• padmabati kund

ଅଷ୍ଟ୍ରେଲିଆ ବିରୁଦ୍ଧରେ ୱାନ ଡେ’ରେ ଖେଳିବେନି ଟେଷ୍ଟମ୍ୟାଚ ହିରୋ ବୁମରାହ


(ବେତାର ବ୍ୟୁରୋ) ଭାରତୀୟ ଦଳ ଅଷ୍ଟ୍ରେଲିଆ ବିରୁଦ୍ଧରେ ଟେଷ୍ଟ ସିରିଜରେ ଐତିହାସିକ ବିଜୟ ହାସଲ କରିବା ପରେ ଆସନ୍ତା ଜାନୁୟାରୀ 12 ତାରିଖରୁ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ୱାନ ଡେ’ ସିରିଜ ଆରମ୍ଭ ହେବାକୁ ଯାଉଛି। ତେବେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଟେଷ୍ଟ ସିରିଜରେ ସବୁଠାରୁ ଅଧିକ ୱିକେଟ ନେଇଥିବା ଭାରତୀୟ ଫାଷ୍ଟ ବୋଲର ଜସପ୍ରିତ ବୁମରାହଙ୍କୁ ଏହି ୱାନ ଡେ’ ସିରିଜରେ ଦେଖିବାକୁ ମିଳିବ ନାହିଁ। ଅଷ୍ଟ୍ରେଲିଆ ବିରୁଦ୍ଧରେ ୱାନ ଡେ’ ସିରିଜ ଓ ନ୍ୟୁଜଲ୍ୟାଣ୍ଡ ବିରୁଦ୍ଧରେ ଟି-ଟ୍ୱେଣ୍ଟି ସିରିଜରେ ଜସପ୍ରିତ ବୁମରାହଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆରାମ ଦେଇଛି। ତାଙ୍କ ବଦଳରେ ଦଳରେ ମଦମ୍ମଦ ସିରାଜଙ୍କୁ ସାମିଲ କରାଯାଇଛି।

ମହମ୍ମଦ ସିରାଜ ଅଷ୍ଟ୍ରେଲିଆ ବିରୁଦ୍ଧରେ ଏହି ୱାନ ଡେ’ ସିରିଜରେ ଡେବ୍ୟୁ କରିପାରନ୍ତି। ମହମ୍ମଦ ସିରାଜଙ୍କୁ

ଅଷ୍ଟ୍ରେଲିଆ ବିରୁଦ୍ଧରେ ୱାନ ଡେ’ ସିରିଜ ସହିତ ନ୍ୟୁଜଲ୍ୟାଣ୍ଡ ବିରୁଦ୍ଧରେ ଟି-ଟ୍ୱେଣ୍ଟି ସିରିଜରେ ମଧ୍ୟ ଜସପ୍ରିତ ବୁମରାହଙ୍କ ସ୍ଥାନରେ ଦଳରରେ ସାମିଲ କରାଯାଇଛି। ଏହାସହିତ ନ୍ୟୁଜଲ୍ୟାଣ୍ଡ ବିରୁଦ୍ଧରେ ତିନିଟି ଟି-ଟ୍ୱେଣ୍ଟି ମ୍ୟାଚ ପାଇଁ ଭାରତୀୟ ଦଳରେ ସିଦ୍ଧାର୍ଥ କୌଲଙ୍କୁ ମଧ୍ୟ ସାମିଲ କରାଯାଇଛି।

ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଲାଯାଇଥିବା ଟେଷ୍ଟ ସିରିଜରେ ଜସପ୍ରିତ ବୁମରାହ 21ଟି ୱିକେଟ ନେଇ ସିରିଜ ବିଜୟ ହାସଲ କରିବାରେ ମୁଖ୍ୟ ଭୂମିକା ନିଭାଇଥିଲେ। 12ମାସ ପୂର୍ବରୁ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିଥିବା ଜସପ୍ରିତ ବୁମରାହ ବର୍ତ୍ତମାନ କ୍ରିକେଟର ତିନି ଫର୍ମାଟରେ ମୁଖ୍ୟ ବୋଲର ହୋଇପାରିଛନ୍ତି।

ଜସପ୍ରିତ ବୁମରାହଙ୍କୁ ୱାନ ଡେ’ ସିରିଜ ପାଇଁ ଦଳରେ ସାମିଲ ନକରାଯିବାକୁ ନେଇ ବିସିସିଆଇ ତରଫରୁ କୁହାଯାଇଛି ଯେ, “ବୁମରାହଙ୍କ ଉପରେ ଥିବା କାର୍ଯ୍ୟଭାରକୁ ଧ୍ୟାନରେ ରଖି ତାଙ୍କୁ ଅଷ୍ଟ୍ରେଲିଆ ବିରୁଦ୍ଧରେ ଘରୋଇ ସିରିଜ ପୂର୍ବରୁ ପର୍ଯ୍ୟାପ୍ତ ବିଶ୍ରାମ ଦେବାକୁ ନିଷ୍ପତ୍ତି ନିଆଯାଇଛି।

ଜାନୁୟାରୀ 12ରୁ ୱାନ ଡେ’ ସିରିଜ

ଅଷ୍ଟ୍ରେଲିଆ ବିରୁଦ୍ଧରେ ଭାରତୀୟ ଦଳ ତିନୋଟି ୱାନ ଡେ’ ମ୍ୟାଚ ଖେଳିବ। ଏହି ସିରିଜର ପ୍ରଥମ ମ୍ୟାଚ ଜାନୁୟାରୀ 12 ତାରିଖ ଶନିବାର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ। ଏହାପରେ ଦ୍ଵିତୀୟ ମ୍ୟାଚ ଜାନୁୟାରୀ 15 ତାରିଖ ମଙ୍ଗଳବାର ଆଡିଲେଡରେ ଖେଳାଯିବ ଏବଂ ତୃତୀୟ ମ୍ୟାଚ ଜାନୁୟାରୀ 18 ତାରିଖ ଶୁକ୍ରବାର ମେଲବର୍ଣ୍ଣରେ ଖେଳାଯିବ। ଏହାପରେ ଜାନୁୟାରୀ 23ରୁ ଭାରତୀୟ ଦଳ ନ୍ୟୁଜଲ୍ୟାଣ୍ଡ ବିରୁଦ୍ଧରେ ପାଞ୍ଚଟି ୱାନ ଡେ’ ଓ 3ଟି ଟି-ଟ୍ୱେଣ୍ଟି ଖେଳିବ।

ଏହାପୂର୍ବରୁ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ପାଞ୍ଚଟି ୱାନ ଡେ’ ମ୍ୟାଚ 2016 ମସିହାରେ ଖେଳିଥିଲା। ଏହି ସିରିଜରେ ଭାରତୀୟ ଦଳ 1-4ରେ ହାରିଯାଇଥିଲା। ସିରିଜରେ ପ୍ରଥମ ଚାରିଟି ମ୍ୟାଚ ହାରିବା ପରେ ଶେଷ ମ୍ୟାଚରେ ବିଜୟ ହାସଲ କରିଥିଲା। ସଂଯୋଗର କଥା ହେଉଛି, ଉକ୍ତ ସିରିଜର ଶେଷ ମ୍ୟାଚ ସିଡନୀ ଗ୍ରାଉଣ୍ଡରେ ଖେଲାଯାଇଥିବା ବେଳେ ଏହି ସିଜିନର ପ୍ରଥମ ମ୍ୟାଚ ସିଡନୀରେ ଖେଳାଯିବ। ତେବେ ଟେଷ୍ଟ ସିରିଜ ପରି ୱାନ ଡେ’ ସିରିଜରେ ମଧ୍ୟ ବିଜୟ ହାସଲ କରିବା ପାଇଁ ଦଳ ଲକ୍ଷ୍ୟ ରଖିବ।

#cricket #indvsaus #jaspritbumrah

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon