• ବେତାର ବ୍ୟୁରୋ

ଖୁବ ଶୀଘ୍ର ଆରମ୍ଭ ହେବ ରାଉରକେଲା-କୋଲକାତା ବିମାନ ଚଳାଚଳ


(ବେତାର ବ୍ୟୁରୋ) ରାଉରକେଲା ବିମାନବନ୍ଦରରୁ ବ୍ୟବସାୟିକ ବିମାନ ଉଡାଣ ନିମନ୍ତେ ବିଧିବଦ୍ଧ ଭାବରେ

ଲାଇସେନ୍ସ ପ୍ରାପ୍ତ ହେବାପରେ ଏଠାରୁ କୋଲକାତାକୁ ବିମାନ ଚଳାଚଳ ନିମନ୍ତେ ଘରୋଇ ବିମାନ ସଂସ୍ଥା ଆଗ୍ରହ ପ୍ରକାଶ କରିଛନ୍ତି । ମଙ୍ଗଳବାର ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧୀନସ୍ଥ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ)ଙ୍କ ଠାରୁ ଲାଇସେନ୍ସ ମିଳିବା ପରେ ଭାରତୀୟ ବିମାନବନ୍ଦରର ପ୍ରାଧୀକରଣ (ଏଏଆଇ) ପକ୍ଷରୁ ବିମାନବନ୍ଦରର ପରିଚାଳନା ପ୍ରକ୍ରିୟା ଆରମ୍ଭ କରାଯାଇଛି।

କୌଣସି ରାଜନୈତିକ ପେଞ୍ଚ ବା କେନ୍ଦ୍ର ରାଜ୍ୟ ରାଜନୀତିର ପ୍ରତିଫଳନ ନହେଲେ ଖୁବ ଶୀଘ୍ର ଏଠାରୁ ବ୍ୟବସାୟିକ ବିମାନ ଉଡାଣ ସମ୍ଭାବନା ସୃଷ୍ଟି ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ରାଉରକେଲାରୁ ଉଡାଣ ଯୋଜନାରେ କୋଲକାତା ରୁଟ ପାଇଁ ଲାଇସେନ୍ସ ପାଇଥିବା ଏୟାର ଡେକାନ ପ୍ରଥମେ ବ୍ୟବସାୟିକ ଉଡାଣ ଆରମ୍ଭ କରିବ।

ଏହାପରେ ସ୍ପାଇସ ଜେଟ ଓ ଇଣ୍ଡିଗୋ ଏଠାରୁ ଉଡିବ ବୋଲି ଆଶା କରାଯାଉଛି। ଏହି ବିମାନ ସେବା ଗୁଡିକ ଉପଲବ୍ଧ ହେଲେ ରାଉରକେଲାର ଶିକ୍ଷା, ସ୍ୱାସ୍ଥ୍ୟ ଓ ସାଂସ୍କୃତିକ କ୍ଷେତ୍ର ସମେତ ଅନ୍ୟାନ୍ୟ କ୍ଷେତ୍ର ଅଧିକ ବିକଶିତ ହେବ ବୋଲି ଆଶା କରାଯାଉଛି।

ଖୁବଶୀଘ୍ର ଏହି ବିମାନବନ୍ଦରରେ ଜଣେ ପରିଚାଳକଙ୍କୁ ମଧ୍ୟ ନିଯୁକ୍ତ କରାଯିବ। ଏହା ସହିତ ବିମାନବନ୍ଦରର ଏୟାର ଟ୍ରାଫିକ କଣ୍ଟ୍ରୋଲ ବ୍ୟବସ୍ଥା ମଧ୍ୟ ଉନ୍ନୀତ କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ପୋଲିସ ଓ ଅଗ୍ନିଶମ ସେବା ବ୍ୟବସ୍ଥା ପରିଚାଳିତ ହେବ।

ଏ ସମସ୍ତ ସୁବିଧା ଓ ପ୍ରକ୍ରିୟା ମୋଟାମୋଟି ପ୍ରସ୍ତୁତି ପର୍ଯ୍ୟାୟରେ ଥିବାରୁ ଏହି ବିମାନବନ୍ଦରରୁ ବ୍ୟବସାୟିକ ଉଡାଣ ଆଉ ବେଶି ବିଳମ୍ବ ହେବନାହିଁ। କେବଳ ଲାଇସେନ୍ସ ପାଇଁ ଅପେକ୍ଷା କରାଯାଉଥିବାରୁ ବିଳମ୍ବ ହୋଇଛି ବୋଲି ସୂଚନା ମିଳିଛି।

ଝାରସୁଗୁଡା-ବେଙ୍ଗାଲୁରୁ

ସେହିପରି ଝାରସୁଗୁଡା ଦେଇ ଏୟାର ଏସିଆର ବିମାନ ନୂଆଦିଲ୍ଲୀ ଓ ବେଙ୍ଗାଲୁରୁ ମଧ୍ୟରେ ଚଳାଚଳ କରିବ ବୋଲି ପ୍ରାଥମିକ ସୂଚନାରୁ ଜଣାପଡିଛି।

ଗତବର୍ଷ ସେପ୍ଟେମ୍ବର ମାସ 22 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଝାରସୁଗୁଡା ବିମାନବନ୍ଦର ଉଦଘାଟନ ହୋଇଥିଲା, କିନ୍ତୁ ନଭେମ୍ବର 6ରୁ କୌଣସି କାରଣ ନଦର୍ଶାଇ ଏୟାର ଓଡିଶା ଏଠାରୁ ବିମାନସେବା ବନ୍ଦ କରିଦେଇଥିଲା।

ଝାରସୁଗୁଡା ବିମାନବନ୍ଦରରୁ ଏୟାର ଇଣ୍ଡିଆର କମର୍ସିଆଲ ବିମାନ ଚଳାଚଳ ପାଇଁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ ରହଣି ପାଇଁ ଚିଠି ଲେଖି ଅନୁରୋଧ କରିଥିଲେ ।

ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ଏଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ । ବିମାନ ଚଳାଚଳ ପାଇଁ ସବୁ ପ୍ରକାର ସହଯୋଗ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଉକ୍ତ ଚିଠିରେ ଉଲ୍ଲେଖ କରିଥିଲେ।

#airways #rourkelatokolkata

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon