ ହ୍ୟାଣ୍ଡସେଟ ଏବଂ ବ୍ୟାଟେରୀ, ଚାର୍ଜର, ପାୱାରବ୍ୟାଙ୍କ ଆଦି ଉପକରଣ ଉତ୍ପାଦନ ପାଇଁ ୭୫କୋଟି ଟଙ୍କା ବିନିଯୋଗ କରିବ। ଏହାଦ୍ଵାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୧୩୦୦ ଲୋକ ନିଯୁକ୍ତି ପାଇପାରିବେ। 

ସେହିପରି ଭୁବନେଶ୍ୱର ଇନଫୋଭ୍ୟାଲିଠାରେ ଇଣ୍ଟରନେଟ ସଫ୍ଟୱେୟାର କେନ୍ଦ୍ର ପ୍ରତିଷ୍ଠା ପାଇଁ ହାଇଦ୍ରାବାଦର ଏକ କମ୍ପାନୀ ଦେଇଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କମ୍ପାନୀ ୬୫କୋଟି ବିନିଯୋଗରେ ପ୍ରତିଷ୍ଠା କରିବାକୁ ଥିବା ପ୍ରକଳ୍ପରେ ୭୩୦ଲୋକ ନିଯୁକ୍ତି ପାଇବେ।

ଯାଜପୁର ସହରରେ ଏକ ଇଲେକ୍ଟ୍ରିକ ଯାନ ଉତ୍ପାଦନ ୟୁନିଟ ପାଇଁ ଓଡିଶାର ଏକ ଅଗ୍ରଣୀ ଅଟୋମୋବାଇଲ ସଂସ୍ଥାର ପ୍ରସ୍ତାବ ଅନୁମୋଦିତ ହୋଇଛି। ଏଥିପାଇଁ ୫୨.୪୧କୋଟି ଟଙ୍କା ଖର୍ଚ୍ଚ ହେବ। ଉକ୍ତ କମ୍ପାନୀ ବାର୍ଷିକ ୫୦ହଜାର ସଂଖ୍ୟାରେ ଇଲେକ୍ଟ୍ରିକ ଅଟୋରିକ୍ସା ଓ ଇଲେକ୍ଟ୍ରିକ ସ୍କୁଟର ଉତ୍ପାଦନ କରିବା। ଏହାଦ୍ଵାରା ରାଜ୍ୟରେ ୧୨୨ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

ଗଲ୍ଫ ରିସର୍ଟ, ଫ୍ରୁଟ ଜୁସ୍ ଫାକ୍ଟ୍ରି

ଓଡିଶା ସରକାରଙ୍କ ସିଙ୍ଗଲ ଉଇଣ୍ଡୋ ଫର ଇନଭେଷ୍ଟର ଫାସିଲିଟେସନ ଆଣ୍ଡ ଟ୍ରାକିଙ୍ଗ(ଗୋ ସୁଇଫ୍ଟ) ବ୍ୟବସ୍ଥା ଜରିଆରେ ବର୍ଷକ ଭିତରେ ଗୁରୁଗ୍ରାମସ୍ଥିତ ସାନିଟାରି ୱେର ନିର୍ମାତାଙ୍କ ଠାରୁ ୫୦୦ତମ ନିବେଶ ପ୍ରସ୍ତାବ ଆସିଛି। ସେହିପରି କଟକର ରାମଦାସପୁରଠାରେ ମସଲା, ପାସ୍ତା, ନୁଡଲ୍ସ, ଫଳ ପାନୀୟ ଉତ୍ପାଦନ ପ୍ରକଳ୍ପ ସ୍ଥାପନ ପାଇଁ ଓଡିଶାର ଏକ ଖାଦ୍ୟ ପ୍ରକ୍ରିୟାକରଣ ପ୍ରକଳ୍ପକୁ ଅନୁମତି ମିଳିଛି। ଏହି ସଂସ୍ଥା ଦ୍ଵାରା ୧୫୬୦ଜଣଙ୍କୁ ନିଯୁକ୍ତି ମିଳିବ। 

ପୁରୀର ସାତପଡା ଠାରେ ୧୨୫କୋଟି ଟଙ୍କା ବିନିଯୋଗରେ ଏକ ଗଲ୍ଫ ରିଶୋର୍ଟ ପ୍ରତିଷ୍ଠା ପାଇଁ ଏକ ଘରୋଇ ହୋଟେଲ ଶିଳ୍ପ ସଂସ୍ଥାକୁ ମଞ୍ଜୁରୀ ମିଳିଛି। ଏହାଦ୍ଵାରା ୫୫୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। 

କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବିପିସିଏଲ ବରଗଡଠାରେ ଦୈନିକ ୧୦୦କିଲୋ ଲିଟର ଇଥାନୋଲ ବାୟୋ ରିଫାଇନାରୀ ପ୍ଳାଣ୍ଟ ପ୍ରତିଷ୍ଠା ବାବଦରେ ଅତିରିକ୍ତ ୨୫୦କୋଟି ଟଙ୍କା ବିନିଯୋଗ କରିବ ଓ ଏଥିରେ ୨୦୦ଲୋକଙ୍କୁ ନିଯୁକ୍ତି ମିଳିବ।

ସେହିପରି ଏଚଆଇଏଲ ଗଞ୍ଜାମର ଛତ୍ରପୁରଠାରେ ୧୦ହଜାର ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଆଗ୍ରୋକେମିକାଲ୍ସ ଉତ୍ପାଦନ ପାଇଁ ଅନୁମତି ମିଳିଛି ଯେଉଁଥିରେ ୧୦୦କୋଟି ଟଙ୍କା ବିନିଯୋଗ ସହିତ ୩୫୦ଜଣଙ୍କୁ ନିଯୁକ୍ତି ମିଳିବ।    

#jobs #odishagovernmen

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon